କନକ ବ୍ୟୁରୋ : ଠିକ୍ ଭାବେ କାମ ନକରି ତରବରିଆ ଭାବେ ଓଭରବ୍ରିଜ ଉଦଘାଟନ କରିଦେଲେ ।  ହେଲେ ଭୁଲିଗଲେ ଆପ୍ରୋଚ୍ ରୋଡ୍ ଓ ଆନୁଷଙ୍ଗିକ ବ୍ୟବସ୍ଥା କଥା । ଏହି କାରଣରୁ ବ୍ରହ୍ମପୁର ଶିଳ୍ପାଞ୍ଚଳରୁ ଇଞ୍ଜିନିୟରିଂ ସ୍କୁଲ ଛକକୁ ସଂଯୋଗ କରୁଥିବା ଓଭରବ୍ରିଜ ମରଣଯନ୍ତା ପାଲଟିଛି ।  ଶୀଘ୍ର ସମସ୍ୟାର ସମଧାନ ନହେଲେ ଲୋକ ଆନ୍ଦୋଳନ ଚେତାବନୀ ଦେଇଛନ୍ତି । 

Advertisment

ବ୍ରହ୍ମପୁର ଶିଳ୍ପାଞ୍ଚଳରୁ ଇଞ୍ଜିନିୟରିଂ ସ୍କୁଲଛକକୁ ସଂଯୋଗ କରୁଥିବା ଓଭରବ୍ରିଜ ଅପ୍ରୋଚ୍ ରୋଡଗୁଡ଼ିକ କେଉଁଠି ଲୁଚି ଯାଇଛି ତ କେଉଁଠି ଅଣଓସାରିଆ ହୋଇ ମରଣଯନ୍ତା ପାଲଟିଛି । ୧୬ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଶିଳ୍ପାଞ୍ଚଳ ପଟ ରାସ୍ତା ଅଣ-ଓସାରିଆ ହୋଇଥିବାରୁ ଜରୁରୀ ସ୍ଥିତିରେ ଆମ୍ବୁଲାନ୍ସ ମଧ୍ୟ ଯାଇପାରୁନାହିଁ । ବାରମ୍ବାର ଦୁର୍ଘଟଣା ଘଟୁଛି । ଜବରଦଖଲକାରୀ ଓ ସରକାରୀ ବାବୁଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ସମସ୍ୟା ହେଉଥିବା ଲୋକ ଅଭିଯୋଗ କରିଛନ୍ତି । ଅର୍ଥ ଆତ୍ମସାତ୍ ଓ ଠିକ୍ ଭାବେ କାମ ନକରି ତରବରିଆ ଭାବେ ଓଭରବ୍ରଜ୍ ନିର୍ମାଣ କରାଯାଇଥିବାରୁ ସମସ୍ୟା ଲାଗି ରହିଛି ।  

ଇଞ୍ଜିନିୟରିଂ ସ୍କୁଲଛକକୁ ସଂଯୋଗ କରୁଥିବା ରାସ୍ତାରେ ରେଳବାଇ ଲବେଲ କ୍ରସିଂ ଥିବାରୁ ଟ୍ରାଫିକ ସମସ୍ୟା ଦୂର ଲାଗି ୨୦୧୩ରେ ଓଭରବ୍ରିଜର ଶୁଭ ଦିଆଯାଇଥିଲା । ୨୦୧୫ ମସିହାରେ ଆରମ୍ଭ ହୋଇଥିଲା ନିର୍ମାଣ । ୬ବର୍ଷରେ ସରିଥିଲା କାମ । ଜବରଦଖଲକାରୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାରୁ କାମ ବିଳମ୍ବ ହୋଇଥିଲା । କିନ୍ତୁ  ଆପ୍ରୋଚ ରୋଡ୍ ସମସ୍ୟାର ସମାଧାନ ହୋଇନାହିଁ । ଅନ୍ୟପକ୍ଷେ ପ୍ରତିକାର ଲାଗି ରାସ୍ତା ଓ କୋଠାବାଡ଼ି ନିର୍ମାଣ ବିଭାଜନ-୨ ପକ୍ଷରୁ ତହସିଲକୁ ଚିଠି ଆସିଛି । ତୁରନ୍ତ ସମସ୍ୟା ସମାଧାନ ହେଇଯିବ ବୋଲି ବ୍ରହ୍ମପୁର ତହସିଲଦାର କହିଛନ୍ତି । ପୂର୍ବ ସରକାର ସମୟରେ ହୋଇଥିବା ଭୁଲ ନୂଆ ସରକାର ସମାଧାନ କରିବେ ବୋଲି ଆଶା କରାଯାଉଛି । ନହେଲେ ଆନ୍ଦୋଳନ ପାଇଁ ଲୋକ ଧମକ ଦେଇଛନ୍ତି ।