କନକ ବ୍ୟୁରୋ : ଦେଶ ଛାଡ଼ି ବିଦେଶରେ ସେଟେଲ୍ ହେଉଛନ୍ତି ଭାରତୀୟ କୋଟିପତି । ଭାରତରେ ବ୍ୟବସାୟ କରି କୋଟିପତି ହେବା ପରେ ଭାରତ ଛାଡ଼ି ଚାଲିଯାଉଛନ୍ତି । ହେଲେ ଏପରି କାହିଁକି, ଦେଶରେ କ'ଣ ନିଜର ସମ୍ପତ୍ତିକୁ ବୃଦ୍ଧି କରିବା ପାଇଁ ସୁଯୋଗ ମିଳୁନି? ନା ଅଧିକ ଟିକସ ପାଇଁ ଦେଶ ଛାଡ଼ୁଛନ୍ତି? ନା ରାଜନୈତିକ ଅସ୍ଥିରତା ପାଇଁ ଦେଶ ଛାଡ଼ୁଛନ୍ତି ? ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି... 

Advertisment

ଯଦି ଆମେ ରିପୋର୍ଟ ଉପରେ ନଜର ପକାଇବା ତେବେ, ୨୦୨୩ରେ ୫୧୦୦, ୨୦୨୪ରେ ୪୩୦୦ କୋଟିପତି ଦେଶ ଛାଡ଼ି ବିଦେଶରେ ସେଟେଲ ହୋଇଥିବା ବେଳେ ୨୦୨୫ରେ ୩୫୦୦ ହାଇ-ନେଟ୍-ୱର୍ଥ ବ୍ୟକ୍ତି ଦେଶ ଛାଡ଼ିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି । 
କାରଣ କ’ଣ? 

HNWI ରିପୋର୍ଟ ଅନୁଯାୟୀ, ରାଜନୈତିକ ଉତ୍ତେଜନା ଓ ଆର୍ଥିକ ଅନିଶ୍ଚିତତା ଦେଶ ଛାଡ଼ିବାର ମୁଖ୍ୟ କାରଣ ପାଲଟିଛି । ତେବେ କୋଭିଡ୍ ୧୯ ପରେ ଏହି ସଂଖ୍ୟା କମିଥିବା ରିପୋର୍ଟରେ ପ୍ରକାଶ ପାଇଛି । ଯଦି ଆମେ ଆର୍ଥିକ ଦୃଷ୍ଟି କୋଣରୁ ଦେଖିବା ତେବେ କୋଟିପତି ଭାରତ ଛାଡିବା, ଦେଶ ଉପରେ ଅଧିକ ପ୍ରଭାବ ପକାଉନି । କାହିଁକି ନା ବିଦେଶରୁ ବି କୋଟିପତି ବ୍ୟବସାୟୀ ଭାରତ ଫେରୁଛନ୍ତି, ବିଦେଶୀ ବ୍ୟବସାୟୀ ମଧ୍ୟ ଭାରତରେ ସ୍ଥାୟୀ ଭାବେ ରହିବାକୁ ଇଚ୍ଛାପ୍ରକାଶ କରୁଛନ୍ତି ।  ଯେଉଁଥିପାଇଁ ଆଶିଂକ ଭାବେ କ୍ଷତି ପୂରଣ ହୋଇଯାଉଛି । 

"ହେନଲି ପ୍ରାଇଭେଟ୍ ଓ୍ବେଲ୍ଥ ମାଇଗ୍ରେସନ୍ ରିପୋର୍ଟ ୨୦୨୫" ଆଧାରରେ, ୧୦ ଟି ଦେଶ  ଭାରତୀୟ କୋଟିପତିଙ୍କୁ ଆକର୍ଷିତ କରୁଛି । ୟୁଏଇ, ୟୁଏସଏ, ଇଟାଲୀ, ସୁଇଜରଲ୍ୟାଣ୍ଡ, ସାଉଦି ଆରବ, ସିଙ୍ଗାପୁର, ପର୍ତ୍ତୁଗାଲ, ଗ୍ରୀସ୍, କାନାଡା, ଅଷ୍ଟ୍ରେଲିଆ କୋଟିପତି ଭାରତୀୟଙ୍କୁ ଆକର୍ଷିତ କରୁଛି । ଆଉ ଏହାର କାରଣ ହେଉଛି ଶୂନ୍ୟ ଆୟକର ନୀତି, ଆକର୍ଷଣୀୟ ଗୋଲ୍ଡେନ୍ ଭିସା, ସୁଦୃଢ଼ ଅର୍ଥନୀତି ଏବଂ ବ୍ୟବସାୟୀକ ସୁଯୋଗ ଭାରତୀୟ କୋଟିପତୀଙ୍କୁ ଆକର୍ଷିତ କରୁଛି । ଦେଶ ଛାଡ଼ିବାର ସବୁଠୁ ବଡ଼ କାରଣ ହେଉଛି ଟ୍ୟାକ୍ସ । ଭାରତରେ ଅଧିକ ରୋଜଗାର କରୁଥିବା ବ୍ୟକ୍ତିଙ୍କଠୁ ଭିନ୍ନ ଭିନ୍ନ ଟ୍ୟାକ୍ସ ଆଦାୟ କରିଥାନ୍ତି ସରକାର । ଯେପରିକି ଇନକମ୍ ଟ୍ୟାକ୍ସ, କ୍ୟାପିଟାନ୍ ଗେନ୍ ଟ୍ୟାକ୍ସ, ସାଲାରୀ ଟ୍ୟାକ୍ସ, ଗାଡି କିଣିଲେ ଟ୍ୟାକ୍ସ, ଘର କଲେ ଟ୍ୟାକ୍ସ, ବ୍ୟବସାୟ ଟ୍ୟାକ୍ସ, ର-ପ୍ରଡକ୍ଟ କିଣିବା ପାଇଁ ଟ୍ୟାକ୍ସ, ବିକ୍ରି ପାଇଁ ଟ୍ୟାକ୍ସ, ସାଧାରଣ କଲମଠୁ ନେଇ ମୁଢ଼ି, ଚୁଡ଼ା ଉପରେ ବି ଟ୍ୟାକ୍ସ ଦେବାକୁ ପଡ଼ୁଛି । ଆଉ ଏହା ହିଁ କୋଟିପତିଙ୍କୁ ଦେଶ ଛାଡ଼ିବାକୁ ବାଧ୍ୟ କରୁଛି ବୋଲି ରିପୋର୍ଟ କହୁଛି । 

କୋଟି କୋଟି ଲୋକଙ୍କ ମଧ୍ୟରୁ କିଛି ଶହ ଲୋକ ଦେଶ ଛାଡ଼ିଦେଲେ ଭାରତ ଉପରେ ପ୍ରଭାବ ପଡ଼ିବ ନାହିଁ, କିନ୍ତୁ ଏମାନେ ରହିଲେ ନିଜେ ଉନ୍ନତି କରିବା ସହ ଦେଶକୁ ବି ଆଗକୁ ନେଇପାରିବେ । ଏମାନଙ୍କ ସମ୍ପତ୍ତି କାଳକ୍ରମେ ମିଲିୟନରୁ ଟ୍ରିଲିୟନରେ ପହଞ୍ଚିବ । ଦେଶରେ ରୋଜଗାର ସୁଯୋଗ ସୃଷ୍ଟି ହେବ । ଆଗାମୀ ଉଦ୍ୟଗପତୀ ତିଆରି କରିବାରେ ଏମାନଙ୍କ ନେତୃତ୍ୱର ପଥପ୍ରଦର୍ଶକ ହେବ ଏବଂ  ଅର୍ଥନୀତିରେ ସୁଧାର ଆସିବ । ତେଣୁ ଭାରତର ସରକାରଙ୍କୁ ଏଦିଗ ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ।