କନକ ବ୍ୟୁରୋ : ଚାଷୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସେଥିରୁ ଉପେକ୍ଷିତ ହେଉଛନ୍ତି ରାୟଗଡ଼ା ଚାଷୀ । ଜିଲ୍ଲାରେ ଚାଷ ପାଇଁ ଚାଷୀଙ୍କୁ କୌଣସି ସୁବିଧା ଯୋଗଇ ଦିଆଯାଉନାହିଁ । ଫଳରେ ଋଣ କରି ଚାଷ କରୁଥିବା ଚାଷୀ ଋଣ ସୁଝିବାକୁ ଅକ୍ଷମ ହୋଇପଡ଼ୁଛି । ସେଥିପାଇଁ ଦାଦନ ଖଟିବାକୁ ଯାଉଛନ୍ତି ରାୟଗଡ଼ା ଚାଷୀ ।
ଅକ୍ଷୟ ତୃତୀୟା..ଭୂମି ପୂଜନ କରିବା ସହ ଅକ୍ଷିମୁଠି ଅନୁକୂଳ କରିଛି ଚାଷୀ । ରାୟଗଡ଼ାରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଚାଷ ଛାଡ଼ି ଦାଦନ ଖଟିବାକୁ ଯାଉଛି ଚାଷୀ । କାରଣ ଚାଷ କଲେ ପେଟ ପୂରୁନି । ସଠିକ୍ ସମୟରେ ସାର ଓ କୀଟନାଶକ ମିଳୁନାହିଁ କି ଜଳସେଚନର ସୁବିଧା ନାହିଁ । ଜିଲ୍ଲାର ୨ଟି ନଦୀ ନାଗାବଳୀ ଓ ଝଞ୍ଜାବତୀ ଖରା ପାଇଁ ଶୁଖିଯାଇଛି । ଏପଟେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଉଠା ଜଳସେଚନ ପ୍ରକଳ୍ପ ବି କାମରେ ଆସୁନି । ଫଳରେ ମରୁଭୂମି ପାଲଟିଛି ହେକ୍ଟର ହେକ୍ଟର ଜମି । ନିରୁପାୟ ହୋଇ ଦାଦନ ଖଟିବାକୁ ପରିବାର ସହ ଜିଲ୍ଲା ଛାଡ଼ୁଛନ୍ତି ଚାଷୀ ।
ଗତ ୧୦ ବର୍ଷ ମଧ୍ୟରେ ଜିଲ୍ଲାରେ ୮୬ ହଜାର ହେକ୍ଟର ଜମିରେ ଚାଷ କମିଛି । ମିଳିଥିବା ତଥ୍ୟ ଅନୁସାରେ, ୨୦୧୫-୧୬ରେ ୧ ଲକ୍ଷ ୬୭ ହଜାର ୭୪୦ ହେକ୍ଟର ଜମିରେ ଧାନ ଓ କପା ଚାଷ ହୋଇଥିଲା । ୨୦୨୪-୨୫ରେ ୯୧ ହଜାର ୯୭ ହେକ୍ଟର ଜମିରେ ଚାଷ ହୋଇଛି । ଏଥିରୁ ସ୍ପଷ୍ଟ ଅନୁମେୟ ଯେ, କୃଷି ପ୍ରତି ଚାଷୀଙ୍କ ଇଚ୍ଛା କମିଯାଉଛି । କାରଣ ରାୟଗଡ଼ାରେ ୩୭୦ଟି ନଳକୂପରୁ ୯୯ଟି ଅଚଳ ହୋଇପଡ଼ିଛି । ସେହିପରି ୧୭୦ଟି ଉଠା ଜଳସେଚନ୍ ପ୍ରକଳ୍ପ ଦୀର୍ଘ ଦିନ କାମରେ ଆସୁନି । ଅନ୍ୟପଟେ ଚାଷୀଙ୍କୁ ସଚେତନତା କରିବା ସହ ସବସିଡିରେ କୃଷି ଯନ୍ତ୍ରପାତି, ସାର ଓ କୀଟନାଶକ ପ୍ରଦାନ କରାଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ।
ରାଜ୍ୟ ସରକାର ଚାଷୀଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସେଥିରୁ ବଞ୍ଚିତ ରାୟଗଡ଼ା ଚାଷୀ ।