ସକାଳୁ ସକାଳୁ ନିଦ ଭାଙ୍ଗିଲେ ଆଖିରେ ଭାରିପଣ ଏବଂ ଆଖି ଫୁଲିବା ସମସ୍ୟାଟି ପ୍ରାୟତଃ ପ୍ରତିଟି ଘରର ଏକ ସମସ୍ୟା ଥାଏ । ଆପଣ ଏମିତି ଅନେକ ଲୋକଙ୍କୁ ଦେଖିଥିବେ ଯାହାଙ୍କ ଆଖି ସବୁବେଳେ ଫୁଲିଲା ଭଳି ଦେଖାଯାଉଥିବ । କିନ୍ତୁ ଏଭଳି କାହିଁକି ହୁଏ ପଚାରିଲେ ଉତ୍ତର ଆସିବ କେଜାଣି । ତେବେ ଏହି ସମସ୍ୟାର କାରଣ ଯଦି ଆପଣ ଜାଣିନାହାନ୍ତି ତାହେଲେ ଚିନ୍ତା କରିବାର କୌଣସି କାରଣ ନାହିଁ । ଆଜି ଆମେ ଆପଣଙ୍କୁ ଏ ସଂପର୍କରେ ସୂଚିତ କରାଇବୁ । କଥାରେ ଅଛି ସ୍ବାସ୍ଥ୍ୟ ହିଁ ସଂପଦ । ସ୍ବାସ୍ଥ୍ୟ ଯଦି ଠିକ୍ ନଥିବ ଜୀବନରେ କେତେ ଉଚ୍ଚ ସୋପାନକୁ ଯାଆନ୍ତୁ ନା କାହିଁକି ଅସନ୍ତୋଷ ଲାଗି ହିଁ ରହିବ । ତେବେ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ହେଳା କାହିଁକି?
/kanak/media/media_files/2025/01/30/UOhuBrRRnPVMK36EVLOi.png)
କାହିଁକି ଫୁଲେ ଆଖି?
ଏଲର୍ଜି : ଏଲର୍ଜିକ୍ ରିଆକ୍ସନ୍ ଯୋଗୁଁ ଆଖି ଚାରିପାର୍ଶ୍ବର ରକ୍ତ କଣିକା ଖେଳେଇ ହୋଇଯାଏ ଏବଂ ଆଖି ଫୁଲିବା ଭଳି ସମସ୍ୟା ଦେଖାଯାଏ । ଏତଦବାଦ୍ ଋତୁଜନିତ ଏଲର୍ଜି ଏବଂ କିଛି ସ୍କିନ୍ କେୟାର ପ୍ରଡକ୍ଟର ରିଆକ୍ସନ୍ ଯୋଗୁଁ ମଧ୍ୟ ଏଭଳି ସମସ୍ୟା ଦେଖାଯାଇଥାଏ ।
ସାଇନସ୍ : ଥଣ୍ଡା ଏବଂ ଏଲର୍ଜି କାରଣରୁ ଶରୀରରେ ସାଇନସ୍ ସମସ୍ୟା ବଢିଗଲେ ଆଖି ଫୁଲିବା ଭଳି ସମସ୍ୟା ଦେଖାଯାଏ ।
ବର୍ଦ୍ଧିତ ବୟସ : ବୟସ ବଢିବା ସଙ୍ଗେ ସଙ୍ଗେ ଆଖି ଚାରିପାର୍ଶ୍ବର ଚର୍ମ ପତଳା ହୋଇଯାଏ । ଯାହାଦ୍ବାରା ଫ୍ଲେକ୍ସିବିଲିଟି ମଧ୍ୟ କମ୍ ହୋଇଥାଏ । ଆଖି ପାଖରେ ଜମିଥିବା ଚର୍ବି ଢିଲା ହୋଇ ଫୁଲିବା ଭଳି ସମସ୍ୟା ସୃଷ୍ଟି ହୁଏ ।
/kanak/media/media_files/2025/01/30/I811sdBiOyWbAT2dByhv.png)
ନିଦ୍ରା ଅଭାବ : ଯେତେବେଳେ ନିଦର କଥା ଆସେ , କିଛି ଲୋକ କୁହନ୍ତି ହଁ ଆଜି ଦିନସାରା ମୁଁ ଶୋଇଛି .. କିନ୍ତୁ ବିଛଣା ଉପରେ ଆପଣ କେତେ ସମୟ ପଡ଼ିରହୁଛନ୍ତି ଏହାକୁ ନିଦ ବୋଲି କୁହାଯାଇପାରିବ ନାହିଁ । ନିଘୋଟ ଏବଂ ଶରୀରକୁ ଆବଶ୍ୟକ ଥିବା ପର୍ଯ୍ୟାପ୍ତ ମାତ୍ରାର ନିଦ ନହେଲେ ଆଖି ଫୁଲିବା ଏବଂ ଶୋଇ କରି ଉଠିବା ପରେ ଆଖିରେ ଭାରିପଣ ଅନୁଭବ କରିବା ସମସ୍ୟାର ଆପଣ ସମ୍ମୁଖୀନ ହୋଇପାରିବେ ।
ଅଧିକ ଲୁଣଯୁକ୍ତ ଖାଦ୍ୟ ଖାଇବା : ଯଦି ଆପଣ ଖାଦ୍ୟରେ ବହୁତ ଲୁଣର ବ୍ୟବହାର କରୁଛନ୍ତି ତାହେଲେ ଏହା ଆପଣଙ୍କ ଶରୀରରେ ପାଣି ଜମାଇବାର କାମ କରେ । ଯାହାଦ୍ବାରା ଆଖି ଫୁଲିବା ସମସ୍ୟା ଦେଖାଯାଏ ।
ତେବେ ଏ ସବୁ ସମସ୍ୟାରୁ ମୁକୁଳିବା ପାଇଁ କ’ଣ କରିବା ଦରକାର ଆସନ୍ତୁ ଜାଣିବା ।
/kanak/media/media_files/2025/01/30/V9OvszYL1rE1VEYHHIqu.png)
ଆଖି ଫୁଲିବା ସମସ୍ୟାକୁ କମାଇବା ପାଇଁ କାକୁଡ଼ି ଏକ ଭଲ ଉପାୟ ହୋଇପାରିବ । କାକୁଡ଼ିରେ ଆଣ୍ଟିଅକ୍ସିଡେଣ୍ଟ୍ ଥିବାରୁ ଏହା ଆଖି ଫୁଲିବା ସମସ୍ୟାକୁ କମ୍ କରିଥାଏ । କାକୁଡ଼ିକୁ ପତଳା କରି କାଟି ଏହାର ସ୍ଲାଇସ୍ କୁ ଆଖିରେ ୧୦ ରୁ ୧୫ ମିନିଟ୍ ଲଗାଇ ରଖନ୍ତୁ ଫୁଲାପଣ କମ୍ ହେବ ।
ଚା’ରେ ଥିବା କେଫିନ୍ ଏବଂ ଆଣ୍ଟିଅକ୍ସିଡେଣ୍ଟ୍ ରକ୍ତ କଣିକା ଖେଳେଇ ହେବାକୁ ରୋକେ ଏବଂ ଫୁଲାପଣ ସମସ୍ୟାକୁ କମାଇବାରେ ମଧ୍ୟ ସହାୟକ ହୁଏ । ତାଜାପଣ ପାଇଁ ଆପଣ ଓଦାଥିବା ଥଣ୍ଡା ଟିବ୍ୟାଗ୍ ଆଖିରେ ଲଗାଇରଖନ୍ତୁ । କେମୋମାଇଲ୍ କିମ୍ବା ଗ୍ରୀନ୍ ଟି ବ୍ୟାଗ୍ ଆଖିଫୁଲାକୁ କମାଇବା ପାଇଁ ଭଲ କାମ କରିବ ।
ଥଣ୍ଡାସେକ : ଆଖିରେ ଥଣ୍ଡାସେକ ଦେଲେ ରକ୍ତ କଣିକା ସଙ୍କୁଚିତ ହୋଇ ଫୁଲିବା ସମସ୍ୟା କମ୍ କରାଏ । ବରଫକୁ ରୁମାଲ୍ କିମ୍ବା କୌଣସି କପଡ଼ାରେ ବାନ୍ଧି ଆଖିରେ ଧିରେ ଧିରେ ଲଗାନ୍ତୁ । ଫୁଲାପଣ କମିବ ।
/kanak/media/media_files/2025/01/30/vqd62cSk1IMc8uVIlULE.png)
ଆଳୁ : ଆଳୁରେ ଏନ୍ଜାଇମ୍ , ଷ୍ଟାର୍ଚ ଏବଂ ଆଣ୍ଟି-ଇନଫ୍ଲାମେଟରୀ ଗୁଣର ମାତ୍ରା ଅଧିକ ଥାଏ । ଆଳୁକୁ ପତଳା କରି କାଟି ଏହାର ୨ ଟି ସ୍ଲାଇସ୍ କୁ ଆଖିରେ ଲଗାଇ ୧୦ ମିନିଟ୍ ରଖନ୍ତୁ ଆଉ ଫାଇଦା ଦେଖନ୍ତୁ ।
ଥଣ୍ଡା କ୍ଷୀର : ଥଣ୍ଡା କ୍ଷୀରର ତାପମାତ୍ରା ତ୍ବଚାକୁ ଆରାମ୍ ଦେବା ଏବଂ ହାଇଡ୍ରେଟ୍ ରଖିବା ଭଳି କାମ କରିଥାଏ । ଥଣ୍ଡା କ୍ଷୀରରେ ତୁଳାକୁ ବୁଡ଼ାଇ ଆଖି ଉପରେ ଲଗାନ୍ତୁ । ଫରକ ଜାଣିପାରିବେ ।
ତେବେ ଏହି ସବୁ ଟିପ୍ସ କେବଳ ପ୍ରାଥମିକ ପର୍ଯ୍ୟାୟରେ ଆଖିକୁ ସ୍ବଳ୍ପମାତ୍ରାରେ ଫୁଲାପଣରୁ କମ୍ କରିବାରେ ସାହାଯ୍ୟ ହେବ । ସମସ୍ୟା ଯଦି ଜଟିଳ ଅଛି ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ନେବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ହିତକର ହେବ ।