କନକ ବ୍ୟୁରୋ: ୨୦୧୯ରେ ସମଗ୍ର ବିଶ୍ୱକୁ ଥରାଇ ଦେଇଥିଲା କରୋନା ଭାଇରସ୍‌ । ସାରା ବିଶ୍ୱରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା । ଲକଡାଉନ୍, ସଟଡାଉନ୍, କ୍ୱାରେଣ୍ଟାଇନ୍ ଭଳି ଶବ୍ଦ ଯାହା ଆମେ କେବେ ଜାଣିନଥିଲୁ ତାହା ଆମ ପାଇଁ ନିତିଦିନିଆ ହୋଇଯାଇଥିଲା । ୨ ବର୍ଷ ଧରି ଏହି ରୋଗ ସମସ୍ତଙ୍କୁ ନାକରେ ପାଣି ପିଆଇଥିଲା । ଆଉ ଏବେ ପୁଣି ଦୁଇ ବର୍ଷ ପରେ ଏହି ଭାଇରସ୍‌ କିଛି ସ୍ଥାନକୁ ଫେରି ଆସିଛି । ଏହାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠୁଛି କ’ଣ ଭାଇରସ୍‌ର କେବେ ମୃତ୍ୟୁ ହୁଏ ନାହିଁ ? ଅଚାନକ ୨ ବର୍ଷ ପରେ କାହିଁକି ଫେରିଲା କରୋନା ? 

Advertisment

ଭାଇରସ୍‌ ମରେ ନା ମରେନି ?

ଭାଇରସ୍‌ ଏକ ଜୀବିତ ପ୍ରାଣୀ ନୁହେଁ କିନ୍ତୁ ସେ ମଣିଷ, ପ୍ରାଣୀ କିମ୍ବା ଉଦ୍ଭିଦର କୋଷ ଭିତରେ ରହି ସେମାନଙ୍କର ସଂଖ୍ୟା ବୃଦ୍ଧି କରନ୍ତି । ଜୀବିତ ରହିବାକୁ ଯଦି ଭାଇରସ୍‌କୁ କୌଣସି ବାହକ ବା (ହୋଷ୍ଟ୍) ନ ମିଳେ ତେବେ ସେ ନିଷ୍କ୍ରିୟ ହୋଇଯାଏ ବା ମରିଯାଏ । କିନ୍ତୁ କିଛି ଭାଇରସ୍‌ ଯେପରିକି କରୋନା, ଆମ ପରିବେଶ ମଧ୍ୟରେ କିଛି ସମୟ ପାଇଁ ଜୀବିତ ରହିପାରେ ଏହା ସହ ଯଦି କୌଣସି ମଣିଷ ଶରୀରରେ ବ୍ୟାପେ ତେବେ ସହଜରେ ମରିନଥାଏ । 

କାହିଁକି ପୁଣି ଫେରିଲା କରୋନା ?

ବିଗତ କିଛି ଦିନ ଧରି ହଂକଂ, ସିଙ୍ଗାପୁର ଏବଂ ଭାରତ ଭଳି ଦେଶରେ କୋଭିଡ୍‌ ମାମଲା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଯେତେବେଳେ ଏହା କମିବାକୁ ଲାଗୁଛି ଲୋକମାନେ ମାସ୍କ, ସାନିଟାଇଜର୍‌ ଏବଂ ଅନ୍ୟାନ୍ୟ ନିୟମଗୁଡ଼ିକ ଭୁଲିଯାଉଛନ୍ତି । ଯାହା ଦ୍ୱାରା ଭାଇରସ୍‌ ପୁଣି ଥରେ ବ୍ୟାପିବାରେ ଲାଗୁଛି । ଦିଲ୍ଲୀ, ମୁମ୍ବାଇ ଭଳି ସହରରେ ତୀବ୍ର ଗତିରେ ବ୍ୟାପୁଛି ଏହି ଭାଇରସ୍‌ । ଥଣ୍ଡା ପାଗ କିମ୍ବା ବର୍ଷା.. ଭାଇରସ ବ୍ୟାପିବାରେ ସହାୟକ ହୁଏ । ଏହା ସହିତ ଲୋକମାନେ ଯେତେବେଳେ ଛୁଟିଦିନରେ ଅଧିକ ଯାତ୍ରା କରନ୍ତି ଭାଇରସ୍‌ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପିଥାଏ । 

କରୋନା ଭାଇରସ୍‌ ସମୟ ସହିତ ବଦଳିଥାଏ । ଏହା ମ୍ୟୁଟେସନ୍‌ ମାଧ୍ୟମରେ ନୂଆ ରୂପ ସୃଷ୍ଟି କରେ । ଏପରିକି NB.1.8.1 ଏବଂ LF.7 ପୁରୁଣା ଭ୍ୟାକ୍‌ସିନ୍‌ର ପ୍ରଭାବକୁ ମଧ୍ୟ ହ୍ରାସ କରିପାରେ । ଭ୍ୟାକ୍ସିନ୍‌ କିମ୍ବା ପୂର୍ବରୁ ହୋଇଥିବା ସଂକ୍ରମଣ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ସମୟ ସହିତ ଦୁର୍ବଳ ହୋଇପାରେ । ବିଶେଷକରି ବୟସ୍କମାନେ, ଯେଉଁମାନେ ବୁଷ୍ଟର ଡୋଜ୍ ନେଇନାହାନ୍ତି, ସେମାନେ ଭାଇରସ୍‌ ସହିତ ଲଢ଼ିବା ପାଇଁ ସକ୍ଷମ ନୁହନ୍ତି । ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ । ସିଙ୍ଗାପୁରର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ବୁଷ୍ଟର ଡୋଜ୍ ନେଇଥିବା ଲୋକଙ୍କ ସଂଖ୍ୟା କମ୍ ହୋଇଥିବାରୁ ଏହି ମାମଲା ବୃଦ୍ଧି ପାଉଛି ।

ଚଳିତ ବର୍ଷ ବ୍ୟାପୁଥିବା ନୂଆ ଭ୍ୟାରିଆଣ୍ଟ୍ ମୁଖ୍ୟତଃ ଜ୍ୱର, କାଶ କିମ୍ବା ଥଣ୍ଡା ଭଳି ହାଲୁକା ଲକ୍ଷଣ ଦେଖାଉଛି । ଭାରତରେ ଚିହ୍ନଟ ହୋଇଥିବା ନୂଆ କୋଭିଡ୍‌ ଆକ୍ରାନ୍ତଙ୍କ ମଧ୍ୟରେ ଅସୁସ୍ଥତାର ଲକ୍ଷଣ କମ୍ ଅଛି । ଅଧିକାଂଶ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା ନାହିଁ । ତଥାପି ଏହା ସ୍ଲୋ ପଏଜନ୍‌ ପରି ଶରୀରରେ ରହି ରହି ଜୀବନ ମଧ୍ୟ ନେଇଯାଉଛି । ସେଥିପାଇଁ ସତର୍କ ରହିବା ନିହାତି ଆବଶ୍ୟକ ।