କନକ ବ୍ୟୁରୋ: ମହାଦେବଙ୍କ ଉପରେ ବଜ୍ର ପ୍ରହାର । ଭଗବାନ ଶିବଙ୍କ ଉପରେ ଆକାଶରୁ ହେଉଛି ବଜ୍ରାଘାତ । ଖଣ୍ଡବିଖଣ୍ଡିତ ହେଉଛି ଲିଙ୍ଗ । ଏ କଥା ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ କାରଣ ସ୍ବୟଂ ଦେବ ଦେବ ମହାଦେବଙ୍କ ଉପରେ ପୁଣି ବଜ୍ରପ୍ରହାର । ଏ ପ୍ରହାରକୁ ସମ୍ଭାଳି ନପାରି ବିଖଣ୍ଡିତ ହେଉଛନ୍ତି ପ୍ରଭୁ । ପ୍ରତି ୧୨ ବର୍ଷରେ ଆକାଶରୁ ଲିଙ୍ଗ ଉପରେ ପଡିଥାଏ ବିଜୁଳି । ଯାହା ଦ୍ବାରା ମନ୍ଦିର ଭିତରେ ସ୍ଥାପିତ ହୋଇଥିବା ଲିଙ୍ଗ ଖଣ୍ଡବିଖଣ୍ଡିତ ହୋଇଯାଇଥାଏ । ଏହା ପରେ ଭାଙ୍ଗି ଯାଇଥିବା ଲିଙ୍ଗକୁ ମଖନ ଏବଂ କିଛି ଅନ୍ୟାନ୍ୟ ସାମଗ୍ରୀ ସହିତ ଯୋଡା ଯାଇଥାଏ । ଭଗବାନ ଶିବଙ୍କ ଏହି ମନ୍ଦିର ହିମାଚଳର କୁଲ୍ଲୁରେ ଅବସ୍ଥିତ । ମନ୍ଦିରଟି ବିଜୁଳି ମହାଦେବ ମନ୍ଦିର ନାମରେ ପରିଚିତ । ଏହି ମନ୍ଦିରକୁ ବହୁ ପ୍ରାଚୀନ ମନ୍ଦିର ବୋଲି ବିବେଚନା କରାଯାଇଥାଏ । କିନ୍ତୁ କାହିଁକି ଏହି ମନ୍ଦିର ଉପରେ ବଜ୍ରପାତ ? କଣ ରହିଛି ରହସ୍ୟ ? ଆସନ୍ତୁ ଜାଣିବା ଏହାର ଗୁଢ଼ ରହସ୍ୟ ବିଷୟରେ ।
ସ୍ଥାନୀୟ ଲୋକଙ୍କ କହିବାନୁସାରେ ବିଜୁଳି ମହାଦେବ ମନ୍ଦିରର ସମ୍ପର୍କ କୁଲାନ୍ତ ନାମକ ଏକ ରାକ୍ଷସ ସହ ଜଡିତ ବୋଲି କୁହାଯାଉଛି । ପୁରାଣରେ ଲେଖା ହୋଇଛି ଥରେ କୁଲାନ୍ତ ରାକ୍ଷସ ଅଜଗର ସର୍ପ ରୂପ ଧାରଣ କରି ନାଗାଧାର ଦେଇ ମଥାନା ଗାଁରେ ପହଞ୍ଚିଥିଲା । ଗାଁ ନିକଟରେ ବହି ଚାଲିଥିବା ବ୍ୟାସ ନଦୀକୁ ବନ୍ଦ କରିଦେଲା । ଯେଉଁଥିପାଇଁ ସେଠାକାର ଜୀବଜନ୍ତୁ ବ୍ୟାସ ନଦୀର ପାଣିରେ ବୁଡ଼ି ମରିବାରେ ଲାଗିଲେ । ଭଗବାନ ଶଙ୍କର ଯେତେବେଳେ ଏହା ଜାଣିଲେ ସେ ରାକ୍ଷସ କୁଲାନ୍ତ ନିକଟରେ ପହଞ୍ଚିଲେ ଆଉ ତାକୁ କହିଲେ ତୋ ଲାଙ୍ଗୁରରେ ନିଆଁ ଲାଗିଯାଇଛି ।
ଏହା ଶୁଣି ରାକ୍ଷସ ଯେତେବେଳେ ତା ଲାଞ୍ଜକୁ ବୁଲି ଅନାଇଲା ସେହି ସମୟରେ ମହାଦେବ ତାଙ୍କ ତ୍ରୀଶୁଳରେ ରାକ୍ଷସର ବଦ୍ଧ କରିଦେଇଥିଲେ । କୁହାଯାଏ ମରିବା ପରେ ରାକ୍ଷସର ସମ୍ପୂର୍ଣ୍ଣ ଶରୀର ଏକ ବିଶାଳ ପର୍ବତରେ ପରିଣତ ହୋଇଯାଇଥିଲା । ସେହି ସ୍ଥାନରେ ମହାଦେବ ଲିଙ୍ଗ ଭାବେ ଆବିର୍ଭାବ ହୋଇଥିଲେ । କୁଲାଙ୍ଗ ରାକ୍ଷସକୁ ମାରିବା ପରେ ଭଗବାନ ଶିବ ଇନ୍ଦ୍ରଙ୍କୁ କହିଥିଲେ ୧୨ ବର୍ଷକୁ ଥରେ ଉକ୍ତ ସ୍ଥାନରେ ବଜ୍ରପାତ କରିବାକୁ । କୁହାଯାଏ ଏହି କାରଣରୁ ୧୨ ବର୍ଷକୁ ଥରେ ଏହିଠାରେ ଆକାଶରୁ ବିଜୁଳି ପଡିଥାଏ ଆଉ ଶିବ ଲିଙ୍ଗକୁ ଖଣ୍ଡବିଖଣ୍ଡିତ କରିଥାଏ ।
ତେବେ ବର୍ତ୍ତମାନ ଏହି ମନ୍ଦିରର ଦ୍ବାର ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ମନ୍ଦିର ସମିତି ପକ୍ଷରୁ କୁହାଯାଇଛି, ମନ୍ଦିରରେ କିଛି କାମ ଚାଲିଛି । କିନ୍ତୁ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, କିଛି ଦିନ ପୂର୍ବରୁ ମନ୍ଦିର ଉପରେ ବିଜୁଳି ପଡି ଖଣ୍ଡବିଖଣ୍ଡିତ ହୋଇପଡିଥିଲା ଲିଙ୍ଗ । ଏହି କାରଣରୁ ମନ୍ଦିରର କପାଟ ବନ୍ଦ କରି ଦିଆଯାଇଛି । ତେବେ ଏହାର ସତ୍ୟତା କେତେ ତାହା ଏପର୍ଯ୍ୟନ୍ତ ଜଣାନାହିଁ । ଏହି ରହସ୍ୟମୟୀ ମନ୍ଦିରକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।