କନକ ବ୍ୟୁରୋ : ଶେଷରେ ଇସ୍ତଫା ଦେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ଼ୋ । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଟ୍ରୁଡ଼ୋଙ୍କ ଉପରେ ଚାପ ବଢ଼ିବା ଏବଂ ତାଙ୍କ ଲୋକପ୍ରିୟତା ହ୍ରାସ ପାଇବା ପରେ ଟ୍ରୁଡୋ ଇସ୍ତଫା ଦେଇଛନ୍ତି । କାନାଡା ପ୍ରଧାନମନ୍ତ୍ରୀ ଭାବେ ଟ୍ରୁଡ଼ୋ ୯ ବର୍ଷ ହେଲା କାର୍ୟ୍ୟ କରୁଛନ୍ତି । ଓଟ୍ଟାୱାସ୍ଥିତ ନିଜ ବାସଭବନ ବାହାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଟ୍ରୁଡ଼ୋ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି ।
ଟ୍ରୁଡ଼ୋ କହିଛନ୍ତି, ଜଣେ ନୂଆ ଲିବରାଲ୍ ପାର୍ଟି ନେତା ମନୋନୀତ ହେବା ପର୍ୟ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଦାୟିତ୍ବରେ ରହିବେ । ଉଲ୍ଲେଖଯୋଗ୍ୟ, ଟ୍ରୁଡ଼ୋଙ୍କ ବିରୋଧରେ ନିଜ ଦଳ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା ଏବଂ ସେ ଦଳରୁ ଇସ୍ତଫା ଦେବାପାଇଁ ଜୋରଦାର୍ ଦାବି ହୋଇଥିଲା । ଡିସେମ୍ବର ୧୬ ତାରିଖରେ କାନାଡା ଅର୍ଥ ମନ୍ତ୍ରୀଙ୍କର ଅଚାନକ ଇସ୍ତଫା ପରେ ଟ୍ରୁଡ଼ୋ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାପାଇଁ ପ୍ରବଳ ଦାବି ହୋଇଥିଲା । ତାଙ୍କ ଲୋକପ୍ରିୟତା ହଠାତ୍ କମି ଯାଇଥିଲା । ଶେଷରେ ସେ ପ୍ରଧାନମନ୍ତ୍ରୀ ଏବଂ ଲିବରାଲ୍ ପାର୍ଟି ନେତା ଭାବେ ଇସ୍ତଫା ଦେଇଛନ୍ତି । ଟ୍ରୁଡ଼ୋଙ୍କ ଇସ୍ତଫା ସହ ଲିବରାଲ୍ ପାର୍ଟିରେ ନେତୃତ୍ବ ସଙ୍କଟ ସୃଷ୍ଟି ହୋଇଛି । ଅକ୍ଟୋବର ଶେଷରେ କାନାଡ଼ାରେ ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ଲିବରାଲ୍ ପାର୍ଟିରେ ନେତୃତ୍ବ ସଙ୍କଟ ଏକ ଆହ୍ବାନ ସୃଷ୍ଟି କରିଛି । ଉଲ୍ଲେଖଯୋଗ୍ୟ, ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଖ୍ରିଷ୍ଟିଆ ଫ୍ରିଲାଣ୍ଡ୍ ଏବଂ ପୂର୍ବତନ କେନ୍ଦ୍ରୀୟ ବ୍ୟାଙ୍କର ମାର୍କ କାର୍ନି ଟ୍ରୁଡ଼ୋଙ୍କର ଉତ୍ତରାଧିକାରୀ ହେବେ ବୋଲି କୁହାଯାଉଛି ।