sanjay yadav bihar election Photograph: (KANAK NEWS)
କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନରେ କାହିଁକି ମାଟି କାମୁଡିଲା ମହାମେଣ୍ଟ? କାହିଁକି ଫେଲ୍ ମାରିଲା ତେଜସ୍ୱୀଙ୍କ ରଣନୀତି? ଏ ପ୍ରଶ୍ନ ଏବେ ସମସ୍ତଙ୍କର ମନରେ । ଆଗାମୀ ଦିନରେ ଏହି କଥାକୁ ନେଇ ଡିବେଟ୍ ହେବ, ରଣନୀତିକାରମାନେ ଏହାକୁ ନେଇ ଅଙ୍କ ମଧ୍ୟ କଷିବେ । ହେଲେ ବିହାରରେ ମହାମେଣ୍ଟର ଏ ପରାଜୟ ପଛରେ ବଡ଼ କାରଣ ସଞ୍ଜୟ ଯାଦବ ହୋଇପାରନ୍ତି ବୋଲି ଏବେ ଜୋରଦାର ଚର୍ଚ୍ଚା ।
ଆପଣ ଭାବୁଥିବେ ବିହାରରେ ମହାମେଣ୍ଟର ଏ ପରାଜୟ ପଛରେ ସଞ୍ଜୟ ଯାଦବ କେମିତି? ଏ ସଞ୍ଜୟ ଯାଦବ ଜଣକ କିଏ? ତେବେ ଆମେ କହିରଖୁଛୁ ଯେ, ଏ ହେଉଛନ୍ତି ସେହି ସଞ୍ଜୟ ଯାଦବ, ଯାହାଙ୍କ ରଣନୀତିରେ ଏଥର ନିର୍ବାଚନ ଲଢ଼ିଥିଲେ ଲାଲୁ ନନ୍ଦନ ତେଜସ୍ୱୀ ଯାଦବ । ବର୍ତ୍ତମାନ ସଞ୍ଜୟ ଯାଦବ ତେଜସ୍ୱୀ ଯାଦବଙ୍କ ମୁଖ୍ୟ ପରାମର୍ଶଦାତା ରହିଛନ୍ତି, ଯାହାଙ୍କୁ ଆଖି ବନ୍ଦ କରି ବିଶ୍ୱାସ କରନ୍ତି ତେଜସ୍ୱୀ ଯାଦବ । ନିର୍ବାଚନ ରାଲି ହେଉ କି ଆଉ କିଛି ସବୁବେଳେ ତେଜସ୍ୱୀଙ୍କ ସହ ନଜର ଆସନ୍ତି ସଞ୍ଜୟ ଯାଦବ । କୁହାଯାଏ ଆରଜେଡିରେ ନମ୍ବର-୨ ନେତା ହେଉଛନ୍ତି ସଞ୍ଜୟ ଯାଦବ ।
ଆହୁୁରି ପଢ଼ନ୍ତୁ : ମୁଁ ଆଜି ହୃଦୟରୁ ନାଚୁଛି ; ଲୋକଙ୍କ ବିଶ୍ବାସକୁ ନେଇ ଏପରି କହିଲେ ଜୟ
ସଞ୍ଜୟ ଯାଦବ ଏଥର ବିହାର ବିଧାନସଭା ନିର୍ବାଚନରେ ସିଟ୍ ଭାଗବଣ୍ଟାଠୁ ଆରମ୍ଭ କରି ନିର୍ବାଚନ ରଣନୀତି ବିଷୟରେ ସବୁକିଛି ବୁଝିଥିଲେ । ତେଣୁ ଏବେ ବିହାରରେ ମହାମେଣ୍ଟ ପଛର ଏ ପରାଜୟ ପାଇଁ ତାଙ୍କୁ ଦାୟୀ କରାଯାଉଛି ।
କିଏ ଏ ସଞ୍ଜୟ ଯାଦବ ?
ଆପଣ ଜାଣିରଖନ୍ତୁ ଯେ, ସଞ୍ଜୟ ଯାଦବଙ୍କ ଘର ହେଉଛି ହରିୟାଣାରେ, ସେ କମ୍ପ୍ୟୁଟର ସାଇନ୍ସରେ ଏମ.ଏସସି କରିଛନ୍ତି । ଏହାପରେ ସେ ଏମବିଏ ମଧ୍ୟ ପଢ଼ିଥିଲେ, ଯେଉଁଠି ସେ ମ୍ୟାନେଜମେଣ୍ଟ ସମ୍ପର୍କିତ ଜ୍ଞାନ ଅର୍ଜନ କରିଥିଲେ । ଏହାପରେ ଡାଟା ଆନାଲିସିସ୍ ଏବଂ ମ୍ୟାନେଜମେଣ୍ଟରେ ମାହିର ସଞ୍ଜୟ ଯାଦବ ନିଜର ଏକ ଘରୋଇ କମ୍ପାନି ମଧ୍ୟ ଆରମ୍ଭ କରିଥିଲେ ।
ତେଜସ୍ୱୀଙ୍କ କେମିତି ହେଲେ ଘନିଷ୍ଠ?
କୁହାଯାଏ ସଞ୍ଜୟ ଯାଦବ ଏବଂ ତେଜସ୍ୱୀ ଯାଦବଙ୍କ ବନ୍ଧୁତା ବହୁତ ପୁରୁଣା । ଦୁହେ ପ୍ରଥମ କରି ଦିଲ୍ଲୀରେ ଭେଟଘାଟ ହେଇଥିଲେ । କୁହାଯାଏ, ଦୁହେଁ ପ୍ରଥମ କରି କ୍ରିକେଟ୍ ଜରିଆରେ ଯୋଡ଼ି ହେଇଥିଲେ, ଯାହାକି ପରେ ପରେ ରାଜନୈତିକ ସମ୍ପର୍କରେ ବଦଳିଥିଲା । ୨୦୧୨ ମସିହା ବେଳକୁ ସଞ୍ଜୟ ଯାଦବ ଆରଜେଡିରେ ସକ୍ରିୟ ହେଇଥିଲେ, ଆଉ ସେହି ସମୟରେ ତେଜସ୍ୱୀ ଯାଦବ ତାଙ୍କଠାରୁ ପରାମର୍ଶ ମଧ୍ୟ ନେଉଥିଲେ । ଏହାପରେ ପରେ ୨୦୨୪ରେ ସଞ୍ଜୟ ଯାଦବ ଆରଜେଡିର ରାଜ୍ୟସଭା ସାଂସଦ ବନିଥିଲେ ।
ଆହୁୁରି ପଢ଼ନ୍ତୁ : ‘ନୂଆ ଆଞ୍ଚଳିକ ଦଳ ଗଠନ ପାଇଁ ସୁଯୋଗ ଆସିଗଲା’: ବଡ଼ କଥା କହିଦେଲେ ନରସିଂହ ମିଶ୍ର
୨୦୨୫ରେ ଗୁରୁ ଦାୟିତ୍ୱ
୨୦୨୫ ବିହାର ବିଧାନସଭା ନିର୍ବାଚନରେ ସଞ୍ଜୟ ଯାଦବଙ୍କୁ ମିଳିଥିଲା ଗୁରୁ ଦାୟିତ୍ୱ । ଏହି ସମୟରେ ତେଜସ୍ୱୀ ଯାଦବ ତାଙ୍କ ସହିତ ଅନେକ ନିର୍ବାଚନ ବୈଠକ ଏବଂ ମେଣ୍ଟ ନେଇ ଆଲୋଚନା କରିଥିଲେ । ଖାସ୍ କରି ବିଭିନ୍ନ ବଡ଼ ବଡ଼ ନିଷ୍ପତ୍ତିରେ ତାଙ୍କର ସକ୍ରିୟ ଭୂମିକା ରହିଥିଲା । ଏହାସହିତ ଜାତି ସମୀକରଣକୁ ନେଇ ଟିକେଟ୍ ବଣ୍ଟାରେ ସଞ୍ଜୟ ଯାଦବ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେଣୁ ଏହି ସବୁ ଘଟଣାକୁ ଲକ୍ଷ୍ୟ କରି ବିହାରରେ ମହାମେଣ୍ଟର ପରାଜୟ ପାଇଁ ତାଙ୍କୁ ଦାୟୀ କରାଯାଉଛି ।
Follow Us