କନକ ବ୍ୟୁରୋ: ଭାରତର ଅପରେସନ ସିନ୍ଦୂର ସମୟରେ ଚୀନ ପାକିସ୍ତାନକୁ ସାହାଯ୍ୟ କରିଥିଲା କି ନାହିଁ? ଏହି ପ୍ରଶ୍ନରେ ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ ଏକ ସ୍ପଷ୍ଟ ମନ୍ତବ୍ୟ ଦେଇଛନ୍ତି । ମାଓ ନିଙ୍ଗ କହିଛନ୍ତି, ଚୀନ୍ ଓ ପାକିସ୍ତାନ ପାରମ୍ପରିକ ଭାବେ ଘନିଷ୍ଠ ପଡ଼ୋଶୀ । ଚୀନ୍-ପାକିସ୍ତାନ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ସାଧାରଣ ବିଷୟ ।
ମୁଖପାତ୍ର ମାଓ ସିଧାସଳଖ ପାକିସ୍ତାନକୁ ସାମରିକ ସାହାଯ୍ୟ ଦେବା ଅସ୍ୱୀକାର କରିନାହାନ୍ତି, କିନ୍ତୁ ଏହା ମଧ୍ୟ କହିଛନ୍ତି ଯେ ଏହି ସହଯୋଗ କୌଣସି ତୃତୀୟ ଦେଶକୁ ଟାର୍ଗେଟ୍ କରୁନାହିଁ । ମୁଁ ଜାଣିନାହିଁ ଏହି ଅଭିଯୋଗ କିପରି ଆସିଲା । ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ମତ ଥାଇପାରେ ବୋଲି ମାଓ କହିଛନ୍ତି । ଅପରେସନ ସିନ୍ଦୂର ଭାରତ ଓ ପାକିସ୍ତାନ ମଧ୍ୟରେ ଚାରି ଦିନର ସାମରିକ ସଂଘର୍ଷ ଥିଲା, ଯାହା ୨୨ ଏପ୍ରିଲ ୨୦୨୫ରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଆରମ୍ଭ ହୋଇଥିଲା । ଭାରତ ଏହାର ଜବାବରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଠିକଣା ଉପରେ ଆକ୍ରମଣ କରିଥିଲା ।
କିଛି ଦିନ ତଳେ ଭାରତୀୟ ସେନାର ଡେପୁଟି ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ ରାହୁଲ ଆର ସିଂହ କହିଥିଲେ, ଚୀନ ପାକିସ୍ତାନକୁ ସେନା ଗତିବିଧିର ରିଅଲ-ଟାଇମ ସୂଚନା, ଉନ୍ନତ ଅସ୍ତ୍ରଶସ୍ତ୍ର ଓ ରଣନୀତିକ ସାହାଯ୍ୟ ପ୍ରଦାନ କରିଥିଲା । ଫିକ୍କିର କାର୍ଯ୍ୟକ୍ରମରେ ରାହୁଲ ଆର ସିଂହ କହିଛନ୍ତି, ଚୀନ ନିଜ ଅସ୍ତ୍ରଶସ୍ତ୍ରକୁ ଏକ ଲାଇଭ ଲ୍ୟାବ ଭାବେ ପରୀକ୍ଷା କରୁଥିଲା । ସେପଟେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଜୁନ ୨୭, ୨୦୨୫ରେ ଏକ ସାକ୍ଷାତକାରରେ ଚୀନର ସାହାଯ୍ୟ କଥାକୁ ସ୍ୱୀକାର କରିସାରିଛନ୍ତି । କିନ୍ତୁ ଜୁଲାଇ ୭ରେ ଖ୍ବାଜା ଆସିଫ୍ ଭାରତର ଅଭିଯୋଗକୁ ଆଧାରହୀନ ବୋଲି ଖାରଜ କରିଥିଲେ । ମାଓ ନିଙ୍ଗ ଆହୁରି କହିଛନ୍ତି, ଚୀନ-ଭାରତ ସମ୍ପର୍କ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ଓ ବିକାଶ ପର୍ୟ୍ୟାୟରେ ରହିଛି । ଚୀନ ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତିପୂର୍ଣ୍ଣ ଆଲୋଚନାକୁ ସମର୍ଥନ କରୁଛି ଏବଂ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପାଇଁ ଏକ ନିର୍ମାଣାତ୍ମକ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ବୈଦେଶିକ ମୁଖପାତ୍ର ମାଓ କହିଛନ୍ତି ।