ରାଜ୍ୟ ବିଜେପିକୁ ଏ ଯାଏଁ ମିଳିଲାନି ରାଜ୍ୟ ସଭାପତି । ସାଙ୍ଗଠନିକ ନିର୍ବାଚନ ସରିବା ସତ୍ତ୍ବେ ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି ରାଜ୍ୟ ବିଜେପି ସଭାପତିଙ୍କ ନାଁ ବି ଘୁଞ୍ଚି ଘୁଞ୍ଚି ଯାଉଛି । ୩୭ ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ୨୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ସରିଛି । ଏବେ ବି ୧୪ ଜିଲ୍ଲାର ନାଁ ଘୋଷଣା ଝୁଲିରହିଛି । ଦଳର ସମ୍ବିଧାନ ଅନୁସାରେ, ଅଧାରୁ ଅଧିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ପରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହେବା କଥା । କିନ୍ତୁ ଏଯାଏ ସଭାପତିଙ୍କ ନାଁ ଘୋଷଣା ନହେବା ଭିନ୍ନ ଭିନ୍ନ ଚର୍ଚ୍ଚାକୁ ଖୋରାକ ଯୋଗାଉଛି। 

Advertisment

ରେସରେ ମନମୋହନ ଓ ଗୋଲକ
ରାଜ୍ୟ ବିଜେପିରେ କିଏ ସଭାପତି ହେବ ତାକୁ ନେଇ ଚର୍ଚ୍ଚା, ଆଲୋଚନା ଜାରି ରହିଛି । ରେସରେ ବର୍ତ୍ତମାନର ସଭାପତି ମନମୋହନ ସାମଲ ଆଗରେ ଅଛନ୍ତି ।  ତୃତୀୟ ଥର ପାଇଁ  ମନମୋହନଙ୍କୁ ଏହି ଗୁରୁଦାୟିତ୍ବ ଦେବାକୁ ବିଜେପି ଚିନ୍ତା କରୁଛି ।  ୨୦୨୪ରେ ମନମୋହନଙ୍କ ନେତୃତ୍ବରେ ବିଜେପି  ନିର୍ବାଚନ ଜିତି ରାଜ୍ୟରେ ସରକାର କରିବାକୁ ସକ୍ଷମ ହୋଇପାରିଥିଲା । ସେହିଭଳି ଦଳର ଆଉଜଣେ ଦୃଢ ସଙ୍ଗଠକ ଗୋଲକ ମହାପାତ୍ରଙ୍କ ନାଁ ଚର୍ଚ୍ଚାରେ ରହିଛି । ଦୀର୍ଘଦିନ ଧରି ବିଜେପିର ସଙ୍ଗଠନ ଦାୟିତ୍ବରେ ରହିଥିବା ଗୋଲକଙ୍କୁ କେନ୍ଦ୍ରୀୟ ନେତୃତ୍ବ ଏହି ଗୁରୁଦାୟିତ୍ବ ଦେଇପାରନ୍ତି । ଏହି ଦୁଇଜଣଙ୍କୁ ବାଦ ଦେଲେ ନୂଆ ଚେହେରା ବି ଶେଷ ମୂହୂର୍ତ୍ତରେ ସାମ୍ନାକୁ ଆସିପାରେ । ୮ ମାସ ପରେ କଂଗ୍ରେସ ରାଜ୍ୟ ମୁଖିଆ ପାଇଲା । ତେଣୁ ଏବେ ବିଜେପି କାହାକୁ ରାଜ୍ୟ ସଭାପତି କରିବ ତା ଉପରେ ସମସ୍ତଙ୍କ ନଜର ରହିଛି ।