କନକ ବ୍ୟୁରୋ : ନୂଆପଡ଼ା ନିର୍ବାଚନକୁ ରୋଚକ କରିବ ଆଦିବାସୀ ଭୋଟବ୍ୟାଙ୍କ । ଆଦିବାସୀ ଭୋଟ୍‌ ନିର୍ଦ୍ଦିଷ୍ଟ ଦଳକୁ ଯାଉନଥିବାରୁ ଏହା ପ୍ରାର୍ଥୀଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ୍‌ ପାଲଟିବ । ତେଣୁ ଯିଏ ସର୍ବାଧିକ ଆଦିବାସୀଙ୍କ ଭରସା ଜିଣିବ ତାହାର ବିଜୟ ସମ୍ଭାବନା ସେତେ ଅଧିକ ବଢ଼ିବ । ନୂଆପଡ଼ା ଉପ-ନିର୍ବାଚନ ପାଇଁ ସରଗରମ ହେଲାଣି ପ୍ରଚାର ମଇଦାନ । କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ପ୍ରଚାରକୁ ଜୋରଦାର କରିଥିବା ବେଳେ ବିଜେପି ଓ ବିଜେଡିର ଆଶାୟୀ ପ୍ରାର୍ଥୀ ଦଳବଳ ଘେନି ଏବେ ଆଦିବାସୀ ଗାଁ ମୁହାଁ । କାରଣ ନୂଆପଡ଼ାର ନୂଆ ବିଧାୟକ ବାଛିବା କ୍ଷେତ୍ରରେ ଆଦିବାସୀଙ୍କର ରହିବ ସବୁଠୁ ବଡ଼ ଭୂମିକା । ନୂଆପଡ଼ାରେ ମୋଟ ୨ ଲକ୍ଷ ୫୩ ହଜାର ଭୋଟରଙ୍କ ମଧ୍ୟରୁ ଆଦିବାସୀ ଭୋଟ ଅଧାରୁ ଅଧିକ । ହେଲେ ଆଦିବାସୀଙ୍କ ଭୋଟ୍‌ବ୍ୟାଙ୍କ ନୂଆପଡ଼ାରେ ଭାଗ ଭାଗ । ଯାହାର ଝଲକ ଗତ ନିର୍ବାଚନ ଗୁଡିକରେ ମଧ୍ୟ ଦେଖିବାକୁ ମିଳିଛି । ଚଳିତ ନିର୍ବାଚନରେ ମଧ୍ୟ ତାହାର ପୁନରାବୃତ୍ତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଆଦିବାସୀଙ୍କ ସର୍ବାଧିକ ସମର୍ଥନ ରହିଥିବା ଦାବି କରିଛି ୩ ଦଳ ।  

Advertisment

ଆଦିବାସୀ ବହୁଳ ନୂଆପଡ଼ା ଆସନ ଦଖଲ କରିବାକୁ ଆଦିବାସୀ କାର୍ଡ ଖେଳିଛି କଂଗ୍ରେସ । ଘାସିରାମ ମାଝୀଙ୍କୁ ଦଳ ପ୍ରାର୍ଥୀ କରି ଆଦିବାସୀ ଭୋଟବ୍ୟାଙ୍କର ସିଂହଭାଗକୁ ହାତେଇବାକୁ ରଣନୀତି କରିଛି । ହେଲେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଏକ ଚିଠି କଂଗ୍ରେସର ଚିନ୍ତା ବଢ଼ାଇଛି । ଅନ୍ୟପଟେ ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ବିଭିନ୍ନ ସମାବେଶ ଜରିଆରେ ଆଦିବାସୀ ଭୋଟରଙ୍କୁ ନିଜ ସପକ୍ଷକୁ ନେବାକୁ ଭରପୂର ପ୍ରୟାସ କରୁଛନ୍ତି । ୩ ଦଳର ହିସାବକିତାବ ଭିତରେ କିଏ ହାତେଇବ ଆଦିବାସୀଙ୍କ ଭୋଟ? କାହାକୁ ଭରସିବେ ଆଦିବାସୀ ଭୋଟର?  ତାହା ଉପରେ ସଭିଙ୍କ ନଜର ।