କନକ ବ୍ୟୁରୋ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଏନଡିଏ । ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଥିବା ସିପି ରାଧାକ୍ରିଷ୍ଣନଙ୍କୁ ଦଳ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି । ହେଲେ ରେସରେ ଅନେକ ନେତା ଥିଲେ ବି, କାହିଁକି ରାଧାକ୍ରିଷ୍ଣନଙ୍କୁ ଦଳ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କଲା, ତାକୁ ନେଇ ଏବେ ଆରମ୍ଭ ହୋଇଛି ଆଲୋଚନା । କିଛି ଜଣ ଏହା ପଛରେ ଆରଏସଏସରର ଫର୍ମୁଲା ବାହାର କରୁଥିବାବେଳେ, ଆଉ କିଛି ତାମିଲନାଡୁ ରାଜନୀତିକୁ ଏହା ସହ ଯୋଡୁଛନ୍ତି । 
ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଥିବା ରାଧାକ୍ରିଷ୍ଣନ, ତାମିଲନାଡୁ ରାଜନୀତିର ଜଣେ ବଡ଼ ଚେହେରା । ଦକ୍ଷିଣ ଭାରତରେ ବିଜେପି ପାଇଁ ସେ ବହୁ ବର୍ଷ କାମ କରିଥିବାବେଳେ, ତାମିଲନାଡୁର ବିଜେପି ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି । ତେଣୁ ତାଙ୍କୁ ପ୍ରାର୍ଥୀ କରି ଦକ୍ଷିଣ ଭାରତରେ ବିଜେପି ନିଜର ଭୋଟ୍ ବ୍ୟାଙ୍କ ବଢ଼ାଇବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି ।

ତାମିଲନାଡୁ ଉପରେ ବିଜେପିର ନଜର

Advertisment

ତାମିଲନାଡୁରେ ବିଜେପି ନିଜକୁ ମଜଭୁତ କରିବାକୁ ଏବେ ଅଙ୍କ କଷୁଛି । ଦିନକୁ ଦିନ ସେଠି ବିଜେପିର ଭୋଟ୍ ପ୍ରତିଶତ ବୃଦ୍ଧି ପାଉଥିବାରୁ, ଦଳ ସେଠାରେ ସରକାର ଗଠନ କରିବାର ସ୍ୱପ୍ନ ଦେଖିବା ଆରମ୍ଭ କରିଛି । ଯେହେତୁ ଆଗକୁ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ତେଣୁ ତାକୁ ଆଖି ଆଗରେ ରଖି ଦଳ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିଥିବା ଚର୍ଚ୍ଚା ହେଉଛି । ସିପି ରାଧାକ୍ରିଷ୍ଣନଙ୍କୁ ଆଗକୁ ଆଣି ବିଜେପି ତାମିଲନାଡୁର ପଶ୍ଚିମାଞ୍ଚଳକୁ ଫୋକସ୍ କରିଛି । ତାଙ୍କ ଲୋକପ୍ରିୟତାକୁ ବ୍ୟବହାର କରି ଦଳ ତାମିଲନାଡୁର କିଛି ଅଞ୍ଚଳରେ ନିଜର ଭୋଟ୍ ପ୍ରତିଶତ ବଢ଼ାଇବାକୁ ଅଙ୍କ କଷିଛି ।

ଡିଏମକେକୁ ହେବ ଅଡ଼ୁଆ

ସିପି ରାଧାକ୍ରିଷ୍ଣନଙ୍କୁ ଏନଡିଏ ପ୍ରାର୍ଥୀ କରିବା ଏକ ବଡ଼ ମାଷ୍ଟର ଷ୍ଟ୍ରୋକ୍ ବୋଲି କୁହାଯାଉଛି । କାହିଁକି ନା...ତାଙ୍କୁ ବିରୋଧ କରିବା ଅନେକ ଦଳ ପାଇଁ ସହଜ ନୁହେଁ । ଯେହେତୁ ସେ ତାମିଲନାଡୁର ଲୋକ, ତେଣୁ ଇଣ୍ଡି ମେଣ୍ଟର ବଡ଼ ଦଳ ଡିଏମକେ ତାଙ୍କୁ ବିରୋଧ କରିବାର ପ୍ରଶ୍ନ ଉଠୁନି । ତେଣୁ ଯଦି ଡିଏମକେ ରାଧାକ୍ରିଷ୍ଣନଙ୍କୁ ସମର୍ଥନ କରେ, ତେବେ ଇଣ୍ଡି ମେଣ୍ଟ ଉପରାଷ୍ଟ୍ରପତି ରେସରେ ବହୁତ ପଛରେ ପଡ଼ିଯିବ ।

ଓବିସି ଭୋଟ୍ ଉପରେ ବିଜେପିର ନଜର

ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିବା ସହ ଓବିସି କାର୍ଡ ଖେଳିଛି ବିଜେପି । ରାଧାକ୍ରିଷ୍ଣନ ଯେଉଁ ସମ୍ପ୍ରଦାୟରୁ ଆସୁଛନ୍ତି, ତାର ଗୋଟିଏ ବଡ଼ ଭୋଟ୍ ବ୍ୟାଙ୍କ୍ ରହିଛି । ଯାହାକି ତାମିଲନାଡୁ ରାଜନୀତିରେ ପ୍ରଭାବ ପକାଇଥାଏ । ତାମିଲନାଡୁର ପଶ୍ଚିମ ବେଲ୍ଟରେ ଏହି ଭୋଟ୍ ବ୍ୟାଙ୍କ ହିଁ ନିର୍ଣ୍ଣାୟକ ଭୂମିକା ନେଇଥାଏ । ତେଣୁ ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିବା ବିଜେପିକୁ ଫାଇଦା ଦେବ ।

ଇଣ୍ଡି ମେଣ୍ଟରେ ହୋଇପାରେ ଫାଟ!

ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ, ଇଣ୍ଡି ମେଣ୍ଟରେ ଫାଟ ସୃଷ୍ଟି ହୋଇପାରେ । ଖାସ୍ କରି ଡିଏମକେ ଏଥର କାହାକୁ ସମର୍ଥନ ଜଣାଇବ, ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା । ବର୍ତ୍ତମାନର ସମୟରେ ଡିଏମକେର ମୋଟ ୩୨ଜଣ ସାଂସଦ ଅଛନ୍ତି । ତେଣୁ ତାଙ୍କୁ ଯଦି ଡିଏମକେ ନିଜର ସମର୍ଥନ ଜଣାଏ, ତେବେ ଇଣ୍ଡି ମେଣ୍ଟକୁ ଏହା ବଡ଼ ଝଟକା ହେବ ।

ଆରଏସଏସ ବିଚାରଧାରା ସହ ଜଡ଼ିତ ଥିବା ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିବା ବିଜେପିକୁ ଫାଇଦା ଦେବ । ଖାସ୍ କରି ଯେଉଁଭଳି ଭାବେ ଜଗଦୀପ ଧନଖଡ଼ ଇସ୍ତଫା ଦେଲେ, ଆଉ ପରେ ପରେ ତାଙ୍କୁ ନେଇ ଯେଉଁ ସବୁ କଥା ସାମ୍ନାକୁ ଆସିଲା ତା ପରେ ବିଜେପି କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନି । ତେଣୁ ଏଥର ଦଳ ସେଫ୍ ଗେମ୍ ଖେଳିବା ସହିତ ସିପି ରାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ଚେୟାରରେ ବସାଇବାକୁ ଅଙ୍କ କଷୁଛି ।