କନକ ବ୍ୟୁରୋ: ବିକାଶ ପାଇଁ ଯୋଜନା ହେଉଛି, କିନ୍ତୁ ବଜେଟ କାହିଁକି ଖର୍ଚ୍ଚ ହେଉନି । ଡବଲ ଇଞ୍ଜିନ ସରକାରରେ ଦୁଇଗୁଣା ବିକାଶର ଆଶା ବାନ୍ଧିଥିବା ଓଡ଼ିଶାବାସୀଙ୍କୁ ନିରାଶ କରିଛି ନୂଆ ସରକାରଙ୍କ ବଜେଟ ଅର୍ଥ ଖର୍ଚ୍ଚ । ମାସକ ପରେ ସରିବ ଚଳିତ ଆର୍ଥିକ ବର୍ଷ। କିନ୍ତୁ ବଜେଟ ଖର୍ଚ୍ଚ ଆଖିଦୃଶିଆ ହୋଇନି । ତେଣୁ ବଜେଟ ଖର୍ଚ୍ଚକୁ ତ୍ବରିତ କରିବାକୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଲୋକଙ୍କ ସରକାର, ଲୋକଙ୍କ ବଜେଟ। କିନ୍ତୁ ଲୋକଙ୍କ ପାଇଁ ଖର୍ଚ୍ଚ ହୋଇପାରୁନି। ନୂଆ ସରକାର ଆସିବାର ୯ ମାସ ବିତିଲାଣି। ଆର୍ଥିକ ବର୍ଷ ଶେଷ ହେବାକୁ ହାତରେ ଆଉ ମାତ୍ର ଗୋଟିଏ ମାସର ସମୟ। କିନ୍ତୁ ଏବେ ସୁଦ୍ଧା ବଜେଟରେ ହୋଇଥିବା ଖର୍ଚ୍ଚ ସରକାରଙ୍କ ଶୀଥିଳତାପଣିଆକୁ ପଦାରେ ପକାଇଛି। କଣ୍ଟ ପୁରିବାକୁ ୩୦ ଦିନ ବାକି ଥିବା ବେଳେ ଏଯାଏଁ ପୂର୍ଣ୍ଣାଙ୍ଗ ବଜେଟ୍ ୨ ଲକ୍ଷ ୬୫ ହଜାର କୋଟିର ୬୨% ଅଥାର୍ତ ୧ ଲକ୍ଷ ୬୩ ହଜାର ୭୨୬ କୋଟି ଖର୍ଚ୍ଚ ହୋଇଛି । ପୂର୍ବ ସରକାରରେ ବଜେଟ୍ ଖର୍ଚ୍ଚ ୮୧% ରହିଥିଲା। ତେଣୁ ବିଭାଗୱାରୀ ଖର୍ଚ୍ଚ ସମୀକ୍ଷା କରି ଏପ୍ରିଲ ପହିଲା ସୁଦ୍ଧା ବଜେଟ ଖର୍ଚ୍ଚ ୮୫% ପ୍ରତିଶତକୁ ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବଜେଟ ଖର୍ଚ୍ଚର ବିଫଳତାକୁ ଲୁଚାଇବାକୁ ଯାଇ ନୂଆ ସରକାରକୁ ଯଥେଷ୍ଟ ସମୟ ମିଳିନଥିବା କହିଛନ୍ତି ବିଜେପି ବିଧାୟକ।
ବିଭାଗୱାରୀ ବଜେଟ ଖର୍ଚ୍ଚରେ କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ସ୍ବାସ୍ଥ୍ୟ, ଜଳସମ୍ପଦ, ପୂର୍ତ୍ତ, ଭିନ୍ନକ୍ଷମ ଓ ସାମାଜିକ ନ୍ୟାୟ ବିଭାଗ, ଯୋଗାଣ, ସମବାୟ ବିଭାଗର ପ୍ରଦର୍ଶନ ଭଲ ରହିଛି । କିନ୍ତୁ ପଞ୍ଚାୟତିରାଜ, କ୍ରୀଡ଼ା, ପର୍ୟ୍ୟଟନ, ମହିଳା ସଶକ୍ତିକରଣ, ଶିଳ୍ପ, ପରିବହନ, ଜଙ୍ଗଲ ଓ ପରିବେଶ, ଉଚ୍ଚଶିକ୍ଷା, ଶକ୍ତି, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବଜେଟ୍ ଖର୍ଚ୍ଚରେ ବେଶ୍ ଦୁର୍ବଳ ରହିଛି । ହେଭିୱେଟ ମନ୍ତ୍ରୀଙ୍କ ହାତରେ ଥିବା ବିଭାଗରେ କମ ଖର୍ଚ୍ଚ ସାଧାରଣ ଲୋକଙ୍କୁ ହତାଶ କରିଛି। ଯାହାକୁ ନେଇ ଘେରିଛି ବିଜେଡି ।
ଏବେ ପ୍ରଶ୍ନ ଉଠୁଛି, ମାତ୍ର ମାସକ ମଧ୍ୟରେ ଏତେ ଟଙ୍କା କେମିତି ଖର୍ଚ୍ଚ କରିବ ବିଭାଗ? କଣ୍ଟ ଭିତରେ ବଜେଟର ୮୫% ଖର୍ଚ୍ଚ ଧାର୍ୟ୍ୟ ପୂରା କରିବା, ବଡ଼ କେଳେଙ୍କାରୀ ପାଇଁ ବାଟ ଖୋଲିବନି ତ?