କନକ ବ୍ୟୁରୋ: ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିଛନ୍ତି ବିଜେଡି ସମେତ ବିଆର୍‌ଏସ୍‌ ଓ ଅକାଳୀ ଦଳ । ହେଲେ ବିଜୁ ଜନତା ଦଳର ନିଷ୍ପତ୍ତିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର । ରାଜନୀତିରେ ଏହି ଲାଭ-କ୍ଷତିର ହିସାବ ଖୋଜା ଚାଲିଛି ଆଉ ବିଜେଡି ଚୁପ୍ ରହିବା ପଛର ସମ୍ଭାବ୍ୟ କାରଣ ମଧ୍ୟ ଖୋଜା ଚାଲିଛି...

Advertisment
  • କାରଣ ୧- ୱାକଫ୍‌କୁ ନେଇ ଦଳ ଭିତରେ ଥିବା ଅସନ୍ତୋଷକୁ ପ୍ରଶମିତ କରିବାକୁ ଉଦ୍ୟମ
  • କାରଣ ୨- ଭୋଟ୍‌ରୁ ଦୂରେଇ ରହିବାରୁ ଏକ ବଡ଼ ଗୋଷ୍ଠୀ ନବୀନଙ୍କ ଉପରେ ଚାପ ପକାଇଲେ
  • କାରଣ ୩- ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ମଧ୍ୟବର୍ତ୍ତୀକାଳୀନ ପନ୍ଥା ବାଛିଲେ ନବୀନ
  • କାରଣ ୪- ସମଦୂରତାର କାର୍ଡ ଖେଳି ଜାତୀୟ ରାଜନୀତିରେ ନିରପେକ୍ଷତାର ବାର୍ତ୍ତା ଦେଲେ

ଏସବୁ ଭିତରେ ବିଜେଡିର ପୂର୍ବତନ ସାଂସଦ ତଥାଗତ ଶତପଥୀ ମାରିଥିବା ବାଣ ଚର୍ଚ୍ଚାର ବିଷୟ ହୋଇଛି । ଅତି କଡ଼ା ଭାଷାରେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ତଥାଗତ । ତଥାଗତଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ଦୂରେଇ ରହି ବିଜେଡି ତାର ରାଜନୈତିକ ଅସ୍ତିତ୍ୱ ହରାଇଛି ।

ଏଥିସହ ବିଜେଡିର ନିଷ୍ପତ୍ତିକୁ ନେଇ ତେଜିଛି ରାଜନୈତିକ ବୟାନବାଜି । ନବୀନ ନିରବ ରହିବା ଫଳରେ ଏନ୍‌ଡିଏକୁ ଲାଭ ହୋଇଥିବା ବିଜେପି କହିଛି । ହେଲେ ଓଡ଼ିଶାର ଲୋକେ ବିଜେପିକୁ ବିଜେଡି ଭୋଟ୍‌ ନଦେଉ ବୋଲି ଚାହୁଥିଲେ । ନବୀନ ତାକୁ ପୂରଣ କରିଥିବା କହିଛନ୍ତି ବିଜେଡି ନେତା । ଜାଣିରଖିବା ଉଚିତ ଯେ, ୨୦୧୯ ନିର୍ବାଚନ ପରେ ବାରମ୍ବାର ଏନ୍‌ଡିଏକୁ ଅଯାଚିତ ସମର୍ଥନ ଦେଇ ଆସୁଥିଲା ବିଜେଡି । ଏବେ ନିରବ ରହିବା ଅର୍ଥ ମଧ୍ୟ ପରୋକ୍ଷରେ ବିଜେପିକୁ ସମର୍ଥନ ବୋଲି ଆକଳନ କରୁଛନ୍ତି ରାଜନୀତି ପଣ୍ଡିତ ।