କନକବ୍ୟୁରୋ : ଚଳିତବର୍ଷ ରଥଟଣାରେ ଅହେତୁକ ବିଳମ୍ବ ।  କୌଣସି ଗୋଟିଏ ବି ରଥ ଗୁଣ୍ଡିଚା ମନ୍ଦିରରେ ଲାଗି ପାରିନାହିଁ ।  ଆଜି ଅଳ୍ପ କିଛି ବାଟ ଗଡ଼ି ସିଂହଦ୍ବାର ସମ୍ମୁଖରେ ଅଟକି ରହିଛି ନନ୍ଦିଘୋଷ ରଥ ।  ବଳଭଦ୍ରଙ୍କ ତାଳଧ୍ବଜ ରଥ ବଳଗଣ୍ଡି ଛକରେ ଅଟକି ଥିବା ବେଳେ ଦେବୀ ସୁଭଦ୍ରାଙ୍କ ରଥ ମାର୍କେଟ ଛକ ନିକଟରେ ଅଟକି ରହିଛି  ।  ଆସନ୍ତାକାଲି ସକାଳେ ପୁଣି ହେବ ରଥଟଣା ।  ସକାଳ ସାଢେ ୯ଟାରେ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।

Advertisment

ଭାବ ଭକ୍ତିମୟ ପରିବେଶ ଭିତରେ ଉଛୁଳୁଛି ବଡ଼ଦାଣ୍ଡ । ଲକ୍ଷ ଲକ୍ଷ ଭକ୍ତ ବଡ଼ଦାଣ୍ଡରେ ରଥାରୁଢ ଠାକୁରଙ୍କୁ ଦର୍ଶନ କରୁଛନ୍ତି । ଆଜି ନିର୍ଦ୍ଧାରିତ ସମୟଠୁ ସାମାନ୍ୟ ବିଳମ୍ବରେ ସମସ୍ତ ନୀତିକାନ୍ତି ହୋଇଥିଲା ।  ପହଣ୍ଡି, ଅନ୍ୟାନ୍ୟ ନୀତିକାନ୍ତି ଓ ଗଜପତି ସୁନା ଖଡ଼ିକାରେ ଛେରାପହଁରା କରିବା ପରେ ରଥ ଟଣା ଆରମ୍ଭ ହୋଇଥିଲା ।  ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିଥିଲା ।

 ଏହାପରେ ମା’ ସୁଭଦ୍ରା ଓ ସବା ଶେଷରେ ଗଡ଼ିଥିଲା ନନ୍ଦିଘୋଷ ରଥ ।  ତେବେ ଅଳ୍ପ କିଛି ଗଡ଼ି ସିଂହଦ୍ବାର ନିକଟରେ ଅଟକିଛି କାଳିଆର ନନ୍ଦିଘୋଷ ରଥ । ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ଜନସମୁଦ୍ର ହୋଇପଡିଛି । ରାଜ୍ୟ, ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି ।  ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି ।