କନକ ବ୍ୟୁରୋ: ଆଇଆଇଟି ଖଡ଼ଗପୁର ଓ ଗ୍ରେଟର ନୋଏଡାର ଶାରଦା ବିଶ୍ୱବିଦ୍ୟାଳୟ ସମେତ ଛାତ୍ର ଆତ୍ମହତ୍ୟା ଘଟଣାକୁ ନେଇ ସୁପ୍ରିମ୍କୋର୍ଟ ପ୍ରଶ୍ନ ଉଠାଇଛନ୍ତି । ଶିକ୍ଷାନୁଷ୍ଠାନରେ ଆତ୍ମହତ୍ୟା ଘଟଣାକୁ ନେଇ ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ଆର୍ ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି । ମେକାନିକାଲ ଇଞ୍ଜିନିୟରିଂ ଚତୁର୍ଥ ବର୍ଷ ଛାତ୍ରଙ୍କ ଆତ୍ମହତ୍ୟା ଘଟଣାରେ ଖଣ୍ଡପୀଠ ଆଇଆଇଟି ଖଡ଼ଗପୁର ଓକିଲଙ୍କୁ ପଚାରିଥିଲେ, ଆପଣଙ୍କ ଆଇଆଇଟି ଖଡ଼ଗପୁରରେ କ’ଣ ତ୍ରୁଟି ଅଛି? କାହିଁକି ଆତ୍ମହତ୍ୟା କରୁଛନ୍ତି ଛାତ୍ରଛାତ୍ରୀ ? ଆପଣ ଏହି ସମସ୍ୟା ବିଷୟରେ ଚିନ୍ତା କରିଛନ୍ତି କି? ଆପଣ କ’ଣ ପଦକ୍ଷେପ ନେଇଛନ୍ତି ?
ଶାରଦା ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ନେଇ ଏଭଳି ଏକ ଘଟଣାର ଶୁଣାଣି କରିବା ପରେ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି, ଉଭୟ ଘଟଣାର ତଦନ୍ତ ଆଇନ ଅନୁଯାୟୀ ଓ ସଠିକ୍ ଦିଗରେ ଆହୁରି ତ୍ୱରାନ୍ୱିତ ହେବା ଦରକାର । ଆମିକସ୍ କ୍ୟୁରି ଭାବେ ସର୍ବୋଚ୍ଚ ନ୍ୟାୟାଳୟକୁ ସହଯୋଗ କରୁଥିବା ବରିଷ୍ଠ ଆଇନଜୀବୀ ଅପର୍ଣ୍ଣା ଭଟ୍ଟ ଉଭୟ ମାମଲାର ତଦନ୍ତର ସ୍ଥିତି ସମ୍ପର୍କରେ ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ । ଶାରଦା ବିଶ୍ୱବିଦ୍ୟାଳୟ ମାମଲାରେ ୩୦ ପୃଷ୍ଠାର ଷ୍ଟାଟସ ରିପୋର୍ଟ ସମ୍ପର୍କରେ ଭଟ୍ଟ କହିଛନ୍ତି ଯେ ଗିରଫ ହୋଇଥିବା ଦୁଇ ଜଣଙ୍କ ନାମ ସୁଇସାଇଡ୍ ନୋଟ୍ରେ ଥିଲା। ଅନ୍ୟପକ୍ଷରେ ଆଇଆଇଟି ଖଡ଼ଗପୁରର ଓକିଲ କହିଛନ୍ତି ଯେ ୧୨ ଜଣିଆ କାଉନସେଲିଂ ସେଣ୍ଟର ସହ ୧୦ ଜଣିଆ କମିଟି ଗଠନ କରାଯାଇଛି। କାଉନସେଲିଂ ସେଣ୍ଟରରେ ସମସ୍ୟା ଚିହ୍ନଟ କରିବାର ଭିନ୍ନ ଭିନ୍ନ ଉପାୟ ରହିଛି ।
ଅଧିକାଂଶ ଛାତ୍ରଛାତ୍ରୀ ସେମାନଙ୍କ ସହ କ’ଣ ଘଟୁଛି ତାହା ପ୍ରକାଶ କରିବାକୁ ଚାହୁନାହାନ୍ତି ବୋଲି ଓକିଲ କହିଛନ୍ତି । ଆଇଆଇଟି ଖଡଗପୁର ମାମଲାରେ ଅନୁଷ୍ଠାନ ପକ୍ଷରୁ ମାମଲା ରୁଜୁ କରାଯାଇଛି ବୋଲି ଭଟ୍ଟ କହିଛନ୍ତି । ଖଣ୍ଡପୀଠ ଏହି ମାମଲାର ଶୁଣାଣି ୪ ସପ୍ତାହ ପରେ ଧାର୍ଯ୍ୟ କରିଛନ୍ତି । ଜୁଲାଇ ୨୧ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଦୁଇ ଶିକ୍ଷାନୁଷ୍ଠାନରେ ଛାତ୍ର ମୃତ୍ୟୁ ଘଟଣାକୁ ସଂଜ୍ଞାନକୁ ନେବା ସହ ଘଟଣା ସମ୍ପର୍କିତ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଆମିକସ କ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।