କନକ ବ୍ୟୁରୋ : ସାର ପାଇଁ ସଂଘର୍ଷ । ବର୍ଷାରେ ଭିଜି ଭିଜି ଯୋଗାଣ କେନ୍ଦ୍ର ଆଗରେ ଚାଷୀଙ୍କ ଲମ୍ବା ଧାଡ଼ି । ଗଞ୍ଜାମ ଜିଲ୍ଲା ଆସିକାରେ ଦେଖିବାକୁ ମିଳିଛି ଏପରି ଚିତ୍ର । ପାଖାପାଖି ୨୦୦ ବସ୍ତା ସାର ଥିବା ବେଳେ ୩ ଶହରୁ ଅଧିକ ଲୋକ ଲମ୍ବା ଧାଡ଼ି ଲଗାଇଛନ୍ତି । ଧାଡ଼ିରେ ନିଜ ନିଜର ଜୋତା ରଖି ଜଗି ରହିଛନ୍ତି । ରାୟଗଡ଼ାରେ ସାର ଅଛି ହେଲେ ଲ୍ୟାମ୍ପସ୍‌ରେ ଚାଷୀକୁ ମିଳୁନି । ଫଳରେ ଚାଷୀ ବାହାରୁ ଧାର୍ଯ୍ୟ ଦାମ୍ ଠାରୁ ଅଧିକ ଦର ଦେଇ ସାର କିଣୁଛନ୍ତି । ପ୍ରଥମ କିସ୍ତିରେ ସମୁଦାୟ ୧୩, ୪୨୯ଟି ବ୍ୟାଗରେ ୬୦୪.୩୦୫ ମେଟ୍ରିକ ଟନ୍ ସାର ଆସିଥିଲା । ହେଲେ ଏହା ଲ୍ୟାମ୍ପସ୍‌କୁ ଦିଆଯାଇନାହିଁ । ଅସାଧୁ ବ୍ୟବସାୟୀ ମାଲାମାଲ ହୋଇଛନ୍ତି । କାଲିମେଳାରେ ସାର ପାଇଁ ପୁଣି ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଶତାଧିକ ଚାଷୀ କାଲିମେଳା ଲ୍ୟାମ୍ପସ୍‌ ସମ୍ମୁଖରେ ଥିବା ୩୨୬ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ସାର ପାଇଁ ରାଜ୍ୟସାରା କଲବଲ ହେଉଛନ୍ତି ଚାଷୀ । ଏବେ ରାଜନୀତି ଜୋର ଧରିଛି । ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି । ପିସିସି ସଭାପତି ସାର ବାବଦରେ ସରକାରଙ୍କଠାରୁ ହିସାବ ମାଗିଛନ୍ତି । ସାର ଚୋରିରେ ବିଜେପି ସହ ବିଜେଡି ସାମିଲ ଅଛି ବୋଲି ସେ ସିଧା ଅଭିଯୋଗ ଆଣିଛନ୍ତି । ସାରର ଅଭାବ ନାହିଁ ସରକାର କହୁଛନ୍ତି । ତା’ସତ୍ତ୍ବେ ଚାଷୀଙ୍କୁ ସାର ନମିଳିବା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।