କନକ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ଆସନ୍ତା ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ରରେ ପଡିବ ଭୋଟ୍ । ରାଜ୍ୟର ସମସ୍ତ ୨୮୮ ବିଧାନସଭା ଆସନ ପାଇଁ ଗୋଟିଏ ପର୍ୟ୍ୟାୟରେ ଭୋଟ୍ ଦେବେ ମହାରାଷ୍ଟ୍ରର ଭୋଟର । ତେବେ ତାରିଖ ଘୋଷଣା ସହିତ ମହାରାଷ୍ଟ୍ରରେ ରାଜନୀତି ସରଗରମ ହେଇଛି । ମହାରାଷ୍ଟ୍ରରେ ସିନ୍ଦେ ସରକାର ଏଠାରେ ନିଜ ଶାସନକୁ ଅକ୍ତିଆରରେ ରଖିପାରୁଛି ? ନା ବିରୋଧୀ ମହାରାଷ୍ଟ୍ରରେ ସତ୍ତାର ପରିବର୍ତ୍ତନ କରି କ୍ଷମତାକୁ ଫେରୁଛି, ତାକୁ ନେଇ ଆରମ୍ଭ ହେଇଛି ଚର୍ଚ୍ଚା ଆଲୋଚନା ।
ବିଜେପିର କହିବା କଥା ଏଥର ମହାରାଷ୍ଟ୍ରର ଭୋଟରମାନେ ସରକାର ସପକ୍ଷରେ ଭୋଟ୍ ଦେବେ । ଅନ୍ୟପଟେ ମହାବିକାଶ ଅଘାଡି ମେଣ୍ଟର ଦାବି ଯେ, ମହାରାଷ୍ଟ୍ର ଭୋଟର ସରକାର ବିପକ୍ଷରେ ଭୋଟ୍ ଦେବେ । ତେବେ ସିନ୍ଦେ ସରକାରକୁ ଏଥର କ୍ଷମତାରୁ ହଟେଇବାକୁ ଜୋରଦାର କସରତ କରିପାରେ ମହାବିକାଶ ଅଘାଡି ମେଣ୍ଟ । ଅନ୍ୟପଟେ ଶିବସେନା ଓ ଏନସିପିରେ ବିଦ୍ରୋହ କରି ଅଲଗା ହେଇଥିବା ଏକନାଥ ସିନ୍ଦେ ଓ ଅଜିତ୍ ପାଓ୍ୱାର ମଧ୍ୟ ପୁଣିଥରେ ମହାରାଷ୍ଟ୍ରରେ ସରକାର ଗଢିବାକୁ ଭରପୁର ଉଦ୍ୟମ କରିବେ ।
ମହାରାଷ୍ଟ୍ରର ମୋଟ ବିଧାନସଭା ସିଟ୍ ହେଉଛି ୨୮୮ । ତେଣୁ ସରକାର ଗଢିବାକୁ ହେଲେ ଏଠାରେ ମ୍ୟାଜିକ୍ ନମ୍ବର ରହିଛି ୧୪୫ । ତେଣୁ କେଉଁ ମେଣ୍ଟ ଏହି ମ୍ୟାଜିକ୍ ନମ୍ବରକୁ ଛୁଇଁବା ସହିତ ମହାରାଷ୍ଟ୍ରରେ ସରକାର ଗଢୁଛି ତାହା ଏବେ ବଡ ପ୍ରଶ୍ନ ।
ଗତଥର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦୁଇଟି ମେଣ୍ଟ ଭିତରେ ଲଢେଇ ହେଇଥିଲା । ହେଲେ ଏଥର କିନ୍ତୁ ମହାରାଷ୍ଟ୍ର ରାଜନୀତିର ରୂପ ବଦଳିଯାଇଛି । ୨୦୧୯ ବିଧାନସଭା ନିର୍ବାଚନରେ ଶିବସେନା, ବିଜେପି ମିଶି ମେଣ୍ଟ ଗଠନ କରିବା ସହ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । ଅନ୍ୟପଟେ କଂଗ୍ରେସ ଓ ଏନସିପି ମିଶି ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଲଢୁଥିଲେ । ହେଲେ ଏଥର କିନ୍ତୁ ଶିବସେନା ଓ ଏନସିପି ଉଭୟ ଦଳ ମହାୟୁତି ସରକାରରେ ସାମିଲ ଅଛନ୍ତି । ତେବେ ଫରକ୍ କେବଳ ଏତିକି, ପୂର୍ବଥର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସଂଯୁକ୍ତ ଶିବସେନା ବିଜେପି ସହ ମିଶି ନିର୍ବାଚନ ଲଢୁଥିବାବେଳେ, ଏଥର କିନ୍ତୁ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ବିଜେପି ସହ ମିଶି ମୈଦାନକୁ ଓହ୍ଲାଇବାକୁ ଯାଉଛି ।