କନକ ବ୍ୟୁରୋ: ଭାରତୀୟ ଦଳର ଅଭିଜ୍ଞ, ଦକ୍ଷତା ସମ୍ପନ୍ନ ଓ୍ୱିକେଟ କିପର ଭାବେ ସଞ୍ଜୁ ସାମସନଙ୍କ ନାଁ ପ୍ରଥମେ ଆସିଥାଏ । ହେଲେ ଏସିଆ କପରେ ସଞ୍ଜୁଙ୍କୁ ଯେମିତି ଅଣଦେଖା କଲା ପରି ମନେ ହେଉଛି । ବାଂଲାଦେଶ ବିପକ୍ଷ ମ୍ୟାଚରେ କିଛି ଏମିତି ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ ନିରାଶ କରିଥିଲା । କାରଣ ଏହି ମ୍ୟାଚରେ ସଞ୍ଜୁଙ୍କୁ ବ୍ୟାଟିଂ ମିଳିନଥିଲା । ଯେତେବେଳେ ଟିମ୍ ଇଣ୍ଡିଆ ବ୍ୟାଟିଂ ବିପର୍ୟ୍ୟର ସାମ୍ନା କରିଥିଲା ସତେବେଳେ ଦଳ ସଞ୍ଜୁଙ୍କୁ ଭରସା କରିପାରିନଥିଲା । ଏମିତି କି ତିଲକ ବର୍ମା, ଅକ୍ଷର ପଟେଲ ସଞ୍ଜୁଙ୍କ ଉପରେ ବ୍ୟାଟିଂ କରିବାକୁ ଆସିଥିଲେ । 

Advertisment

ବାଂଲାଦେଶ ବିପକ୍ଷରେ କେବଳ ଅଭିଷେକ ଶର୍ମା ୭୫ ରନର ବିସ୍ଫୋରକ ପାଳି ଖେଳିଥିଲେ । ଏହାପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ଇଂନିସ ଖେଳିପାରିନଥିଲେ । ଫଳରେ ଦଳ ୨୦ ଓଭରରେ ମାତ୍ର ୧୬୮ ରନ କରିଥିଲା । ଏମିତି କି ୬ଟି ଓ୍ୱିକେଟ ଗଲାପରେ ବି ସଞ୍ଜୁ ସାମସନ ବ୍ୟାଟିଂ ନଆସିବା ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କାରଣ ଦଳ ବିପର୍ୟ୍ୟୟ ଦେଇ ଗତି କରୁଥିବା ବେଳେ ଫ୍ୟାନ୍ସମାନେ ସଞ୍ଜୁ ସାମସନଙ୍କ ବ୍ୟାଟିଂକୁ ଅପେକ୍ଷା କରିଥିଲେ । 

ଏସିଆକପରେ ସଞ୍ଜୁ ମାତ୍ର ୨ଟି ମ୍ୟାଚ ଖେଳିଛନ୍ତି । ଓମାନ ବିପକ୍ଷରେ ସାମସନ ନିଜର ଦକ୍ଷତା ଦେଖାଇଥିଲେ । ସେ ପ୍ରଥମ ଓ୍ୱିକେଟରେ ଆସି ୩ଟି ଛକା, ୩ ଚୌକା ବଳରେ ୫୬ ର କରିଥିଲେ । ଏହାପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ତାଙ୍କୁ ୩ ନମ୍ୱରରେ ବ୍ୟାଟିଂ ଦିଆ ଯାଇଥିଲା । ଯେଉଁଠି ସେ ବିଫଳ ହୋଇଥିଲେ । ଆମେ ପୂର୍ବରୁ ଦେଖିଛୁ ଯେ ସଞ୍ଜୁ ସାମସନ ଟପ୍ ଅର୍ଡରରେ ଭଲ ପ୍ରଦର୍ଶନ କରନ୍ତି । ଖାସ କରି ଓପନିଂରେ ସେ ବିସ୍ଫୋରକ ବ୍ୟାଟିଂ କରିଥାଆନ୍ତି । ହେଲେ ମ୍ୟାନେଜମେଣ୍ଟ ତାଙ୍କୁ ନିମ୍ନକ୍ରମରେ କାହିଁକି ରଖୁଛି? କାହିଁକି ସଞ୍ଜୁଙ୍କୁ ଟପ୍ ଅର୍ଡରରେ ବ୍ୟାଟିଂ ଦିଆ ଯାଉନି ।

ସଞ୍ଜୁ ସାମସନଙ୍କୁ କେତେବେଳେ ପ୍ରଥମ ତ କେତେବେଳେ ତୃତୀୟ ତ ଆଉ କେତେବେଳେ ସପ୍ତମ ସ୍ଥାନରେ ରଖାଯାଉଛି । ଜଣେ ଦକ୍ଷ ଖେଳାଳିଙ୍କୁ କାହିଁକି ଏଭଳି ଏକ୍ସପେରିମେଣ୍ଟ କରାଯାଉଛି? ଜାଣୁଶୁଣି ସାମସନଙ୍କ ସହ ଏଭଳି କରାଯାଉନି ତ? ସାମସନଙ୍କ ସହ କେହି ବଡ଼ ଷଡ଼ଯନ୍ତ୍ର କରୁନି ତ? ଏମିତି ଅନେକ ପ୍ରଶ୍ନ ଏବେ ଫ୍ୟାନ୍ସଙ୍କ ମନରେ ରହିଛି । 

ତେବେ ଏହାରି ଭିତରେ ଭାରତ ବିନା ପରାଜୟରେ ଏସିଆକପ ଫାଇନାଲରେ ପ୍ରବେଶ କରିସାରିଛି । ଫାଇନାଲ ମ୍ୟାଚରେ ଦେଖିବା ବାକି ରହିଲା ସଞ୍ଜୁ ସାମସନଙ୍କୁ କେଉଁ ସ୍ଥାନରେ ଖେଳିବାର ସୁଯୋଗ ମିଳୁଛି । ଯଦି ମିଳୁଛି ସାମସନ ପ୍ରମାଣ କରି ଦେଖାଇବେ ଯେ ସେ ଏକ୍ସପେରିମେଣ୍ଟ ପାଇଁ ନୁହେଁ ବରଂ ଦଳ ପାଇଁ ସେ କେତେ ଗୁରୁତ୍ୱପୂର୍ଣ୍ଣ ।