କନକ ବ୍ୟୁରୋ: ଭାରତୀୟ ବଂଶୋଦ୍ଭବର ମହାକାଶଚାରୀ ସୁନୀତାଙ୍କ ଘର ବାହୁଡାକୁ ନେଇ ଚିନ୍ତା ବଢିଥିବାବେଳେ ନାସା କିନ୍ତୁ ଏହାକୁ ନେଇ ଅଚିନ୍ତା ଥିବାଭଳି ମନେ ହେଉଛି । କାରଣ ବାରମ୍ବାର ଚେଷ୍ଟା ପରେ ବି ତାଙ୍କ ଆସିବା ସଫଳ ହୋଇପାରୁନି । ପ୍ରଶ୍ନ ଉଠୁଛି , ବିଜ୍ଞାନ ଆଜିକା ଦିନରେ ସଫଳତାର ଶିଖରରେ ପହଞ୍ଚିଥିବାବେଳେ  ସୁନୀତା ଓ ତାଙ୍କ ସହଯାତ୍ରୀଙ୍କୁ ମହାକାଶରୁ ଫେରାଇ ଆଣିପାରୁନାହିଁ କିପରି?

Advertisment

ସେଦିନ ଥିଲା ୨୦୨୪ ଜୁନ୍ ୫ ତାରିଖ ସକାଳ ୧୦ଟା । କେପ୍ କ୍ୟାନୟୋର ସ୍ପେଶ୍ ଫୋର୍ସ ଷ୍ଟେସନ, ଫ୍ଲୋରିଡାରୁ ଲଞ୍ଚ କଲା କ୍ରୁ-୯୦ ମହାକାଶଯାନ । ଆଉ ସେମାନଙ୍କୁ ନେଇ ଶୂନ୍ୟରେ ଭାସୁଥିବା ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରେ ଛାଡିଥିଲା । ସେଠାରୁ ପୂର୍ବରୁ ମଧ୍ୟ କିଛି ମହାକାଶଚାରୀ ଥିଲେ । ଉଦ୍ଦେଶ୍ୟ ଥିଲା ସେଠାରେ କିଛି ଗବେଷଣା କରିବା । ଆଉ ସୁନୀତା ଓ ସହମହାକାଶଯାତ୍ରୀ ବୁଚ୍ ବିଲମୋରଙ୍କ ପାଇଁ ମାତ୍ର ୮ ଦିନ ସମୟ କଣ୍ଟ ଥିଲା । ହେଲେ ୮ ଦିନ ଟପି ଦିନ ପରେ ଦିନ ଗଡିଚାଲିଲା । ହେଲେ ସୁନୀତା ଆଉ ବିଲମୋରଙ୍କ ଫେରିବା ବାଟ ଯେମିତି ବନ୍ଦ ହୋଇଯାଇଛି ।  ୮ ଦିନ କ’ଣ ୮ ମାସ ଟପିଗଲାଣି । ହେଲେ ଫେରୁନାହାଁନ୍ତି ସୁନୀତା । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ଫେରିବେ ସୁନୀତା?

ସୁନୀତାଙ୍କୁ ପୃଥିବୀକୁ ଫେରାଇଆଣିବାକୁ ଯାଇଥାନ୍ତା କ୍ରୁ-୧୦ ସ୍ପେଶସିପ୍ । ଏଥିପାଇଁ ସବୁ ପ୍ରସ୍ତୁତି ସରିଥିଲା । ହେଲେ ଶେଷ ମୁହୂର୍ତ୍ତରେ ସବୁ ଅଙ୍କ ବିଗିଡିଗଲା । କିଛି ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ହଠାତ୍ କ୍ରୁ-୧୦ର ଲଞ୍ଚିଂ ଅଟକିଗଲା । ନାସାର କହିବା କଥା ହେଉଛି, କ୍ରୁ-୧୦ ରେ ହାଇଡ୍ରୋଲିକ୍ ସିଷ୍ଟମରେ ସମସ୍ୟା ଯୋଗୁଁ ଏହାର ଉତକ୍ଷେପଣକୁ ରୋକାଗଲା । ହେଲେ ଏହା ସତ କି ନା ସେନେଇ ବି ପ୍ରଶ୍ନ ଘୁରିବୁଲୁଛି ।

ତେବେ ସୁନୀତାଙ୍କ ଘର ବାହୁଡାକୁ ନେଇ ଆମେରିକାରେ ରାଜନୀତି ଘନେଇବାରେ ଲାଗିଛି ।  ସୁନୀତାଙ୍କ ଫେରିବା ସମସ୍ୟା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତି ବାଇଡେନଙ୍କୁ ଦୋଷ ଲଦିଥିବାବେଳେ ତାଙ୍କୁ ନିଶ୍ଚ୍ରୟ ଫେରାଇଆଣିବେ ବୋଲି କଥା ଦେଇଥିଲେ । ଏହାର ଦାୟିତ୍ବ ସେ ସ୍ପେଶ୍ ଏକ୍ସର ମାଲିକ ଏଲନ ମସ୍କଙ୍କୁ ଦେଇଛନ୍ତି । ଆଉ ଏହାପରେ ଏଲନ ମସ୍କ ନିଜ କାମ ଆରମ୍ଭ କରିଦେଇଥିଲେ । 

ନାସା ବାରମ୍ବାର ଖାଲି ସୁନୀତାଙ୍କ ଭିଡିଓ କରି ସୋସିଆଲ ମିଡିଆରେ ଛାଡୁଛି । ସେମାନେ ମହାକାଶରେ ସୁରକ୍ଷିତ ଅଛନ୍ତି ବୋଲି ପ୍ରମାଣ ଦେଉଛି । ହେଲେ ସତ କ’ଣ ଏୟା ? କ୍ରୁ- ୧୦ ସ୍ପେଶ ସିପର ଲଞ୍ଚିଂ ବିଫଳ ହେବା ପରେ ପୁଣି ଏହାର ଲଞ୍ଚିଂ ପାଇଁ ମାର୍ଚ୍ଚ ୧୭ ତାରିଖକୁ ଧାର୍ୟ୍ୟ କରାଯାଇଛି । କିନ୍ତୁ ଏହାକୁ ସୁନିଶ୍ଚିତ କରିବାକୁ ନାସା ପଛଘଞ୍ଚା ଦେଉଥିବାଭଳି ମନେହେଉଛି। 

ମାଟିଠାରୁ ୪୦୦ କିଲୋମିଟର ଉଚ୍ଚ, ଯେଉଁଠି ନା ପୃଥିବୀ ଅଛି ନା ଅକାଶ, କେବଳ ମହାଶୂନ୍ୟ । ସେଠି ଭାସୁଛି ସ୍ପେଶ ଷ୍ଟେସନ । ପୂର୍ବରୁ ଏହାର ରିପାୟରିଙ୍ଗ ତଥା ମହାକାଶରେ ଗବେଷଣା ପାଇଁ ଅନେକ ଥର ଅନେକ ମହାକାଶଚାରୀ ଯାଇଛନ୍ତି । ହେଲେ ସୁନୀତାଙ୍କ ପାଇଁ ଏତେ ସମସ୍ୟା କାହିଁକି?