କନକ ବ୍ୟୁରୋ : ଉଚ୍ଚଶିକ୍ଷା ମନ୍ତ୍ରୀ କନକ ନ୍ୟୁଜକୁ ଦେଇଥିବା ସ୍ବତନ୍ତ୍ର ସାକ୍ଷାତକାର ଏବେ ଦ୍ୱନ୍ଦ୍ୱ ବଢାଇଛି । ମନ୍ତ୍ରୀଙ୍କ କହିବା କଥା ବିଶ୍ବବିଦ୍ୟାଳୟରେ ଖାଲି ଥିବା କୁଳପତି, ଅଧ୍ୟାପକ, ସହ ଅଧ୍ୟାପକ ପଦବୀ ପୁରଣ ପାଇଁ ସରକାର ଚେଷ୍ଟା କରୁଛନ୍ତି । ସମାନ୍ତରଳ ଭାବେ ଏହି ପ୍ରକ୍ରିୟା କରାଯିବ। କିନ୍ତୁ ବିଶ୍ବବିଦ୍ୟାଳୟ ଅଧିନିୟମ ଅନୁସାରେ ଅଧ୍ୟାପକ ଏବଂ ପ୍ରାଧ୍ୟାପକ ନିଯୁକ୍ତି କ୍ଷମତା କେବଳ କୁଳପତିଙ୍କ ହାତରେ ରହିଛି । ଜଣେ ପୂର୍ଣ୍ଣକାଳୀନ କୁଳପତି ହିଁ ଅଧ୍ୟାପକ ନିଯୁକ୍ତ କରିପାରିବେ । ଗତ ମାର୍ଚ୍ଚ ମାସରେ ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ଅନୁସାରେ, ରାଜ୍ୟରେ ୧୭ଟି ସରକାରୀ ବିଶ୍ବବିଦ୍ୟାଳୟ ରହିଛି । ମାତ୍ର ୫ଟି ବିଶ୍ବବିଦ୍ୟାଳୟରେ ପୂର୍ଣ୍ଣକାଳୀନ କୁଳପତି ଅଛନ୍ତି । ରାଜ୍ୟର ପ୍ରମୁଖ ବିଶ୍ବବିଦ୍ୟାଳୟ, ଯେପରିକି ଉତ୍କଳ ବିଶ୍ବବିଦ୍ୟାଳୟରେ କୁଳପତିଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି । ରମାଦେବୀ, ରେଭେନ୍ସା, ମାଣିକେଶ୍ବରୀ ଭଳି ଏକାଧିକ ବିଶ୍ବବିଦ୍ୟାଳୟରେ ବରିଷ୍ଠ ଅଧ୍ୟାପକ ମାନଙ୍କୁ କୁଳପତି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । 

Advertisment

ମନ୍ତ୍ରୀ ବିଧାନସଭା ବଜେଟ୍‌ ଅଧିବେସନରେ ଉତ୍ତର ରଖିଲା ବେଳକୁ ୭ଟି ବିଶ୍ୱବିଦ୍ୟାଳୟରେ ଥିଲେ ପୂର୍ଣ୍ଣକାଳୀନ କୁଳପତି । ଏହା ଭିତରେ କିନ୍ତୁ ଦୁଇଜଣଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି । 

ସେପଟେ ପ୍ରଥମେ ଅଧ୍ୟାପକ ନିଯୁକ୍ତି ନେଇ ମନ୍ତ୍ରୀଙ୍କ ମନ୍ତବ୍ୟରେ ଚିନ୍ତା ପ୍ରକଟ କରିଛନ୍ତି ଶିକ୍ଷାବିତ। ପୂର୍ବତନ କୁଳପତିଙ୍କ ମତରେ ବିଶ୍ବବିଦ୍ୟାଳୟରେ ପ୍ରଥମେ ସିଣ୍ଡିକେଟ୍‌ ଗଠନ କରାଯିବ । ସିଣ୍ଡିକେଟ୍‌ ଜଣଙ୍କୁ କୁଳପତି ଚୟନ କମିଟି ନିମନ୍ତେ ମନୋନିତ କରି ବ। କୁଳପତି ଚୟନ କମିଟିରେ କୁଳାଧିପତିଙ୍କ ନୋମିନି, ସିଣ୍ଡିକେଟ୍ ନୋମିନି ଏବଂ ୟୁଜିସି ନୋମିନି ସଦସ୍ୟ ରହିବେ । କୁଳପତି ଚୟନ କମିଟି ଦେଇଥିବା ନାଁରେ କୁଳାଧିପତିଙ୍କ ମୋହର ବାଜିବ। କୁଳପତି ନିଯୁକ୍ତି ପରେ ବିଶ୍ବବିଦ୍ୟାଳୟ, ବିଭାଗର ଆବଶ୍ୟକତା ଅନୁସାରେ ଅଧ୍ୟାପକ ନେଇ ବିଦ୍ଧିବଧ ବିଜ୍ଞପ୍ତି ପ୍ରକାଶ କରିବେ। 

ରାଜ୍ୟରେ ପ୍ରାୟ ୧୨ ତି ବିଶ୍ବବିଦ୍ୟାଳୟରେ ଫାଙ୍କା ରହିଛି କୁଳପତି ପଦ । ୨୦୨୩ ମସିହାରେ ନୂତନ ଭାବେ ଗଠିତ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ଧରଣୀଧର ବିଶ୍ବବିଦ୍ୟାଳୟରେ ଏବେ ଯାଏଁ ପୂର୍ଣ୍ଣକାଳୀନ କୁଳପତି ନିଯୁକ୍ତ ହୋଇନାହାନ୍ତି । ଏପରି କ୍ଷେତ୍ରରେ ନୁଆ ବିଶ୍ବବିଦ୍ୟାଳୟ ଅଧିନିୟମ ୨୦୨୪ ଆସିବା ପରେ କିପରି ଖାଲି ପଡିଥିବା ପଦବୀ ପୁରଣ ହେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।