କନକ ବ୍ୟୁରୋ: ବିହାରରେ ବିଧାନସଭା ନିର୍ବାଚନ ଯେତିକି ପାଖୋଉଛି, ରାଜନୀତି ମଧ୍ୟ ସେତିକି ସରଗରମ ହେଉଛି । ହେଲେ ଏଯାଏଁ କିନ୍ତୁ ବିହାରରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଅଙ୍କ ଛିଣ୍ଡିପାରୁନି । ମହାମେଣ୍ଟରେ ଏହି ଗୋଳିଆ ପରିସ୍ଥିତି ଟିକେ ଅଧିକ ଥିବାବେଳେ, ଏନଡିଏରେ ବି ସେହି ସମାନ ସ୍ଥିତି । ମହାମେଣ୍ଟରେ କଂଗ୍ରେସ, ଆରଜେଡି ସହିତ ମିଶି ନିର୍ବାଚନ ଲଢୁଛି ସତ, ହେଲେ ଯେବେ ବି ମୁଖ୍ୟମନ୍ତ୍ରୀ ଚେହେରା ଭାବେ ତେଜସ୍ୱୀଙ୍କ କଥା ଆସୁଛି, ସେତେବେଳେ ପଛଘୁଞ୍ଚା ଦେଉଛନ୍ତି କଂଗ୍ରେସ ନେତା । ଅନ୍ୟପଟେ ଏନଡିଏରେ ନୀତିଶଙ୍କ ନାଁକୁ ନେଇ କଥା ଛିଣ୍ଡିଥିଲେ ବି, କୌଣସି ମୁହୂର୍ତ୍ତରେ ବାଜି ପଲଟିଲା ଭଳି ଜଣାପଡୁଛି ।

Advertisment

ବିହାରରେ ଏବେ ରାହୁଲ ଗାନ୍ଧୀଙ୍କ ଭୋଟ୍ ଅଧିକାର ଯାତ୍ରା ଚାଲିଛି । ଆଉ ଏହାରି ଭିତରେ ରବିବାର ତାଙ୍କୁ କିଛି ସାମ୍ବାଦିକ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ପ୍ରଶ୍ନ କରିଥିଲେ । ତେଜସ୍ୱୀଙ୍କୁ କାହିଁକି କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରୁନି ବୋଲି ସାମ୍ବାଦିକ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଥିଲେ । ହେଲେ ଏହାର କିନ୍ତୁ ସିଧାସଳଖ ଉତ୍ତର ରଖିନଥିଲେ ରାହୁଲ ଗାନ୍ଧୀ ।

ସିଧା ନହେଲେ ବି ପରୋକ୍ଷରେ ରାହୁଲ ଗାନ୍ଧୀ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇନଥିଲେ । ଯାହାକି ପ୍ରମାଣ କରିଦେଇଥିଲା ବିହାରରେ କଂଗ୍ରେସର ମୁଡ୍ କେମିତି ଅଛି । ବିହାରର କଂଗ୍ରେସ ନେତାମାନେ ଏଥର ବିନା କୌଣସି ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ମନ ସ୍ଥିର କରିଛନ୍ତି । ଯେଉଁଥିପାଇଁ ରାହୁଲ ଏହି ପ୍ରସଙ୍ଗରେ ଚୁପ୍ ରହୁଥିବା କୁହାଯାଉଛି ।

ଏପଟେ ଏନଡିଏରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସାମ୍ନାରେ ରଖି ଏନଡିଏ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ । ହେଲେ କୌଣସି ମୁହୂର୍ତ୍ତରେ ବି ବାଜି ପଲଟିଲା ଭଳି ସନ୍ଦେଶ ଆସୁଛି । ଯଦି ଏଥର ନିର୍ବାଚନରେ ବିଜେପି, ଜେଡିୟୁଠାରୁ ଅଧିକ ସିଟ୍ ଜିତିନିଏ, ତେବେ ବିହାରରେ ଏଥର ବିଜେପି ନିଜର ନେତାଙ୍କୁ ମୁଖ୍ୟମନ୍ତ୍ରୀ ଚେୟାରରେ ବସାଇବାକୁ ଅଙ୍କ କଷୁଥିବା ଚର୍ଚ୍ଚା ହେଉଛି ।

ବିହାର ରାଜନୀତିର ଏବେ କେନ୍ଦ୍ରରେ ଅଛନ୍ତି ଦୁଇଟି ମେଣ୍ଟ । ଗୋଟିଏ ହେଲା ଏନଡିଏ, ଆଉ ଗୋଟିଏ ହେଲା ମହାମେଣ୍ଟ । ଏନଡିଏ ନୀତିଶଙ୍କୁ ନେତା କରି ମୈଦାନକୁ ଓହ୍ଲାଇଥିବାବେଳେ, ମହାମେଣ୍ଟରେ କିଏ ମୁଖ୍ୟମନ୍ତ୍ରୀ ଚେହେରା ହେବ, ତାହା ସବୁଠୁ ବଡ଼ ପ୍ରଶ୍ନ ।