କନକ ବ୍ୟୁରୋ: ଆନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ଚାଲୁଥିଲା ବେଳେ ହଠାତ୍‌ ଫ୍ଲଡ୍‌ ଲାଇଟ୍‌ ବନ୍ଦ ହୋଇଗଲା। ଦୋଷ ଦେଲେ ଯେ ଡିଜି ସେଟ୍‌ ପୁରୁଣା ଥିଲା। ସେବେଠୁ ବାରବାଟୀର ଭିତ୍ତିଭୂମି ଉନ୍ନୟନ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ପ୍ରଶ୍ନ ଉଠୁଛି, ବାରମ୍ବାର ଅଘଟଣ ଘଟୁଥିବା ବାରବାଟୀକୁ ସଜାଡ଼ିବା ଦାୟିତ୍ବ କାହାର? ସରକାର ନା ଓସିଏ? କଥା ଏବେ ବିଧାନସଭାରେ ପହଞ୍ଚିଛି।

Advertisment
  • ବାରବାଟୀର ବିକାଶ କରିବ କିଏ?
  • ହାତ ଝାଡ଼ିଦେଲେ ସରକାର
  • ଓସିଏ କୋର୍ଟକୁ ଫିଙ୍ଗିଲେ ବଲ୍‌

ବାରବାଟୀ କ୍ରିକେଟ୍‌ ଷ୍ଟାଡିୟମ୍‌ ନବୀକରଣ ଲାଗି ରାଜ୍ୟ ସରକାରଙ୍କ ପାଖରେ କୌଣସି ଯୋଜନା ନାହିଁ। କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନର ଏଭଳି ଲିଖିତ ଉତ୍ତର ରଖିଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଖାଲି ସେତିକି ନୁହେଁ, ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ଦ୍ବାରା ବାରବାଟୀ କ୍ରିକେଟ୍‌ ଷ୍ଟାଡିୟମ୍‌ ପରିଚାଳିତ ହେଉଥିବା କହି ସରକାର ନିଜ କାନ୍ଧରୁ ଦାୟିତ୍ବ ଖସାଇଛନ୍ତି। 

  • ୬୦୦ କୋଟି ବନ୍ଦୋବସ୍ତ କରିଥିଲା ପୂର୍ବ ସରକାର
  • ନୂଆ ରୂପ ନେଇଥାନ୍ତା ବାରବାଟୀ କ୍ରିକେଟ୍‌ ଷ୍ଟାଡିୟମ୍‌
  • ନୂଆ ସରକାରଙ୍କ ଯୋଜନାରେ ନାହିଁ ବାରବାଟୀ 

ଅନ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ ତୁଳନାରେ ଏଠାରେ ନା ଅଛି ଭଲ ଡ୍ରେସିଂ ରୁମ୍, ପିଚ୍ ନା ଗ୍ୟାଲେରିରେ ବକେଟ୍‌ ସିଟ୍। ଏପରିକି ଓସିଏ ପାଖରେ ନିଜସ୍ଵ ଗ୍ରାଉଣ୍ଡ ନାହିଁ। ସେପଟେ ବହୁ ପୁରୁଣା ଭିଆଇପି କ୍ଲବ୍ ହାଉସ୍‌ର କାନ୍ଥରେ ଗଛ ଉଠିଲାଣି। କବାଟ ଭାଙ୍ଗି ରୁଜି ଗଲାଣି। ପୂର୍ବରୁ ଏକ ୱାନ୍‌ ଡେ ମ୍ୟାଚ୍‌ ବେଳେ ୭ ନମ୍ୱର ଗ୍ୟାଲେରିକୁ ବିପଦପୂର୍ଣ୍ଣ ଦର୍ଶାଇ ଖାଲି ରଖାଯାଇଥିଲା। ଏପରିସ୍ଥଳେ ଉନ୍ନୟନ ଖୋଜୁଥିବା ବାରବାଟୀକୁ କିଏ ସାହା ହେବ, ତାହା ସବୁଠାରୁ ବଡ଼ ପ୍ରଶ୍ନ। 

ଗତ ୫ ବର୍ଷରେ ବିଭିନ୍ନ କ୍ରିକେଟ୍‌ ମ୍ୟାଚ୍‌ ଆୟୋଜନ ବାବଦକୁ ବିସିସିଆଇ ଠାରୁ ୨୦୦ କୋଟିରୁ ଅଧିକ ଟଙ୍କା ପାଇଛି ଓସିଏ। ତେଣେ ସରକାରଙ୍କ ପାଖରେ ନବୀକରଣ ଯୋଜନା ନଥିବା ମନ୍ତ୍ରୀ କହିବା ପରେ ବାରବାଟୀ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଥିବା ଚର୍ଚ୍ଚା ଜୋର ଧରିଲାଣି।