କନକ ବ୍ୟୁରୋ : ଦିଲ୍ଲୀ ମୁହାଁ ହେଉଛନ୍ତି ଓଡ଼ିଆ ଅଫିସର । ବିବାଦ ଭିତରେ ଥିବା ଆଇଏଏସ ଓ ଆଇପିଏସ କାହିଁକି ଓଡ଼ିଶା ଛାଡ଼ୁଛନ୍ତି । ଖସି ଯାଉଛନ୍ତି ନା ଖସାଉ ଦେଉଛନ୍ତି । କେନ୍ଦ୍ରୀୟ ଡେପୁଟେସନକୁ ଯାଇପାରନ୍ତି ଭିନୀଲ ଓ ଆଶିଷ । ସେପଟେ ଖୁବଶୀଘ୍ର ଆଇଏଏସ ସ୍ତରରେ ଅଦଳବଦଳ ଦେଖିବାକୁ ମିଳିପାରେ ।
ବିଜେଡି ସରକାର ସମୟରେ ବେଶ ପ୍ରଭାବଶାଳୀ ଥିଲେ । ଅଖଣ୍ଡ କ୍ଷମତା ଉପଭୋଗ କରୁଥିଲେ । ଯେଉଁ ଅଫିସରଙ୍କୁ ବିବାଦକୁ ଟାଣି ନିର୍ବାଚନ ବୈତରଣୀ ପାର ହୋଇଥିଲା ବିଜେପି । ଏପରିକି ଏହି ଅଫିସରଙ୍କ ବିରୋଧରେ କଡାଗଣ୍ଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ସେହି ଅଫିସରଙ୍କୁ ଦିଲ୍ଲୀ ଯିବା ପାଇଁ ସବୁଜ ସଂଙ୍କେତ ଦେଇ ଦିଲ୍ଲୀ ପଠାଇଦେଲେ ମୋହନ ସରକାର । ୬ ମାସ ଭିତରେ ଖସିଗଲେ ଜଣକ ପରେ ଜଣେ ଅଫିସର । ଖାଲି ସେତିକି ନୁହେଁ ଆହୁରି ଦୁଇ ବିବାଦୀୟ ଆଇଏଏସ୍ ଅଫିସର ଆର. ଭିନିଲ କ୍ରିଷ୍ଣା ଏବଂ ଆଶିଷ ଠାକରେ ଦିଲ୍ଲୀ ଡେପୁଟେନସନ ଯିବାକୁ କେନ୍ଦ୍ରକୁ ଅନୁରୋଧ କରିଥିବା ଚର୍ଚ୍ଚା ହେଉଛି ।
ନବୀନ ସରକାର ସମୟରେ କେନ୍ଦୁଝର ଜିଲ୍ଲାର ସର୍ବେସର୍ବା ଥିଲେ । ଖଣିର ଲୋଡିଂ, ଅନଲୋଡିଂ ଟ୍ରାନ୍ସପୋର୍ଟ ଭଳି ସବୁ କାର୍ଯ୍ୟରେ ମୁଣ୍ଡ ଖେଳାଉଥିଲେ ଆଶିଷ । କୁହାଯାଏ ପାଣ୍ଡିଆନଙ୍କ ଡାହାଣ ହାତ ଥିଲେ ଆଶିଷ । ଏହି ଅଫିସରଙ୍କୁ କାଠଗଡ଼ାକୁ ଟାଣିଥିଲେ ପୂର୍ବତନ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବର୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପି ସରକାର ଆସିଲେ ଏହି ଅଫିସରଙ୍କ ଉପରେ କାର୍ଯାନୁଷ୍ଠାନ ହେବ ବୋଲି କୁହାଯାଇଥିଲା । ହେଲେ ଅନ୍ୟ ଆଇପିଏସ ଅଫିସରଙ୍କ ଭଳି ଦିଲ୍ଲୀ ଯିବାକୁ ସଜବାଜ ହେଉଛନ୍ତି ଆଶିଷ ।
ବିଜେଡି ସରକାରରେ ଏହି ଅଫିସରଙ୍କ ଦବଦବା ତୃଣମୂଳସ୍ତରରୁ ତୃତୀୟ ମହଲା ପର୍ଯ୍ୟନ୍ତ ରହିଥିଲା । ସରକାରଙ୍କ ବଡ଼ ବଡ଼ ନିଷ୍ପତ୍ତିରେ ଭିନିଲଙ୍କର ରହୁଥିଲା ପ୍ରତ୍ୟକ୍ଷ ସମ୍ପୃକ୍ତି । ପାଣ୍ଡିଆନ ଯେଉଁଠି, ଭିନିଲ ବି ସେଇଠି । କିନ୍ତୁ ନୂଆ ସରକାର ଆସିବା ପରେ ଭିନିଲଙ୍କୁ ଲୋକସେବା ଭବନରୁ ଆଉଟ କରି ଭୂମି ଅଭିଲେଖ ଓ ବନ୍ଦୋବସ୍ତ କମିଶନର ଦାୟିତ୍ୱ ଦିଆଗଲା । ପାଣ୍ଡିଆନ ମାର୍କା ଦାଗ ଲାଗିଥିବା ଏହି ଅଫିସର ଜଣଙ୍କ ଏବେ ଦିଲ୍ଲୀ ମୁହାଁ ହୋଇଥିବା ଚର୍ଚ୍ଚା ହେଉଛି ।
କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ହେଲେ ରାଜ୍ୟ ସରକାରଙ୍କ କ୍ଲିନଚିଟ୍ ଆବଶ୍ୟକ । ଅଥାର୍ତ ଦିଲ୍ଲୀ ଯାଉଥିବା ଅଫିସରଙ୍କ ନାଁରେ କୌଣସି ବିବାଦ ନଥିବ । ହେଲେ ନିର୍ବାଚନ ପୂର୍ବରୁ ବିବାଦୀୟ ଥିବା ଏହି ଅଫିସର ଏବେ ସ୍ୱଚ୍ଛ ହେଲେ କେମିତି? ଏହି ଅଫିସର କେନ୍ଦ୍ରରେ ସମର୍ପଣ ପଛରେ ସେତୁ କିଏ ସାଜିଛି ?