କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟି । ଦେଶର ଅଧିକାଂଶ ରାଜ୍ୟରେ ଏବେ ବିଜେପି ସରକାର । ନଡ୍ଡାଙ୍କ ନେତୃତ୍ବରେ ଦଳ ଲୋକସଭା ନିର୍ବାଚନରେ ବିଜୟର ସ୍ବାଦ ଚାଖିଛି । ହେଲେ ବିଜେପିର ନୀତି ଅନୁସାରେ ଜଣିଏ ନେତା ଗୋଟିଏ ପଦରେ ରହୁଥିବା ଦେଖାଯାଏ । ତେଣୁ ନଡ୍ଡାଙ୍କ ପରେ ସଭାପତି ପଦରେ କିଏ ବସିବେ ତାହାକୁ ନେଇ ଚର୍ଚ୍ଚା ଜୋର ।
ବିହାର, ଗୁଜୁରାଟ ଓ ବଙ୍ଗର ବିଧାନସଭା ନିର୍ବାଚନ
ଭାବିଚିନ୍ତି ମଙ୍ଗୁଆଳ ବାଛିବେ ମୋଦୀ
ଆଗାମୀ ଦିନରେ ବିହାର, ପଶ୍ଚିମବଙ୍ଗ ଓ ଗୁଜୁରାଟ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତେଣୁ ଦଳ ଏବେଠୁ ରଣନୀତି କଲାଣି । ଏମିତି ସ୍ଥିତିରେ ସଭାପତି ଆସନରେ କିଏ ବସିବ ସେନେଇ ଚାଲିଛି ମାନସମନ୍ଥନ । ତେବେ କିଛି ନେତାଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଛି ଆସନ୍ତୁ ସେମାନଙ୍କ ଉପରେ ନଜର ପକାଇବା...
ସଭାପତି ପାଇଁ ଦାବିଦାର ନେତା
ଜି କିଶନ ରେଡ୍ଡୀ... ରାଷ୍ଟ୍ରୀୟ ସଭାପତି ପଦ ପାଇଁ ଚୟନ ଯଦି ଦକ୍ଷିଣ ଭାରତରୁ ହୁଏ ତେବେ ରେଡ୍ଡିଙ୍କ ନାମ ପ୍ରଥମେ ଆସେ । ରେଡ୍ଡୀ ତେଲେଙ୍ଗାନାର ସାଂସଦ ପୁଣି କେନ୍ଦ୍ରମନ୍ତ୍ରୀ ଅଛନ୍ତି । ଯିଏକି ଗତ ୪୫ ବର୍ଷ ଧରି ଦଳ ସହିତ ରହିଆସୁଛନ୍ତି । ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସଭାପତିଠାରୁ ଆରମ୍ଭ କରି ବିଧାୟକ ଏବଂ ଦଳର ରାଜ୍ୟ ସଭାପତିଠୁ ନେଇ ସାଂସଦ ପର୍ୟ୍ୟନ୍ତ ବିଭିନ୍ନ ପଦପଦବୀରେ ତାଙ୍କର ଅଭିଜ୍ଞତା ରହିଛି । ସେ ତେଲେଙ୍ଗାନାରେ ବିଜେପି ରାଜ୍ୟ ସଭାପତି ମଧ୍ୟ ଅଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନ...୨୦୧୪ରୁ ଲଗାତାର କେନ୍ଦ୍ରମନ୍ତ୍ରୀର ଭାର ସମ୍ଭାଳି ଆସୁଥିବା ଧର୍ମେନ୍ଦ୍ରଙ୍କ ଉପରେ ମୋଦୀଙ୍କ ଅତୁଟ ଭରସା । ଓଡ଼ିଶାରେ ବିଜେପି ଶାସନ ଗାଦିରେ ବସିବା ପଛରେ ତାଙ୍କର ବଡ଼ ଭୂମିକା ରହିଛି । ସେ ଗତବର୍ଷ ହରିୟାଣା ଏବଂ ୨୦୨୨ରେ ଉତ୍ତରପ୍ରଦେଶର ନିର୍ବାଚନର ଗୁରୁ ଦାୟିତ୍ୱ ନେଇଥିଲେ ଏବଂ ଉଭୟ ରାଜ୍ୟରେ ବିଜେପି ସତ୍ତାକୁ ଫେରିଥିଲା । ଦଳ ପାଇଁ ସେ ଆସେଟ୍ ତେଣୁ ତାଙ୍କୁ ବି ସଭାପତି ପଦ ମିଳିପାରେ ।
ଭୂପେନ୍ଦ୍ର ଯାଦବ...ଯାଦବଙ୍କ ସ୍ୱଭାବ ଏବଂ କାର୍ଯ୍ୟ ନୀତି ବେଶ୍ ସୁଦୃଢ । ନିକଟରେ ହୋଇଥିବା ମହାରାଷ୍ଟ୍ର ନିର୍ବାଚନର ଦାୟିତ୍ୱ ଭାର ଥିଲା ଭୂପେନ୍ଦ୍ରଙ୍କ କାନ୍ଧରେ ଏବଂ ସେଠାରେ ବିଜେପିକୁ ମିଳିଥିଲା ଐତିହାସିକ ବିଜୟ । ଯାଦବ ରାଜସ୍ଥାନର ହୋଇଥିବା ବେଳେ ଏଥର ଆଜମେରରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ପ୍ରଧାନଙ୍କ ପରି, ସେ ମଧ୍ୟ ଜଣେ ଦକ୍ଷ ସଂଗଠକ ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର କ୍ଷମତା ରଖନ୍ତି ।
ମନୋହର ଲାଲ ଖଟ୍ଟର...କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର । ଯାହାଙ୍କ ପାଖରେ ଆରଏସଏସର ସମର୍ଥନ ଅଛି । ଖଟ୍ଟର ନରେନ୍ଦ୍ର ମୋଦୀଙ୍କ ଜଣେ ଘନିଷ୍ଠ ସହଯୋଗୀ । ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ ସେ ପୂର୍ବରୁ ହରିୟାଣାରେ ଜୋରଦାର ପ୍ରଚାର ବି କରିଥିଲେ ।
ଶିବରାଜ ସିଂହ ଚୌହ୍ବାନ...କିଛି ଲୋକ ଚୌହ୍ବାନଙ୍କୁ ମଧ୍ୟ ସମ୍ଭାବ୍ୟ ପ୍ରାର୍ଥୀ ଭାବରେ ବିଚାର କରୁଛନ୍ତି । ଯିଏ କି ଅନେକ ଥର ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି କିନ୍ତୁ ୨୦୨୩ ରେ ମଧ୍ୟପ୍ରଦେଶରେ ଜିତିବା ତାଙ୍କୁ କେନ୍ଦ୍ର କୃଷି ମନ୍ତ୍ରୀ ଭାବରେ ଦାଇତ୍ୱ ଦେଇ ଦିଲ୍ଲୀ ଅଣାଯାଇଥିଲା ।
ଯଦି ଦଳ ଜଣେ ମହିଳାଙ୍କୁ ରାଷ୍ଟ୍ରୀୟ ସଭାପତି କରିବାକୁ ଦଳ ଚାହେଁ ତେବେ ତାମିଲନାଡୁରୁ ଆସିଥିବା ବିଜେପି ମହିଳା ମୋର୍ଚ୍ଚା ମୁଖ୍ୟଙ୍କ ନାମ ପ୍ରଥମେ ଆସେ ।
ବନଥି ଶ୍ରୀନିବାସନ...୨୦୨୧ ବିଧାନସଭା ନିର୍ବାଚନରେ କମଲ ହାସନଙ୍କୁ ପରାସ୍ତ କରିଥିବା ଶ୍ରୀନିବାସନ ତାମିଲନାଡୁ କୋଏମ୍ବାଟୁରର ବିଧାୟକ ମଧ୍ୟ ଅଛନ୍ତି । ସେ ଜଣେ ଦକ୍ଷ ନାରୀ ନେତ୍ରୀ ହୋଇଥିବାରୁ ସେ ମଧ୍ୟ ଏହି ଦୌଡରେ ସାମିଲ ଅଛନ୍ତି । ବିଜେପି ମହଲରେ ଆଉ ଜଣେ ମହିଳାଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଅଛି । ସେ ହେଉଛନ୍ତି,
ଡି ପୁରନ୍ଦେଶ୍ୱରୀ...ଲୋକସଭା ସାଂସଦ ଏବଂ ଆନ୍ଧ୍ର ପ୍ରଦେଶର ବିଜେପି ରାଜ୍ୟ ସଭାପତି ଅଛନ୍ତି ପୁରନ୍ଦେଶ୍ୱରୀ । ଅନେକ ତାଙ୍କୁ 'ସୁଷମା ସ୍ୱରାଜ' ବୋଲି ସମ୍ବୋଧନ କରନ୍ତି । ସେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମା ରାଓଙ୍କ ଝିଅ । ଏହା ସହ ସେ ଏନଡିଏର ପ୍ରମୁଖ ସହଯୋଗୀ ବର୍ତ୍ତମାନର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଭଉଣୀ । ଆଗକୁ ଦକ୍ଷିଣ ରାଜ୍ୟରେ ନିର୍ବାଚନ ହେବାକୁ ଥିବାରୁ ଏହି ଦୁଇ ନାରୀ ନେତ୍ରୀଙ୍କ ନାମ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
ମୋଟ୍ ଉପରେ, ବିଜେପିର ସଭାପତି ଚୟନକୁ ନେଇ ଦେଶଠୁ ଆରମ୍ଭ କରି ରାଜ୍ୟରେ ଚର୍ଚ୍ଚା ଜୋର । ଅବଶ୍ୟ ଏନେଇ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନି । ତେବେ ଦେଖିବା ବାକି ରହିଲା କିଏ ଧରୁଛି ବିଜେପିର ମଙ୍ଗ ।