କନକ ବ୍ୟୁରୋ: ହରିୟାଣାର ଅତିରିକ୍ତ ପୁଲିସ ଡିଜି ୱାଇ. ପୂରନ୍ କୁମାରଙ୍କ ଆତ୍ମହତ୍ୟା ନୂଆମୋଡ଼ ନେଇଛି। ସେ ଆତ୍ମହତ୍ୟା କରିଥିବା ଘରୁ ମିଳିଛି ୮ ପୃଷ୍ଠାର ସୁଇସାଇଡ୍ ନୋଟ୍ । ଏଥିରେ ତାଙ୍କ ଆତ୍ମହତ୍ୟା ପାଇଁ କିଛି ବରିଷ୍ଠ ଅଧିକାରୀଙ୍କୁ ପୂରନ କୁମାର ଦାୟୀ କରିଥିବା ବେଳେ ତାଙ୍କ ପତ୍ନୀ ଆଇପିଏସ୍ ଅଫିସର ଅମନୀତ କୁମାର କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ଏତଲା ଦେଇଛନ୍ତି।

Advertisment

ବରିଷ୍ଠ ଆଇପିଏସ୍ ଅଫିସର, ହରିୟାଣାର ଅତିରିକ୍ତ ପୁଲିସ ଡିଜି ୱାଇ. ପୂରନ୍ କୁମାରଙ୍କ ମୃତଦେହ  ଚଣ୍ଡିଗଡ଼ସ୍ଥିତ ତାଙ୍କ ସରକାରୀ ବାସଭବନରୁ ମଙ୍ଗଳବାର ଅପରାହ୍ଣରେ ମିଳିଥିଲା । ସେ ତାଙ୍କ ସର୍ଭିସ୍ ରିଭରଭଲରେ  ନିଜକୁ ଗୁଳି କରିଥିଲେ। ସେହି ରିଭଲଭର ଜବତ କରାଯାଇଛି । ପୂରନ କୁମାର କାହିଁକି ଆତ୍ମହତ୍ୟା କଲେ? ସେନେଇ ନାନା ସନ୍ଦେହ ସୃଷ୍ଟି ହୋଇଥିଲା। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରୁଥିଲେ। ଆଇପିଏସ୍ ପୂରନ କୁମାରଙ୍କ ୮ ପୃଷ୍ଠାର ସୁଇସାଇଡ୍ ନୋଟ୍ ମିଳିଛି। ଏଥିରେ ପୂରନ କୁମାର ତାଙ୍କ ଆତ୍ମହତ୍ୟା ପାଇଁ ୧୦ ଜଣ ବରିଷ୍ଠ ଓ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ଦାୟୀ କରିଛନ୍ତି। ଏଥିରେ ହରିୟାଣା ପୁଲିସ ଡିଜି ଶତ୍ରୁଜିତ୍ ସିଂହ କପୁର ଓ ରୋହତକ୍ ପୁଲିସ ମୁଖ୍ୟ ନରେନ୍ଦ୍ର ବିର୍ଜାନିଆଙ୍କ ନାଁ ରହିଛି।  

ଜାତିଗତ ଭେଦଭାବ, ମାନସିକ ନିର୍ଯାତନା, ଅପମାନ ଓ ନିର୍ଯାତନା କଥା ସୁଇସାଇଡ୍ ନୋଟରେ ପୂରନ କୁମାର ଉଲ୍ଲେଖ କରିଛନ୍ତି । ପୂରନ କୁମାରଙ୍କ ପତ୍ନୀ ବରିଷ୍ଠ ଆଇଏଏସ୍ ଅଫିସର, ହରିୟାଣା ସରକାରଙ୍କ ବୈଦେଶିକ ସହଯୋଗ ବିଭାଗର କମିସନର ତଥା ସଚିବ ଅମନୀତ କୁମାର ଏହି ପୁଲିସ ଅଫିସରମାନଙ୍କ ନାଁରେ ଏତଲା ଦେଇ ସେମାନଙ୍କୁ ଗିରଫ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆତ୍ମହତ୍ୟା ପାଇଁ ଉସୁକାଇବା ଓ ଏସସି-ଏସଟି ନିର୍ଯାତନା ଅଭିଯୋଗରେ ଏତଲା ଦିଆଯାଇଛି। ପୂରନ କୁମାର ଆତ୍ମହତ୍ୟା କରିଥିବା ମଙ୍ଗଳବାର ପତ୍ନୀ ଅମନୀତ ଜାପାନ ଗସ୍ତରେ ଥିଲେ।  ପୂରନ କୁମାରଙ୍କ ଆତ୍ମହତ୍ୟା ନେଇ ହରିୟାଣାରେ ତମ୍ୱି ତୋଫାନ ଲାଗି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନାୟବ ସାଇନି ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଏବେ ପ୍ରଶାସନର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି।