କନକ ବ୍ୟୁରୋ: ବିହାରରେ ରାଜନୀତିରେ ଏବେ ବି ଦୁଇ ପ୍ରମୁଖ ମେଣ୍ଟ ଭିତରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ପ୍ରଶ୍ନ ଚିହ୍ନ ଲାଗି ରହିଛି । ଗୋଟିଏ ପଟେ ଏନଡିଏ ନୀତିଶଙ୍କୁ ନିଜର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସାମ୍ନାକୁ ଆଣୁଥିଲେ ବି, ନୀତିଶଙ୍କୁ ନେଇ ଏବେ ବି ମେଣ୍ଟ ଭିତରେ ସବୁକିଛି ଠିକ୍ ଚାଲିନି । ଏପଟେ ମହାମେଣ୍ଟରେ ତେଜସ୍ୱୀଙ୍କୁ ନେଇ କଥା ଛିଣ୍ଡିପାରୁନି । ତା ସହିତ ଚିରାଗ ପାସଓ୍ୱାନ୍ ଏନଡିଏ ମେଣ୍ଟରୁ ଅଲଗା ହେଇ ନିର୍ବାଚନ ଲଢ଼ିବା ଆଉ ପ୍ରଶାନ୍ତ କିଶୋରଙ୍କ ଆର୍ବିଭାବ ବିହାର ରାଜନୀତିକୁ ଆହୁରି ଅଧିକ ରୋଚକ କରିଛି । 

Advertisment

ଏନଡିଏର ନୀତିଶ

ଚଳିତ ବର୍ଷ ଶେଷ ଆଡ଼କୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଆଉ ଏହା ପୂର୍ବରୁ ବିହାରର ବିଜେପି ଏବଂ ଜେଡିୟୁ ଅଫିସରେ ମୋଦୀ ଏବଂ ନୀତିଶଙ୍କ ପୋଷ୍ଟର ଲାଗି ସାରିଛି । ତେଣୁ ଏଥର ବିହାରରେ ଯଦି ଏନଡିଏ ପୁଣିଥରେ ସତ୍ତା ଅକ୍ତିଆର କରେ, ତେବେ ନୀତିଶ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ଏବଂ ଜେଡିୟୁ ନେତା ଦାବି କରୁଛନ୍ତି । ହେଲେ ପ୍ରଶ୍ନ ଉଠୁଛି, ଯଦି ବିଜେପି ବିହାରରେ ଆଶାଠାରୁ ଅଧିକ ସିଟ୍ ଜିତେ ତେବେ ସତରେ କଣ ନୀତିଶ ମୁଖ୍ୟମନ୍ତ୍ରୀ ରହିବେ?

ଏହା ପୂର୍ବରୁ ମହାରାଷ୍ଟ୍ରରେ ବିଜେପି ବଡ଼ ଭାଇ ଭୂମିକାରେ ଆସିବା ପରେ ମୁଖ୍ୟମନ୍ତ୍ରୀ ସିଟ୍ ନିଜ ପାଖରେ ରଖିଥିଲା । ଯଦି ସେହି ଫର୍ମୁଲାରେ ବିହାରରେ ଦଳ ଭଲ ସଂଖ୍ୟାରେ ସିଟ୍ ଅକ୍ତିଆର କରିପାରେ, ତେବେ ନୀତିଶଙ୍କ ଜାଗାରେ ବିଜେପି ନିଜ ଦଳର ନେତାଙ୍କୁ ମୁଖ୍ୟମନ୍ତ୍ରୀ ଚେୟାରରେ ବସାଇପାରେ । ଖାସ୍ କରି ବର୍ତ୍ତମାନ ବିହାରର ଉପ-ମୁଖ୍ୟମନ୍ତ୍ରୀ ଥିବା ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନାଙ୍କୁ ଦଳ ସାମ୍ନାକୁ ଆଣି ମୁଖ୍ୟମନ୍ତ୍ରୀ କରାଇପାରେ ବୋଲି ଚର୍ଚ୍ଚା ହେଉଛି ।

ମହାମେଣ୍ଟରେ ତେଜସ୍ୱୀଙ୍କୁ ନେଇ ଅଙ୍କ ଛିଡୁନି

ବିହାରରେ ମହାମେଣ୍ଟ ଏବେ ସତ୍ତା ଦଖଲ ପାଇଁ ଜୋରଦାର ଚେଷ୍ଟା ଚଳାଇଛି । ହେଲେ ମେଣ୍ଟରେ କିନ୍ତୁ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଏବେ ବି ଅଙ୍କ ଛିଣ୍ଡିପାରୁନି । ଆରଜେଡି ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ସାମ୍ନାକୁ ଆଣୁଛି, ହେଲେ କଂଗ୍ରେସ କିନ୍ତୁ ଏ ରାସ୍ତାରେ କଣ୍ଟା ହେଇ ଛିଡ଼ାହେଉଛି । ଖାସ୍ କରି କଂଗ୍ରେସ ନେତାମାନେ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ସ୍ଥିର କରିବାକୁ ଖୋଲାଖୋଲି କହୁଥିବା ଦେଖିବାକୁ ମିଳିଛି । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ, ନିର୍ବାଚନରେ ମହାମେଣ୍ଟ ଯଦି ବହୁମତ ହାସଲ କରେ, ତେବେ ବିଧାୟକମାନେ ଏକାଠି ହୋଇ ନିଜର ମୁଖ୍ୟମନ୍ତ୍ରୀ ଚୟନ କରିବେ ବୋଲି କଂଗ୍ରେସ ସାଂସଦ କହୁଛନ୍ତି । ହେଲେ ଆରଜେଡି କିନ୍ତୁ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଅଡ଼ି ବସିଛି । ତେଣୁ ମହାମେଣ୍ଟରେ ଏବେ ବି ମୁଖ୍ୟମନ୍ତ୍ରୀ ଚେହେରାର ଅଙ୍କ ଅଛିଣ୍ଡା ରହିଛି ।

ଅଡୁଆ କଲେ ପ୍ରଶାନ୍ତ, ଚିରାଗ

ବିହାର ରାଜନୀତିକୁ ଏବେ ଗୋଳିଆ କରିଛନ୍ତି ଚିରାଗ ପାସଓ୍ୱାନ୍ ଏବଂ ପ୍ରଶାନ୍ତ କିଶୋର । ଦୁହେଁ ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବାବେଳେ, ଏହାର ପ୍ରଭାବ ଭୋଟ୍ ପ୍ରତିଶତରେ ଦେଖିବାକୁ ମିଳିବ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କଲେଣି । ଖାସ୍ କରି ଏନଡିଏ ମେଣ୍ଟରୁ ଅଲଗା ହୋଇ ଚିରାଗ ପାସଓ୍ୱାନ୍ ଅଲଗା ନିର୍ବାଚନ ଲଢ଼ିବା, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଇଁ ଅଡ଼ୁଆ ହୋଇପାରେ । ଏହାସହ ପ୍ରଶାନ୍ତ କିଶୋର ମଧ୍ୟ ଉଭୟ ଏନଡିଏ ଏବଂ ମହାମେଣ୍ଟର ଭୋଟ୍ କାଟିପାରନ୍ତି । 

ବିହାରରେ ଏସଆଇଆର, ଜଙ୍ଗଲରାଜ, ଦୃଢ଼ ଏବଂ ସ୍ଥିର ଶାସନ ଆଦି ପ୍ରସଙ୍ଗ ଏଥର ଚର୍ଚ୍ଚାରେ ରହିଛି । ଆଉ ତାହାରି ଭିତରେ ପ୍ରଶାନ୍ତ କିଶୋର ନୂଆ ବିହାର ଗଠନର ନାରା ଦେଉଛନ୍ତି । ତେଣୁ ଦେଖିବାକୁ ବାକି ରହିଲା, ବିହାର ଭୋଟର କାହା ଉପରେ ଆସ୍ଥା ପ୍ରକଟ କରୁଛନ୍ତି?