କନକ ବ୍ୟୁରୋ: ଆସିବ ମହାରାଷ୍ଟ୍ର, ଝାଡ଼ଖଣ୍ଡର ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ତେବେ ଏଥର ମହାରାଷ୍ଟ୍ରରେ ପୁଣିଥରେ ମହାୟୁତି ସରକାର ଚାଲିବ, ନା ମହାବିକାଶ ଅଘାଡି ମେଣ୍ଟ ସରକାରକୁ ଫେରିବ, ତାହା ଆଜି ହିଁ ନିଶ୍ଚିତ ହେଇଯିବ । ଅନ୍ୟପଟେ ଝାଡ଼ଖଣ୍ଡରେ ଜେଏମଏମ୍ ପଲ୍ଲା ଭାରି ରହିବ, ନା ବିଜେପି ସତ୍ତା ଦଖଲ କରିବ ସେ ନେଇ ମଧ୍ୟ ଚିତ୍ର ସ୍ପଷ୍ଟ ହେବ ।
ମହାରାଷ୍ଟ୍ର
ମହାରାଷ୍ଟ୍ରର ସମସ୍ତ ୨୮୮ଟି ଯାକ ଆସନରେ ନଭେମ୍ବର ୨୦ରେ ଭୋଟ୍ ପଡିଥିଲା । ତେବେ ଏଠାରେ ଖାସ୍ କରି ଦୁଇଟି ମେଣ୍ଟ ମୁହାଁମୁହିଁ ହେଉଛନ୍ତି । ବିଜେପି ନେତୃତ୍ୱରେ ଶିବସେନା (ସିନ୍ଧେ ଗୋଷ୍ଠୀ), ଏନସିପି (ଅଜିତ୍ ପାଓ୍ୱାର ଗୋଷ୍ଠୀ)କୁ ନେଇ ମହାୟୁତି । ଏବଂ କଂଗ୍ରେସ ନେତୃତ୍ୱରେ ଶିବସେନା (ଉଦ୍ଧବ ଗୋଷ୍ଠୀ), ଏନସିପି (ଶରଦ ପାଓ୍ୱାର ଗୋଷ୍ଠୀ)କୁ ନେଇ ମହାବିକାଶ ଅଘାଡି ମେଣ୍ଟ । ଏଥର ନିର୍ବାଚନରେ ମହାୟୁତିରେ ସାମିଲ ଥିବା ବିଜେପି ୧୪୯ ସିଟରେ ପ୍ରାର୍ଥୀ ଦେଇଥିଲା । ସେହିପରି ଶିବସେନା(ଉଦ୍ଧବ ଗୋଷ୍ଠୀ) ୮୧ଟି ସିଟରେ , ଏନସିପି (ଅଜିତ ପାଓ୍ୱାର) ଗୋଷ୍ଠୀ ୫୯ଟି ସିଟରେ ପ୍ରାର୍ଥୀ ଦେଇଥିଲେ ।
ଅନ୍ୟପଟେ ମହାବିକାଶ ଅଘାଡି ମେଣ୍ଟରେ ସାମିଲ ଥିବା କଂଗ୍ରେସ ୧୦୧ ସିଟରେ ପ୍ରାର୍ଥୀ ଦେଇଥିଲା । ତା ସହ ଶିବସେନା (ୟୁବିଟି) ୯୫ଟି ଆସନରେ ଏବଂ ଏନସିପି (ଶରଦ ପାଓ୍ୱାର) ଗୋଷ୍ଠୀ ୮୬ଟି ଆସନରେ ପ୍ରାର୍ଥୀ ଦେଇଥିଲା ।
ଝାଡ଼ଖଣ୍ଡ
ଝାଡ଼ଖଣ୍ଡ ବିଧାନସଭାର ସମସ୍ତ ୮୧ଟି ଆସନ ପାଇଁ ମୋଟ ୨ଟି ପର୍ୟ୍ୟାୟରେ ଭୋଟ୍ ପଡିଥିଲା । ନଭେମ୍ବର ୧୩ ତାରିଖରେ ପ୍ରଥମ ପର୍ୟ୍ୟାୟ ଭୋଟ୍ ପଡିଥିବାବେଳେ, ନଭେମ୍ବର ୨୦ରେ ପଡିଥିଲା ଦ୍ୱିତୀୟ ପର୍ୟ୍ୟାୟ ଭୋଟ୍ । ଏଠାରେ ବିଜେପି ଏବଂ ଏଜେଏସୟୁ ମିଳିତ ଭାବେ ନିର୍ବାଚନ ଲଢୁଥିବାବେଳେ, ଜେଏମଏମ୍ ଏବଂ କଂଗ୍ରେସ ମିଶି ନିର୍ବାଚନ ଲଢୁଛନ୍ତି ।
ଉପ-ନିର୍ବାଚନ
ସେପଟେ ବିହାର ସହିତ ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ପଞ୍ଜାବ, ଉତ୍ତରାଖଣ୍ଡର କିଛି ବିଧାନସଭା ସିଟରେ ହେଇଥିବା ଉପ-ନିର୍ବାଚନ ଫଳାଫଳ ମଧ୍ୟ ଆସିବ । ତା ସହିତ ଓ୍ୱାୟନାଡ ଆସନରେ ହେଇଥିବା ଉପ-ନିର୍ବାଚନର ରେଜଲ୍ଟ ମଧ୍ୟ ଆଜି ଆସିବାକୁ ଯାଉଛି । ଯେଉଁଠି ଭୋଟର କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ।