କନକବ୍ୟୁରୋ : ବିପଦରେ କଳାହାଣ୍ଡିର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ । ଇନ୍ଦ୍ରାବତୀ ନଦୀ ସହ ମୁରାଣ, ପୋଡ଼ାଗଡ଼, କପୁର ନଦୀର ପାଣି ଜଳଭଣ୍ଡାରରେ ମିଶୁଛି । ତଥାପି ଜଳସ୍ତର ଆଶାନୁରୂପ ବୃଦ୍ଧି ପାଉନାହିଁ । ଉପରମୁଣ୍ଡରେ ଜଙ୍ଗଲ କ୍ଷୟ ସହ ଆବଶ୍ୟକ ସୁରକ୍ଷା ବାଡ଼ ନଥିବାରୁ ପ୍ରତି ବର୍ଷ, ବର୍ଷା ଦିନେ ପାଣି ସହ ମାଟି-କାଦୁଅ ଜଳଭଣ୍ଡାରରେ ପ୍ରବେଶ କରୁଛି । ଫଳରେ ସଙ୍କୁଚିତ ହେଉଛି ଜଳଭଣ୍ଡାର । ଏହାର ସ୍ଥାୟୀ ସମାଧାନ ନକରି ପଙ୍କ ଉଦ୍ଧାରରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି ।
୨୦୨୨ରୁ ୨୦୨୪ ମଧ୍ୟରେ ୨୪ କୋଟି ଖର୍ଚ୍ଚ ହୋଇଛି । ତଥାପି ଇନ୍ଦ୍ରାବତୀର ଦୁଃଖ ସରୁନି । ଏଥିସହ ଇନ୍ଦ୍ରାବତୀ ଜଳଭଣ୍ଡାର ଦ୍ୱାରା ୬୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଥିଲା । ରାଜ୍ୟର ଏକ ବଡ଼ ଆବଶ୍ୟକତା ପୂରଣ କରାଯାଉଥିଲା । ଏବେ ଦୈନିକ ୧୯୫ରୁ ୨୧୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି । ବିଦ୍ୟୁତ ଉତ୍ପାଦନ ସହ ଜଳସେଚନ ହେଉଥିଲା ।
ବାମ ଓ ଡାହାଣ ମୁଖ୍ୟ କେନାଲ ସହ ଉଠା ଜଳସେଚନ ମାଧ୍ୟମରେ ୮ଟି ବ୍ଲକର ୧ଲକ୍ଷ ୨୮ହଜାର ୧୨ ହେକ୍ଟର ଚାଷ ଜମି ଜଳସେଚିତ ହେଉଥିଲା । ହେଲେ ଜଳଭଣ୍ଡାରର ଜଳସ୍ତର ହ୍ରାସ ଯୋଗୁଁ ବିଦ୍ୟୁତ ଉତ୍ପାଦନ ଓ ଜଳସେଚନ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ବର୍ଷାର ଦ୍ବାହି ଦେଇ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ପ୍ରୟାସ କରୁଛନ୍ତି ବିଭାଗୀୟ ଅଧିକାରୀ । ତୁରନ୍ତ ଏହାର ସ୍ଥାୟୀ ସମାଧାନ କରାନଯାଏ ତେବେ ଇନ୍ଦ୍ରାବତୀ ପ୍ରକଳ୍ପ ତାର ଅସ୍ତିତ୍ବ ହରାଇବ ଏ କଥାକୁ ଏଡ଼ାଇ ଦିଆଯାଇନପାରେ ।