କନକ ବ୍ୟୁରୋ: ମାଉସୀ ମା' ମନ୍ଦିର । ଏହା ପୁରୀ ବଡ଼ଦାଣ୍ଡରେ ଜଗନ୍ନାଥ ମନ୍ଦିର ଆଡ଼କୁ ଗଲାବେଳେ ବଳଗଣ୍ଡି ପାଖରେ ବାମପଟେ ଅବସ୍ଥିତ । ଏଠାର ଅଧିଷ୍ଠାତ୍ରୀ ଦେବୁ ମାଉସୀ ମା (ଅର୍ଦ୍ଧାଶନୀ) ଜଗନ୍ନାଥଙ୍କ ମାଉସୀ ଭାବରେ ଜଣା । ପୂର୍ବରୁ ଏଠି ହାତୀ ଗାଧୁଆ ନଦୀ ବହି ଯାଉଥିଲା । ଲୋକେ ତାକୁ ବଳବତ୍ତର ଗଣ୍ଡି କହୁଥିଲେ ଏବେ ଏହା ବଳଗଣ୍ଡି ଭାବେ ପରିଚିତ । ଆଗେ ମହାପ୍ରଭୁମାମାନଙ୍କର ରଥ ଆସି ଏଇଠି ଅଟକି କିଛି ସମୟ ବିଶ୍ରାମ ନେବାପରେ ନଈ ପାର ହୋଇ ବିଗ୍ରହମାନେ ଆରପଟରେ ଥିବା ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ । ପୁଣି ଫେରିଲାବେଳକୁ ଅର୍ଥାତ ବାହୁଡ଼ାବେଳେ ଏଇଠି ମାଉସୀ ମା ଜଗନ୍ନାଥଙ୍କୁ ପୋଡ଼ପିଠା ଖାଇବାକୁ ଦେବାର ପରମ୍ପରା ଚଳି ଆସିଛି ।
ମା’ ଦେଖିବାକୁ ଅବିକଳ ସୁଭଦ୍ରା ଦେବୀଙ୍କ ପରି । ମାଙ୍କ ମୂର୍ତ୍ତି କୃଷ୍ଣପଥରରେ ତିଆରି । ସେ ଦ୍ୱିଭୂଜା, ଦୁଇ ପାଖରେ ଅଛନ୍ତି ଦୁଇ ପାର୍ଶ୍ୱଦେବୀ ଛାୟା ଓ ମାୟା । ମୂର୍ତ୍ତିର କଟିଦେଶ ଉପରକୁ ଆଚ୍ଛାଦିତ କରି ସୁଭଦ୍ରାଙ୍କ ମୁଖାଟିଏ ଚାପି ଦିଆଯାଇଛି ।
ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇଥାଆନ୍ତି । ଏହି ପରମ୍ପରା କାହିଁ କେଉଁ ଯୁଗରୁ ରହିଆସିଛି । ଏଥିପାଇଁ ମାଉସୀ ମା’ଙ୍କ ମନ୍ଦିରରେ ପୋଡ଼ପିଠା ପ୍ରସ୍ତୁତି ହୋଇଥାଏ । ମାଉସୀ ମା’ଙ୍କ ପୂଜକ ପୋଡ଼ପିଠା ପ୍ରସ୍ତୁତ ପୂର୍ବରୁ ଅଟାରେ ଛେନା, ଚିନି, ପିସ୍ତା ବାଦାମ, ଅଳେଇଚ, ଲବଙ୍ଗ, ଦେଶୀ ଘିଅ ଆଦି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରିଥାଆନ୍ତି । ଏହାକୁ ଚକଟା ଯାଇ ପୋଡ଼ପିଠା ଆକାରରେ ଚୁଲିରେ ବସାଯାଇ ବାମ୍ପରେ ସିଝିବାକୁ ଦିଆଯାଇଥାଏ । ବାମ୍ବରେ ସିଝିବା ପରେ ଏହାକୁ ବାହାର କରି ଥଣ୍ଡା ହେବାକୁ ଛାଡ଼ି ଦିଆଯାଇଯାଏ । ଥଣ୍ଡା ହେବା ପରେ ଖଣ୍ଡ ଖଣ୍ଡ କରି କାଟି ଏହାକୁ ପୁନର୍ବାର ଦେଶୀ ଘିଅରେ ଛଣା ଯାଇଥାଏ । ପରେ ତିନି ଠାକୁରଙ୍କୁ ତିନିଟି କୁଡ଼ୁଆରେ ସମର୍ପଣ କରାଯାଇଥାଏ ।