କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତାକାଲି ଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ପ୍ରାର୍ଥୀଙ୍କୁ ନେଇ ସ୍ପଷ୍ଟ କରୁନି କୌଣସି ଦଳ । ରାଜ୍ୟସଭା ରେସ୍‌ରେ ଥିବା ଚେହେରାଙ୍କୁ ନେଇ ଏପଟେ ଚର୍ଚ୍ଚା ଜୋର୍, ସେପଟେ ୩ ପ୍ରମୁଖ ଦଳକୁ ଘାରିଛି ବିଭାଜନ ଭୟ । ଅନ୍ତର୍କନ୍ଦଳରେ ଘାରି ହେଉଥିବା ବିଜେଡି ଓ କଂଗ୍ରେସ ହୁଅନ୍ତୁ ଅବା ତୃଣମୂଳରେ ସଂଗଠନ ସଜାଡ଼ି ପାରୁନଥିବା ବିଜେପି, ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ୩ଟି ଯାକ ଦଳ ନିଜର ପ୍ରାର୍ଥୀ ନିଷ୍ପତ୍ତିକୁ ନେଇ ହାତେ ମାପି ଚାଖଣ୍ଡେ ଚାଲୁଛନ୍ତି । 

Advertisment

ଗୋଟିଏ ପଟେ ରାଜ୍ୟସଭା ଚତୁର୍ଥ ଆସନକୁ ନେଇ ସରଗରମ ଚର୍ଚ୍ଚା ହେଉଥିବା ବେଳେ, ଅନ୍ୟପଟେ ଦଳ ଭିତରେ ବି ଚାଲିଛି ଛକାପଂଝା । ପାର୍ଟି ହାଇକମାଣ୍ଡଙ୍କ ଶୁଭଦୃଷ୍ଟି କାହା ଉପରେ ପଡ଼ିବ ଏବଂ କିଏ ଆସନ ହାତେଇବ, ତାକୁ ନେଇ ଚାଲିଛି ରିତିମତ କସରତ । ନିଜର ସମର୍ଥକଙ୍କ ସହ ଲବିରେ ମାତିଛନ୍ତି ସମସ୍ତ ଆଶାୟୀ । ନଜର ପକାନ୍ତୁ ବିଜେଡି ରାଜ୍ୟସଭା ରେସ୍ ଉପରେ । ଶଙ୍ଖ ଦଳରେ ଚର୍ଚ୍ଚାରେ ଅଛି ନବୀନଙ୍କ ରାଜନୈତିକ ପରାମର୍ଶଦାତା ସଂତୃପ୍ତ ମିଶ୍ର ଏବଂ ବହୁ ବରିଷ୍ଠ ନେତା। ତାଲିକାରେ ରହିଛନ୍ତି ଦେବୀ ମିଶ୍ର, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ । ଏଭଳି ସ୍ଥିତିରେ ଚର୍ଚ୍ଚା ହେଉଛି, ଜଣଙ୍କୁ ରାଜ୍ୟସଭା ପଠାଇଲେ ବି ଅନ୍ୟ ଗୋଷ୍ଠୀ ବିଦ୍ରୋହୀ ସାଜିପାରନ୍ତି।  

ଶାସକ ଦଳରେ ବି ତଦ୍ରୁପ ସ୍ଥିତି । ଶାସନରେ ଥିବାରୁ ଆଶାୟୀଙ୍କ ସଂଖ୍ୟା ବହୁ ଅଧିକ। ରାଜ୍ୟସଭା ପାଇଁ ଚର୍ଚ୍ଚାରେ ଅଛି ମନମୋହନ ସାମଲ, ସମୀର ମହାନ୍ତି, ଗୋଲକ ମହାପାତ୍ର ଓ ପ୍ରକାଶ ମିଶ୍ରଙ୍କ ଭଳି ହେଭିୱେଟଙ୍କ ନାଁ । ଏସବୁ ଭିତରେ କେନ୍ଦ୍ରୀୟ ଚେହେରା ଭାବେ ବିଜୟ ପାଲ ସିଂ ତୋମାର କିମ୍ୱା ଅନ୍ୟ କୌଣସି ଶୀର୍ଷ ନେତାଙ୍କୁ ବି ଓଡ଼ିଶାରୁ ଗୋଟିଏ ଆସନ ଦେଇପାରେ ବିଜେପି । ଗୋଟିଏ ପଟେ ବୋର୍ଡ ନିଗମ ଗଣିତ ଛିଡ଼ୁନଥିବା ବେଳେ, ଅନ୍ୟପଟେ ରାଜ୍ୟସଭା ପାଇଁ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଟଣାଓଟରା, ଶାସକ ଦଳର ମୁଣ୍ଡବିନ୍ଧା ସାଜିଥିବା କୁହାଯାଉଛି । ଏସବୁ ଭିତରେ କଂଗ୍ରେସ କହିଛି ସଂଖ୍ୟା ନଥିଲେ ବି ଆମେ ପ୍ରାର୍ଥୀ ଦେବୁ ।