କନକ ବ୍ୟୁରୋ: ରାଉରକେଲା ବିଜେଡିରେ ଚାଲିଛି ଅଙ୍କକଷା । କିଏ ଧରିବେ ଦଳର ମଙ୍ଗ ? ଛିଣ୍ଡୁନି ଅଙ୍କ । ବିଜେଡି ସଭାପତି ହେବାକୁ ଚାଲିଛି ଟଣାଓଟରା । ବିଜେଡି ଶାସନରୁ ହଟିବା ପରେ ଦଳରେ ବିଶୃଙ୍ଖଳା ପଦାକୁ ଆସିଛି । ରାଜ୍ୟ ବିଜେଡିରେ ମେଳି ଚାଲିଥିବା ବେଳେ ରାଉରକେଲା ଜିଲ୍ଲା ବିଜେଡି ସଭାପତି କିଏ ହେବେ, ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି l
ଦାଣ୍ଡରେ ପଡ଼ି ହାଟରେ ଗଡୁଛି ରାଉରକେଲା ବିଜେଡି କଳି । ରାଉରକେଲାରେ ବିଜେପି ଜିଲ୍ଲା ସଭାପତି ବାଛି ସାରିଥିବା ବେଳେ ବିଜେଡି ନିଷ୍ପତ୍ତି ନେଇପାରୁନି । ବିଜେଡି ସଭାପତି ଦୌଡ଼ରେ କିଛି ନେତାଙ୍କ ନାଁ ସାମ୍ନାକୁ ଆସିଛି । ବିଧାୟକ ସାରଦା ନାୟକ ୨୦୧୫ରୁ ଜିଲ୍ଲା ସଭାପତି ଦାୟିତ୍ୱ ତୁଲାଇ ଆସୁଛନ୍ତି l ପୂର୍ବତନ ମନ୍ତ୍ରୀ ସୁବ୍ରତ ତରାଇ ବି ରେସ୍ରେ ଅଛନ୍ତି । ବିଜେଡିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ଓ କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ବୀରେନ ସେନାପତିଙ୍କୁ ନେଇ ଚର୍ଚ୍ଚା ହେଉଛି । ତେବେ ଦଳ ଯାହା ଦାୟିତ୍ୱ ଦେବ, ତାକୁ ସୁଚାରୁ ରୂପେ ତୁଲାଇବୁ ବୋଲି ନେତା କହିଛନ୍ତି ।
ଏଠି ପ୍ରଶ୍ନ ଉଠୁଛି, କାହିଁକି ରାଉରକେଲା ସଭାପତି ପଦ ଘୋଷଣା ଝୁଲାଇ ରଖିଛି ରାଜ୍ୟ ବିଜେଡି ? ଗୋଷ୍ଠୀ କନ୍ଦଳ ଯୋଗୁ ହୋଇପାରୁନି କି ଫଇସଲା ? ସଭାପତି ପଦ ଝୁଲି ରହିଥିବାରୁ ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି l ଗୋଷ୍ଠୀ କନ୍ଦଳ ଓ ପଦ ନିଶା ସଭାପତି ଅଙ୍କକୁ ଗୋଳମାଳ କରିପାରେ ବୋଲି ତେରେଚ୍ଛା ବାଣ ମାରିଛନ୍ତି ବିରୋଧୀ । ଆଗକୁ ବିଜେଡିରେ ଅଡ଼ୁଆ ବଢ଼ିପାରେ। କାରଣ ଅନେକ ନେତା ଏବେ ଦଳ ପରିବର୍ତ୍ତନ କରିବାକୁ ଚାହୁଥିବା ବିଜେପି କହିଛି l