କନକ ବ୍ୟୁରୋ : ବିଜେଡି ପ୍ରତିଷ୍ଠା ଦିବସରେ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା ତଥା ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ ବାର୍ତ୍ତା ଜାରି କରି ନବୀନ କହିଛନ୍ତି, ଦଳ ଗଠନ ବେଳେ କିଛି ନିନ୍ଦୁକ ଯେପରି କହିଥିଲେ ଏହି ଦଳର ଭବିଷ୍ୟତ ନାହିଁ ଏବେ ବି ସେମିତି କହୁଛନ୍ତି ଏ ଦଳ ରହିବ ନାହିଁ । ମୁଁ ଦୃଢତାର ସହ କହୁଛି, ବିଜେଡିର ଭବିଷ୍ୟତ ଉଜ୍ୱଳ । ଲୋକଙ୍କ ହକ ପାଇଁ ଲଢିଆସିଛି ଆଗକୁ ବି ଲଢିବ ।
୧୯୯୭ ଡିସେମ୍ବର ୨୬ତାରିଖରେ ବିଜେଡି ଦଳ ପ୍ରତିଷ୍ଠା ହୋଇଥିଲା । ବିଜୁ ବାବୁଙ୍କ ଆଦର୍ଶକୁ ସାଙ୍ଗରେ ନେଇ ବିଜୁ ପ୍ରେମୀମାନେ ଏକାଠି ହୋଇ ବିଜୁ ଜନତା ଦଳ ଗଠନ କରିଥିଲେ । କିନ୍ତୁ ସେତେବେଳେ ବହୁ ଲୋକ କହିଥିଲେ ଏ ଦଳ ବଞ୍ଚିବ ନାହିଁ । ଏ ଦଳ କେବେ ସଫଳ ହେବ ନାହିଁ । ଆଉ ମତେ କହିଥିଲେ ମୁଁ ରାଜନୀତି ଜାଣେ ନାହିଁ । କିନ୍ତୁ ଓଡିଶାବାସୀଙ୍କ ଆଶୀର୍ବାଦ ପାଇଁ ପାଞ୍ଚ ପାଞ୍ଚ ଥର କ୍ଷମତାକୁ ଆସି ସେବା କରିବାର ସୁଯୋଗ ପାଇଛି ।
ଗତ ୨୪ବର୍ଷ ମଧ୍ୟରେ ବିଜେଡି ସରକାର ଓଡିଶାକୁ ଏକ ସମୃଦ୍ଧ ଓ ସଶକ୍ତ ରାଜ୍ୟର ପରିଚୟ ଦେଇପାରିଛି । ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବା ଓଡିଶା ଏବେ ବାହାର ରାଜ୍ୟକୁ ଖାଦ୍ୟ ପଠାଉଛି । ଓଡିଶାରେ ଗରିବି କମିଛି । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ଏକ ମଡେଲ ସାଜିଛି । ନୀବେଶ ବଢିଛି । ମହିଳା ସଶକ୍ତିକରଣରେ ଓଡିଶା ଏକ ଆଗୁଆ ରାଜ୍ୟ ହୋଇପାରିଛି । ଓଡିଶା ସ୍ପୋର୍ଟସ କ୍ୟାପିଟାଲର ପରିଚୟ ପାଇପାରିଛି । ଓଡିଶାବାସୀଙ୍କ ଭଲପାଇବା ଓ କର୍ମୀମାନଙ୍କ ପରିଶ୍ରମ ଯୋଗୁଁ ବିଜେଡି ଆଜି ଏକ ମଜଭୁତ ଆଞ୍ଚଳିକ ଦଳ ଭାବେ ପ୍ରତିଷ୍ଠା ପାଇଛି ।
ପରାଜୟର କାରଣ କହିଲେ ନବୀନ
ସମସ୍ତଙ୍କ ମନରେ ପ୍ରଶ୍ନ ଥିବ ବିଜେଡି କାହିଁକି ହାରିଲା? ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ନବୀନ୍ । ସେ କହିଛନ୍ତି, ଆମେ ହାରିନାହୁଁ । କି ଲୋକଙ୍କ ବିଶ୍ୱାସ ବି ହରାଇ ନାହୁଁ । ବିଜେପି ମିଛ ପ୍ରତିଶ୍ରୁତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ କ୍ଷମତାକୁ ଆସିଛି । ଏତେ ମିଛ କହି ମଧ୍ୟ ବିଜେପି ଆମଠୁ କମ୍ ଭୋଟ୍ ପାଇଛି । ଆମର ଭୁଲ ହେଲା, ବିଜେପି ମିଛକୁ ଆମେ ଠିକ୍ ଭାବେ କାଉଣ୍ଟର କରିପାରିଲୁ ନାହିଁ । ସୋସିଆଲ ମିଡିଆରେ ବିଜେପିର ମିଛ ପ୍ରଚାରକୁ ଆମେ ଠିକ୍ ଭାବେ କାଉଣ୍ଟର କରିପାରିଲୁ ନାହିଁ । ଆଜି ଲୋକେ ଜାଣିଲେଣି ବିଜେପି ମିଛ କଥା କହି କ୍ଷମତା ଦଖଲ କରିଛି ।
ବିଜେପିକୁ ନବୀନଙ୍କ କାଉଣ୍ଟର
ବର୍ତ୍ତମାନର ସରକାର ଲୋକଙ୍କୁ ବଡ ଉପହାର ଦେଇଛନ୍ତି । ତାହା ହେଉଛି ଦରଦାମ୍ ବୃଦ୍ଧି । ଡାଲି, ଚାଉଳଠୁ ନେଇ, ତେଲ ଓ ପିନିପରିବା ବୃଦ୍ଧି ପାଇଛି । ପ୍ରତି ପରିବାର ଆଜି କାନ୍ଦୁଛି । ଧାନ କିଣା ବିକା ନେଇ ଚାଷୀ କାନ୍ଦୁଛି । ମିଶନ ଶକ୍ତି ମାଆ ମାନେ ଦୁଃଖରେ ଅଛନ୍ତି । କିନ୍ତୁ କୁମ୍ଭକର୍ଣ୍ଣ ନିଦରେ ଶୋଇଛି ଏ ସରକାର ।