କନକବ୍ୟୁରୋ : ହୋଇପାରୁନି ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ଚୟନ  ।  ରାୟଗଡ଼ାରେ ବରିଷ୍ଠ ନେତାଙ୍କ ସମୀକ୍ଷା, ଭୁବନେଶ୍ୱରରେ ବିଚାରବିମର୍ଶ ଓ ଆଲୋଚନା ପରେ ମଧ୍ୟ ନିଷ୍ପତ୍ତି  ହୋଇପାରୁନି  । ଦଳରେ ଗୋଷ୍ଠୀ କନ୍ଦଳ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଯାହାର ଫାଇଦା ନେବାକୁ ବିଜେପି ଚେଷ୍ଟା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Advertisment

ରାୟଗଡ଼ା ଜିଲ୍ଲା ବିଜେଡିରେ ଗୋଷ୍ଠୀ କନ୍ଦଳ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି  ।  ସଭାପତି ଚୟନ ହୋଇପାରୁନି  ।  ଦୌଡ଼ରେ ତିନିଗୋଷ୍ଠୀର ନେତା  ।  ଗୋଟିଏ ଗୋଷ୍ଠୀ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ସୁଧୀର ଦାଶଙ୍କ ସପକ୍ଷରେ ଓ ଆଉ ଗୋଟିଏ ଗୋଷ୍ଠୀ ପୂର୍ବତନ ରାଜ୍ୟସଭା ସଦସ୍ୟ ଏନ୍. ଭାସ୍କର ରାଓଙ୍କ ସମର୍ଥନରେ ଅଛନ୍ତି ।  

ତୃତୀୟ ଗୋଟିଏ ଗୋଷ୍ଠୀ ଭିତରେ ଭିତରେ ଲବି ଚଳାଇଛି । ପୂର୍ବତନ ମନ୍ତ୍ରୀ  ଲାଲବିହାରୀ ହିମିରିକା, ଜଗନ୍ନାଥ ସାରକା, ନେତା ଅମିୟ ସ୍ବାଇଁ, ଗଙ୍ଗାଧର ପୁଆଲା, ଅନସୂୟା ମାଝୀଙ୍କ ସମେତ ଗୁଣୁପୁରର କିଛି ନେତା ମଧ୍ୟ ଜିଲ୍ଲା ସଭାପତି ପଦ ପାଇଁ ଆଶାୟୀ ଅଛନ୍ତି  । 

ଗୋଷ୍ଠୀ କନ୍ଦଳରେ ପ୍ୟାଚ୍‌ ପକାଇବା ପାଇଁ ମାସକ ତଳେ ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ବରିଷ୍ଠ ନେତା ପଦ୍ମନାଭ ବେହେରା ରାୟଗଡ଼ା ଓ ରାମନା ଗୁଡ଼ାରେ ରୁଦ୍ଧଦ୍ୱାର ବୈଠକ କରିଥିଲେ । ରାମନାଗୁଡ଼ା ବୈଠକରେ ଦୁଇଗୋଷ୍ଠୀ ମଧ୍ୟରେ ତୁତୁ ମେମେ ଦେଖିବାକୁ ମିଳିଥିଲା ।  ରାୟଗଡ଼ା ବୈଠକ କୁ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା ଓ ପୂର୍ବତନ ଜିଲ୍ଲା ସଭାପତି ସୁଧୀର ଦାଶ   ଆସିନଥିଲେ। ଯେଉଁଥିରୁ ବିଜେଡିରେ ଗୋଷ୍ଠୀ କନ୍ଦଳ ଜଳଜଳ ଦେଖା ଦେଇଥିଲା  ।  ସେପଟେ ରାୟଗଡ଼ାରେ ଦୁର୍ବଳ ସ୍ଥିତିରେ ଥିବା ବିଜେପି ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ଦଳରେ ସାମିଲ କରି ନିଜ  ସଂଗଠନକୁ ସୁଦୃଢ଼ କରିବା ପାଇଁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି ।