କନକ ବ୍ୟୁରୋ : ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ବା ଆଇଏମଏଫ୍ ପାକିସ୍ତାନର ଆର୍ଥିକ ସୁଧାର କାର୍ଯ୍ୟକ୍ରମର ପ୍ରଥମ ସମୀକ୍ଷା ସମାପ୍ତ କରିଛି । ଏହାପରେ ଆଇଏମଏଫ ତରଫରୁ ପାକିସ୍ତାନ ପାଇଁ ୧୯ ହଜାର ୫୦୦ କୋଟି ଟଙ୍କାର ଋଣ ମଞ୍ଜୁର କରିଛନ୍ତି । ଏବଂ ତୁରନ୍ତ ୮ ହଜାର ୫୦୦ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି । ଭାରତ ଏହାକୁ କଡ଼ା ବିରୋଧ କରିଛି ।
ଭାରତୀୟ ଅର୍ଥ ମନ୍ତ୍ରଣାଳୟ ପାକିସ୍ତାନକୁ ବାରମ୍ବାର ଆଇଏମଏଫର ଆର୍ଥିକ ସହାୟତାକୁ ନେଇ ଚିନ୍ତା ପ୍ରକଟ କରିଛି । ଏହାକୁ ନେଇ ଭାରତ ସରକାର ପ୍ରଶ୍ନ ଉଠାଇଛନ୍ତି । ଭାରତ କହିଛି କି, ପାକିସ୍ତାନ ଋଣ ଟଙ୍କାରେ ସୀମାପାର ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛି । ପାକିସ୍ତାନର ଅର୍ଥନୀତି ଉପରେ ସେନାର ନିଷ୍ପତ୍ତି ରହିଛି ।
ପାକିସ୍ତାନର ଅର୍ଥନୀତି ଏବେ ଇତିହାସର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି । ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ପାକିସ୍ତାନର ବିଦେଶୀ ମୁଦ୍ରାଭଣ୍ଡାର ୧୫.୨୫ ବିଲିୟନ ଡଲାର ଥିଲା, ଏହାସହ ୨୦୨୩ ମସିହାରେ ଦେବାଳିଆରୁ ରକ୍ଷା କରିବାକୁ ପାକିସ୍ତାନକୁ ୩ ବିଲିୟନ ଡଲାରର ଜରୁରୀକାଳୀନ ପ୍ୟାକେଜ ପ୍ରଦାନ କରାଯାଇଥିଲା । ସେହି ସମୟରେ ପାକିସ୍ତାନର ମହଙ୍ଗା ଦର ୩୫ ପ୍ରତିଶତ ପାର କରିଥିଲା ।
ପାକିସ୍ତାନର ଅର୍ଥନୈତିକ ସ୍ଥିତି କାହାକୁ ଅଛପା ନାହିଁ । ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ପାକିସ୍ତାନର ବିଦେଶୀ ମୁଦ୍ରାଭଣ୍ଡାର ୧୫.୨୫ ବିଲିୟନ ଡଲାର ଥିଲା । ଯାହାକି ଋଣ ପରିଶୋଧ କରିବାକୁ ପର୍ଯ୍ୟାପ୍ତ ନୁହେଁ । ଆଇଏମଏଫ ତରଫରୁ ପାକିସ୍ତାନ ଅର୍ଥନୀତିର ସୁଧାର ପାଇଁ ଏହି ଋଣ ପ୍ରଦାନ କରାଯାଇଛି । ଆଇଏମଏଫ କହିଛି କି, ଏହି ଟଙ୍କାରେ ପାକିସ୍ତାନ ବିଦେଶୀ ମୁଦ୍ରାଭଣ୍ଡାର ମଜବୁଦ କରିବ, ଋଣ ପରିଶୋଧ କରିବ, ଓ ଅତ୍ୟାବଶକ ସାମଗ୍ରୀ କିଣିବା କାମରେ ଲଗାଇବ ।
ଆଇଏମଏଫ୍ ଋଣ ଦେବା ବେଳେ ପାକିସ୍ତାନ ସହ କିଛି ଚୁକ୍ତି କରିଛି । ଏଥିରେ ପ୍ରଥମ ହେଉଛି ପାକିସ୍ତାନକୁ ନିଜର ଆର୍ଥିକ ସ୍ଥିତିରେ ସୂୁଧାର ଆଣିବାକୁ ପଡିବ । ଏହାସହ ଦେଶର ନାଗରିକଙ୍କ ଠାରୁ ଅଧିକ କର ଆଦାୟ କରିବ ।
ସେପଟେ ପାକିସ୍ତାନକୁ ଆଇଏମଏଫ ଋଣ ପ୍ରସଙ୍ଗରେ ଭାରତ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ଭୋଟିଂରେ ଭାଗ ନେଇନାହିଁ । ଭାରତ ଏହି ଭୋଟିଂରେ ଭାଗ ନନେଇ ସାରା ବିଶ୍ୱକୁ ଏକ ବଡ଼ ସଂକେତ ଦେଇଛି । ଭାରତ କହିଛି କି, ଆତଙ୍କାଦୀଙ୍କ ଦେଶକୁ ଋଣ ଦେବାର ଅର୍ଥ ହେଉଛି ଏହି ଟଙ୍କାକୁ ସେମାନେ ଆତଙ୍କବାଦ ବୃଦ୍ଧି କରିବା କାମରେ ଲଗାଇବେ । ଭାରତ କହିଛି କି, ଏଭଳି ସହାୟତା ବିଶ୍ୱସ୍ତରୀୟ ନିୟମ ଓ ମୂଲ୍ୟକୁ ଅଣଦେଖା କରିବା । ଭାରତ ଆଇଏମଏଫକୁ କହିଛି କି, ପାକିସ୍ତାନକୁ ଦିଆଯାଇଥିବା ଅର୍ଥ ଉପରେ ସମୀକ୍ଷା କରାଯାଉ ଓ ଏହା ନିଶ୍ଚିତ କରାଯାଉ କି, ଏହି ଟଙ୍କା ଭୁଲ ବାଟରେ ପାକିସ୍ତାନ ଖର୍ଚ୍ଚ କରୁଛି କି ?