କନକ ବ୍ୟୁରୋ: ମମତା ମହାନ୍ତ ଓ ସୁଜିତ କୁମାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବା ପରେ ଆଗକୁ ଆଉ କିଏ ଏନେଇ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରସଙ୍ଗରେ ବିଜେପି ଓ ବିଜେଡି ନେତାଙ୍କ ମଧ୍ୟରେ ବୟାନବାଜି ଜୋରଦାର ହୋଇଛି। କେଉଁ ଦଳ କାହାର ନେତାଙ୍କୁ ନେବ? ସେ ନେଇ ନେତାମାନେ ନିଜ ନିଜ ହିସାବରେ ଦାବି କରିବାରେ ଲାଗିଛନ୍ତି।
ବିଜେଡି-କଂଗ୍ରେସ ମେଂଟ ଚର୍ଚ୍ଚା ଭିତରେ ବିଜେଡି-ବିଜେପି ନେତାଙ୍କ ବୟାନ, ରାଜନୀତିକ ପାଣିପାଗକୁ ଉଷ୍ଣ କରିଛି। ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ବିସ୍ଫୋରକ ବୟାନ ଦେଇ କହିଛନ୍ତି, ଆଗକୁ ବିସ୍ଫୋରଣ ହେବ । ବହୁତ ବଡ ବଡ ନେତା ବିଜେପିରେ ସାମିଲ ହେବେ। ଖାଲି ରାଜ୍ୟସଭା ନୁହେଁ ବହୁ ପଦାଧିକାରୀ ସମ୍ପର୍କରେ ଅଛନ୍ତି। ମାସେ ଦେଢ଼ ମାସ ଭିତରେ ବିଜେଡି ଛାଡି ବିଜେପିରେ ମିଶିବେ। ବିଜେପିର ବହୁ ନେତା ବିଜେଡି ଯୋଗାଯୋଗରେ ଅଛନ୍ତି ଓ ଆଗକୁ ହଲଚଲ ହେବ ବୋଲି କହି ହଟଚମଟ ସୃଷ୍ଟି କରିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ।
ଦୁଇ ଦଳର ନେତାଙ୍କ ଦାବି ଭିତରେ, କିଏ କାହାର ନେତାକୁ ନେବେ? କିଏ କାହା ଦଳକୁ ଭାଂଗିବେ ସେ ନେଇ ଆରମ୍ଭ ହୋଇଛିଯାଇଛି ଚର୍ଚ୍ଚା। ବିଜେଡି ନେତା ଦାବି କରୁଥିବା କଥାରେ ସତ୍ୟତା ରହିଛି ନା ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବାକୁ ଏମିତି କହୁଛନ୍ତି? ବିଜେପି ନେତାଙ୍କ ଦାବିରେ କେତେ ବାସ୍ତବତା ରହିଛି? ସେ ନେଇ ମତ ରଖିଛନ୍ତି ରାଜନୀତି ସମୀକ୍ଷକ ।
ଜଣେ ପରେ ଜଣେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ପ୍ରଥମ କରି ଦୁଇ ଜଣ ସାଂସଦ ଗଣମାଧ୍ୟମ ସାମନାକୁ ଆସି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। କିନ୍ତୁ ଅଚାନକ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଦଳ କାହିଁକି ଆଗକୁ ଆଣିଲା? ଆଉ କେନ୍ଦ୍ର ବିରୋଧରେ କାହିଁକି କୁହାଇଲା ? ତାହା ଆଲୋଚନାର ବିଷୟ ହୋଇଛି।