କନକ ବ୍ୟୁରୋ: ଛାତ୍ର ସଭାପତି ବଛାହେଲା, ଯୁବ ସଭାପତି ବି ବଛା ସରିଲା? ଏବେ ପ୍ରଶ୍ନ କିଏ ହେବ ବିଜୁ ମହିଳା ଜନତା ଦଳ (BMJD)ର ସଭାପତି? ମଙ୍ଗଳବାର ବିଜେଡି ସୁପ୍ରିମୋ ବିଜୁ ଛାତ୍ର ଜନତା ଦଳ ଏବଂ ବିଜୁ ଯୁବ ଜନତା ଦଳର ନୂଆ ସଭାପତିଙ୍କୁ ନିଯୁକ୍ତ କରିଛନ୍ତି । ଛାତ୍ର ସଭାପତି ଭାବେ ଇପସିତା ସାହୁଙ୍କୁ ଦାୟିତ୍ୱ ମିଳିଥିବାବେଳେ, ଯୁବ ସଭାପତି ଭାବେ ଚିନ୍ମୟ ସାହୁଙ୍କୁ ଦାୟିତ୍ୱ ଦେଇଛି ବିଜେଡି । ତେଣୁ ଏବେ ପ୍ରଶ୍ନ ଉଠୁଛି କିଏ ହେବ ବିଜୁ ମହିଳା ଜନତା ଦଳର ସଭାପତି?
ବିଜୁ ମହିଳା ଜନତା ଦଳର ସଭାପତି ହେବା ପାଇଁ ରେସରେ ଅନେକ ନେତା ଅଛନ୍ତି । ହେଲେ ତା ଭିତରୁ କାହାକୁ ବିଜେଡି ସୁପ୍ରିମୋ ଭରସା କରିବେ ତାହା ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ।
ଟୁକୁନି ସାହୁ
ପୂର୍ବତନ ବିଧାୟିକା ଟୁକୁନି ସାହୁ ଏଥର ବିଜୁ ମହିଳା ଜନତା ଦଳର ସଭାପତି ରେସରେ ଅଛନ୍ତି । ଦୁଇ ଦୁଇ ଥରର ବିଧାୟିକା ତା ସାଙ୍ଗକୁ ନବୀନ ସରକାରରେ ମନ୍ତ୍ରୀ । ଟିଟିଲାଗଡ଼ର ଏହି ପୂର୍ବତନ ବିଧାୟକ ଅନେକ ପ୍ରସଙ୍ଗରେ, ଦଳର ଚେହେରା ସାଜି ସାମ୍ନାକୁ ଆସନ୍ତି । ତେଣୁ ଦଳ ତାଙ୍କୁ ଏଥର ବଡ଼ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ନିକଟରେ ନବୀନ ଗଠନ କରିଥିବା ରାଜନୈତିକ ବ୍ୟାପାର କମିଟିରେ ମଧ୍ୟ ତାଙ୍କୁ ସ୍ଥାନ ମିଳିଛି ।
ସ୍ନେହାଙ୍ଗିନୀ ଛୁରିଆ
ପୂର୍ବରୁ ବିଜୁ ମହିଳା ଜନତା ଦଳର ସଭାପତି ରହିସାରିଥିବା ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଏଥର ପୁଣିଥରେ BMJDର ସଭାପତି ହେବା ପାଇଁ ରେସରେ ଅଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ସେ ଅତାବିରାରୁ ହାରିଯାଇଛନ୍ତି ସତ, ହେଲେ ଏବେ ବି ତାଙ୍କ ସଙ୍ଗଠନକୁ ଦେଖି ଦଳ ତାଙ୍କୁ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ସ୍ନେହାଙ୍ଗିନୀ ବିଜେଡିର ଜଣେ ଭଲ ମହିଳା ଚେହେରା ହେଇଥିବାରୁ, ଦଳ ତାଙ୍କୁ ଗୁରୁ ଦାୟିତ୍ୱ ଦେଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ଲେଖାଶ୍ରୀ ସାମନ୍ତସିଂହାର
ବିଜେପିରୁ ଆସି ବିଜେଡିରେ ସାମିଲ ହେଇଥିବା ଲେଖାଶ୍ରୀ, ଜଣେ ଭଲ ବକ୍ତା ବୋଲି ଆପଣ ନିଶ୍ଚୟ ଜାଣିଥିବେ । ପ୍ରେସମିଟରେ ସରକାରକୁ ଟାର୍ଗେଟ୍ କରି, ସରକାରକୁ ହରଡ଼ଘଣାରେ ପକାଇବାରେ ବେଶ ମାହିର ଲେଖାଶ୍ରୀ । ଗତ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ବାଲେଶ୍ୱର ଭଳି ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା । ହେଲେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ କିନ୍ତୁ ତାଙ୍କୁ ନିର୍ବାଚନରେ ହରାଇ ଦେଇଥିଲେ । ହେଲେ ତା ପରେ ମଧ୍ୟ ଅନେକ ପ୍ରସଙ୍ଗରେ ଦଳ ତାଙ୍କୁ ସାମ୍ନାକୁ ଆଣିବା ସହିତ, ବଡ଼ ଦାୟିତ୍ୱ ଦେଉଛି । ତେଣୁ ବିରୋଧୀ ଆସନରେ ବସିଥିବାରୁ, ଏଥର ଲେଖାଶ୍ରୀଙ୍କ ଭଳି ନେତ୍ରୀଙ୍କ ଦଳ ମହିଳା ସଭାପତି କରିପାରେ ବୋଲି କୁହାଯାଉଛି ।
ଶର୍ମିଷ୍ଠା ସେଠୀ
ଯାଜପୁରର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ମଧ୍ୟ ବିଜୁ ମହିଳା ଜନତା ଦଳର ସଭାପତି ହେବା ରେସରେ ଅଛନ୍ତି । ୨୦୧୯ରେ ଯାଜପୁରରୁ ସାଂସଦ ହେଇଥିବା ଶର୍ମିଷ୍ଠା ଏଥର ନିର୍ବାଚନରେ ହାରିଯାଇଛନ୍ତି । ୨୦୨୪ରେ ଦଳ ତାଙ୍କୁ ଯାଜପୁର ଆସନରୁ ଆଉ ଥରେ ପ୍ରାର୍ଥୀ କରିଥିଲା, ହେଲେ ବିଜେପି ପ୍ରାର୍ଥୀ ରବୀନ୍ଦ୍ର ନାରାୟଣ ବେହେରା କିନ୍ତୁ ତାଙ୍କୁ ମାତ୍ର ଦୁଇ ହଜାରରୁ କମ୍ ଭୋଟରେ ହରାଇ ଦେଇଥିଲେ । ହେଲେ ତା ପରେ ବି ଦଳ ତାଙ୍କୁ ଦେଇପାରେ ଗୁରୁ ଦାୟିତ୍ୱ ।