କନକ ବ୍ୟୁରୋ: ବିଜେପି ରାଜ୍ୟ ସଙ୍ଗଠନର ଖୁବଶୀଘ୍ର ହେବ ନବକଳେବର ।  ଏ ସମ୍ପର୍କରେ ଆଲୋଚନା  କରିବା ପାଇଁ ଦିଲ୍ଲୀ ଯାଇଛନ୍ତି ବିଜେପି ନିର୍ବାଚନ ଅଧିକାରୀ ପ୍ରତାପ ଷଡଙ୍ଗୀ ଓ ରାଜ୍ୟ ସଭାପତି ମନମୋହନ ସାମଲ । ସମସ୍ତଙ୍କ ନଜର ରହିଛି ମନମୋହନ ସାମଲ ରିପିଟ ହେବେ ନା ନୂଆ ସଭାପତି ଦେଖିବ ରାଜ୍ୟ ।

Advertisment

ରାଜ୍ୟ ସାଙ୍ଗଠନିକ ନିର୍ବାଚନ ପାଇଁ ବିଜେପିର କସରତ ଜୋରଦାର ହୋଇଛି । ଏହି ପ୍ରସଙ୍ଗରେ ଡାକରା ପାଇ ଦିଲ୍ଲୀ ଯାଇଛନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । ରାଜ୍ୟର ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରତାପ ଷଡଙ୍ଗୀଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ଦିଲ୍ଲୀ କାର୍ୟ୍ୟାଳୟରେ ବିଜେପିର ସାଙ୍ଗଠନିକ ନିର୍ବାଚନ ବୈଠକରେ ପ୍ରତାପ ଯୋଗ ଦେବେ।  ଏହାସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବି ଦିଲ୍ଲୀ ଯାଇଛନ୍ତି । ରାଜ୍ୟ ସଙ୍ଗଠନର ନବକଳେବର ସମ୍ପର୍କରେ ବୈଠକରେ ଆଲୋଚନା ହେବ ।

-ପ୍ରତି ୩ ବର୍ଷରେ ବିଜେପିର ସାଙ୍ଗଠନିକ ନିର୍ବାଚନ ହୁଏ
-ବୁଥ, ମଣ୍ଡଳ, ଜିଲ୍ଲା ଓ ରାଜ୍ୟ ସ୍ତରରେ ହେବ ନିର୍ବାଚନ 

ପ୍ରତାପ ଷଡଙ୍ଗୀଙ୍କୁ ବାଦଦେଲେ ସହ  ନିର୍ବାଚନ ଅଧିକାରୀ ଭାବେ ୩ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ସାଂସଦ ସୁକାନ୍ତ ପାଣିଗ୍ରାହୀ, ସୁକେଶି ଓରାମ, ଯତୀନ ମହାନ୍ତି ସହ ନିର୍ବାଚନ ଅଧିକାରୀ ରହିବେ । ଚଳିତ ମାସ ଶେଷରେ ବିଜେପିର ସଦସ୍ୟତା ଅଭିଯାନ ଶେଷ ହେବ । ଏହାପରେ ଆରମ୍ଭ ହେବ ବିଜେପିର ସାଙ୍ଗଠନିକ ନିର୍ବାଚନ ।   

-ରାଜ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ନିର୍ବାଚନ ଅଧିକାରୀ ନିଯୁକ୍ତ କରିବେ
-ଜିଲ୍ଲା ନିର୍ବାଚନ ଅଧିକାରୀ ମଣ୍ଡଳ ଅଧିକାରୀ ବାଛିବେ
-ମଣ୍ଡଳ ଅଧକାରୀ ବୁଥ ସ୍ତରୀୟ ନିର୍ବାଚନ କରାଇବେ 

ଚଳିତ ବର୍ଷ ଶେଷ ସୁଦ୍ଧା ବିଜେପିର ସାଙ୍ଗଠନିକ ନିର୍ବାଚନ ସରିବ । ତେବେ ମନମୋହନ ସାମଲ ପୁଣି ରାଜ୍ୟ ସଭାପତି ହେବେ ନା ଆଉ କିଏ ମଙ୍ଗ ଧରିବ ସେ ଉପରେ ସମସ୍ତଙ୍କ ନଜର ରହିଛି ।