କନକ ବ୍ୟୁରୋ : ଭାରତର ବିଦେଶମନ୍ତ୍ରୀ ଏସ୍ ଜୟଶଂକର ଏବେ ଚୀନ ଗସ୍ତରେ ଅଛନ୍ତି । ସେ ଚୀନର ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ସହ ମଧ୍ୟ ଭେଟ କରିଛନ୍ତି । ଏହି କ୍ରମରେ ଚୀନ ଓ ଭାରତ ତରଫରୁ ଏକ ସଂଯୁକ୍ତ ବୟାନ ଜାରି କରାଯାଇଛି । ଏଥିରେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କର ସୁଧାର ହୋଇଥିବା କୁହାଯାଉଛି । ବିଦେଶମନ୍ତ୍ରୀଙ୍କ ଏହି ବୟାନକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ଏଥିରେ ଚୀନ ସାମ୍ନାରେ ଭାରତ ଦୁର୍ବଳ ବୋଲି ବିରୋଧୀ କହିଛନ୍ତି । ଏହାକୁ ନେଇ ଏବେ ପ୍ରଶ୍ନ ଉଠୁଛି କି, ଚୀନ ସହ ଭାରତର ସର୍ମ୍ପକ ଜରୁରୀ ନା ବାଧ୍ୟବାଧକତା । ଭାରତ ପାଖରେ କ'ଣ ଦୁର୍ବଳତା ରହିଛି ଯାହା ଚୀନ ସହ ଯୋଡି ହେବାକୁ ବାଧ୍ୟ କରୁଛି ଓ ସରକାର ଏହାର ନିଷ୍କର୍ସ କିଭଳି ବାହାର କରିବେ ।
ସର୍ବପ୍ରଥମେ ଜାଣିବା ଭାରତ ସହ କାହିଁକି ଚୀନର ସମ୍ପର୍କ ଖରାପ ରହିଛି । ଏନେଇ ଅନେକ ଥର ପ୍ରଶ୍ନ ଉଠିଛି । ଚୀନ ସର୍ବଦା ବିସ୍ତାରବାଦୀ ନୀତି ଆପଣାଉଛି । ଭାରତ ସହ ଚୀନର ଦୁଇ ଦୁଇଥର ଯୁଦ୍ଧ ଏହା ପ୍ରମାଣ କରିଛି । କିଛିବର୍ଷ ତଳେ ଗଲୱାନ ଘାଟିରେ ଉଭୟ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଭାରତ ପକ୍ଷରୁ ୨୦ ଜଣ ସୈନିକ ସହିଦ ହୋଇଥିଲେ । ଏଭଳି ପରିସ୍ଥିତିରେ ବି ଭାରତ ଚୀନ ସହ ବିଭିନ୍ନ ପ୍ରସଙ୍ଗରେ ବାରମ୍ବାର ଆଲୋଚନା ଜାରି ରଖିଛି ।
ଭାରତ ପାଇଁ ଚୀନ ସହ ବନ୍ଧୁତା କରିବାରେ ବାଧ୍ୟବାଧକତା କମ୍ ଆବଶ୍ୟକତା ଅଧିକ ରହିଛି । ଯେଉଁ କାରଣରୁ ବିଭିନ୍ନ ପ୍ରସଙ୍ଗରେ ଚୀନ ଭାରତକୁ ବିରୋଧ କରୁଥିବା ବେଳେ ଭାରତ ବନ୍ଧୁତାର ହାତ ବଢ଼ାଉଛି । ଚୀନ ଏବେ ବିଶ୍ୱର ଦ୍ୱିତୀୟ ମହାଶକ୍ତି । ବାଣିଜ୍ୟ କ୍ଷେତ୍ରରେ ସାରା ବିଶ୍ୱରେ ଚୀନ ସବୁଠାରୁ ଆଗରେ ରହିଛି । ଚୀନ ସହ ଆମର ବନ୍ଧୁତା ହୋଇପାରେ କି ନହୋଇପାରେ ହେଲେ ଚୀନ ଆମର ପଡ଼ୋଶୀ । ଆର୍ଥିକ ଓ ସାମରିକ ବିଶେଷଜ୍ଞଙ୍କ କହିବା କଥା ହେଉଛି ଚୀନ ସହ ଶତ୍ରୁତା ବଦଳରେ ବନ୍ଧୁତା କରାଯାଇପାରିଲେ ଭାରତ ଲାଭରେ ରହିବ । ତେଣୁ ସଂପର୍କ ସୁଧାରିବାରେ ଭାରତ ପ୍ରଥମେ ହାତ ବଢାଇବାର ଆବଶ୍ୟକତା ରହିଛି ।
ଏକଥା ସତ ଯେ ଚୀନ ଏବେ ସାରା ବିଶ୍ୱର ଶିଳ୍ପ ପାଲଟିଛି । ପ୍ରଥମେ ଚୀନ କେବଳ ପୂର୍ବ ଏସିଆର ବାଦଶାହ ଥିଲା, ଏବେ କିନ୍ତୁ ଦକ୍ଷିଣ ଏସିଆରେ ବି ଚୀନ ତାର ଶକ୍ତି ବୃଦ୍ଧି କରିପାରିଛି । ଭାରତ ଓ ଚୀନ ଏଭଳି ଦୁଇଦେଶ ଯେଉଁ ଦୁଇଦେଶରେ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଓ ଏହା ଦୁଇଦେଶର ପ୍ରମୁଖ ଶକ୍ତି । ଭାରତ ସରକାର ମେକ୍ ଇଣ୍ଡିଆ ଅଭିଯାନ ମାଧ୍ୟମରେ ନିଜର ଆମଦାନୀ କମ୍ କରୁଛି ଓ ବିଶ୍ୱର ଦ୍ୱିତୀୟ ଶିଳ୍ପ ହେବାକୁ ପ୍ରୟାସ କରୁଛି । ଏହି କଥା ଚୀନ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ଆଗାମୀ ଦିନରେ ବାଣିଜ୍ୟ କ୍ଷେତ୍ରରେ ଚୀନକୁ ଭାରତ ଟକ୍କର ଦେଇପାରେ ବୋଲି ଚୀନ ଅନୁମାନ କରୁଛି ।
ଭାରତ ବିରୋଧରେ କି ଯୋଜନା କରୁଛି ଚୀନ ?
ଚୀନ ତରଫରୁ ଭାରତର ଆର୍ଥିକ ଓ ସାମରିକ କ୍ଷେତ୍ରରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି । ଚୀନ ଭାରତ ବିରୋଧରେ ବାରମ୍ବାର ପାକିସ୍ତାନକୁ ସମର୍ଥନ କରିଆସୁଛି । କିଛିଦିନ ତଳେ ଅପରେଶନ ସିନ୍ଦୂର କ୍ରମରେ ଚୀନ ପାକିସ୍ତାନକୁ ଅସ୍ତ୍ର ଶସ୍ତ୍ର ଯୋଗାଇଥିଲା । କେବଳ ସେତିକି ନୁହେଁ ଭାରତର ବ୍ୟବସାୟକୁ ପ୍ରଭାବିତ କରିବାକୁ ଚୀନ ରେଅର ଅର୍ଥ ଭଳି କିଛି ଜରୁରୀ ସାମଗ୍ରୀକୁ ଭାରତକୁ ରପ୍ତାନୀ କରିବା ବନ୍ଦ କରିଦେଇଥିଲା । ଫଳରେ ଭାରତରେ ଅଟୋ, ସୋଲା ସହିତ ଅନେକ ସେକ୍ଟରରେ ବ୍ୟବସାୟ ପ୍ରଭାବିତ ହୋଇଛି । ଚୀନର ଏକମାତ୍ର ଲକ୍ଷ୍ୟ ହେଉଛି ଭାରତର ବ୍ୟବସାୟକୁ ପ୍ରଭାବିତ କରିବା ।
ଚୀନର ବିକଳ୍ପ କ'ଣ ?
ଭାରତ ସେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଚୀନର ହାତ ଛାଡିପାରିବ ନାହିଁ ଯେପର୍ଯ୍ୟନ୍ତ ଭାରତ ପାଖରେ କୌଣସି ବିକଳ୍ପ ନାହିଁ । ଯଦି ବ୍ୟବସାୟ କଥା କହିବା ତେବେ ଭାରତକୁ ପ୍ରତିବର୍ଷ ୧୦୦ ଆରବ ଡଲାରରୁ ଅଧିକ କ୍ଷତି ହେଉଛି । ଯାହା କି ବିଶ୍ୱର ଅନ୍ୟ ଦେଶ ସହ ହେଉଥିବା ବ୍ୟବସାୟ କ୍ଷତି ତୁଳନାରେ ବହୁତ ଅଧିକ । ଶତ୍ରୁତା ଯେତେ ବଡ଼ ହେଉନାକାହିଁକି ସତ ଏହାକି ଭାରତ ଆଜି ବି ଆମଦାନୀ ମାମଲାରେ ସବୁଠାରୁ ଅଧିକ ନିର୍ଭର ଚୀନ ଉପରେ କରିଥାଏ । ୨୦୨୪-୨୫ ବର୍ଷ ରେ ୧୦୦ ଆରବ ଡଲାରର କ୍ଷତି ଅର୍ଥାତ ଆମେ ଯେତିକି ସାମଗ୍ରୀ ଚୀନକୁ ରପ୍ତାନୀ କରୁଛି ତା ଠାରୁ ୮.୬୦ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଚୀନ ଠାରୁ କିଣୁଛୁ । ତେଣୁ ଏହାକୁ ନେଇ ଚୀନ ବାରମ୍ବାର ବିଭିନ୍ନ ଘଟଣାରେ ଭାରତ ଉପରେ ଚାପ ପକାଉଛି । ଏହି ସ୍ଥିତିରୁ ମୁକୁଳିବାକୁ ହେଲେ ଭାରତକୁ ନିଜର ଉତ୍ପାଦନ ବଢାଇବାକୁ ପଡିବ ଓ ଚୀନ ଉପରେ ନିର୍ଭରତା କମ୍ କରିବାକୁ ପଡିବ ।
କେଉଁଠି ବିକଳ୍ପ ଖୋଜୁଛି ଭାରତ ?
ଏଭଳି ନୁହେଁ କି ଭାରତ ବାଧ୍ୟବାଧକତାକୁ ବୁଝୁନାହିଁ । ଏଥିରୁ ମୁକୁଳିବା ପାଇଁ ଭାରତ ବିଶ୍ୱର ଅନେକ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତି ଆରମ୍ଭ କରିଛି । ଆମେରିକା ଓ ୟୁରୋପ ସହ ଭାରତର ମୁକ୍ତ ବ୍ୟବସାୟ ସଫଳ ହୋଇଛି । ଯାହାକି ଭାରତ ଶିଳ୍ପ ଜଗତ ପାଇଁ ବଡ଼ ସଫଳତା । ଆଜି ବି ଏଭଳି ଅନେକ ସାମଗ୍ରୀ ରହିଛି ଯାହା ପାଇଁ ଭାରତ ଚୀନ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛି । ବିଶେଷ କରି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ମେସିନାରୀ ଭଳି ସାମଗ୍ରୀ ପାଇଁ ଭାରତ ସମ୍ପୂର୍ଣ୍ଣ ଚୀନ ଉପରେ ନିର୍ଭରଶୀଳ । ଏହାର ବିକଳ୍ପ ଯଦି ମିଳିବ ତେବେ ଭାରତ ପାଇଁ ନିଶ୍ଚିନ୍ତ ଲାଭଦାୟକ ହେବ । ସେତେବେଳେ ଯାଇ ଭାରତ ଚୀନକୁ ଖୋଲାଖୋଲି ବିରୋଧ କରିପାରିବ ।