କନକ ବ୍ୟୁରୋ : ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ନେଇ ମହାମନ୍ଥନ, ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ବାସଭବନରେ ଶେଷ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ । ମହାୟୁତିର ତିନି ନେତା ଦେବେନ୍ଦ୍ର ଫଡ଼ନାଭିସ୍, ଏକନାଥ ସିନ୍ଦେ ଓ ଅଜିତ ପାୱାରଙ୍କ ସହ ଆଲୋଚନା କଲେ ଅମିତ୍ ଶାହା । ବୈଠକ ପରେ ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡ଼ନାଭିସ ଓ ଅଜିତ୍ ପାୱାର ମୁମ୍ବାଇ ଫେରିଯାଇଥିବା ବେଳେ ଏନେଇ ଆଜି ଆଉ ଥରେ ୩ ନେତାଙ୍କ ସହ ଫୋନ ଜରିଆରେ ଆଲୋଚନା କରିପାରନ୍ତି ଗୃହମନ୍ତ୍ରୀ । ଏହାପରେ ଖୁବଶୀଘ୍ର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ । ଡିସେମ୍ବର ୨ କିମ୍ବା ୫ ତାରିଖରେ ନୂଆ ସରକାର ଶପଥ ନେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ବୁଧବାର ପ୍ରେସମିଟ୍ କରି ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରୁ ନିଜକୁ ଦୂରେଇ ରଖିଥିବା ନେଇ ସ୍ପଷ୍ଟ କରିବା ପରେ ବିଜେପିରୁ ଦେବେନ୍ଦ୍ର ଫଡ଼ନାଭିସ ହିଁ ମୁଖ୍ୟମନ୍ତ୍ରୀ ହେବା ନେଇ ଏକପ୍ରକାର ସ୍ପଷ୍ଟ ହୋଇସାରିଛି । ଏସବୁ ମଧ୍ୟରେ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ବୈଠକରେ ମନ୍ତ୍ରୀମଣ୍ଡଳ ଆବଣ୍ଟନ ନେଇ ଚର୍ଚ୍ଚା ହୋଇଥିବା କୁହାଯାଉଛି । ବିଜେପି ନିଜ ପାଖରେ ମୁଖ୍ୟମନ୍ତ୍ରୀ ସହ ଗୁରୁତ୍ବପୂର୍ଣ୍ଣ ବିଭାଗ ରଖିବାକୁ ଚାହୁଁଥିବା ବେଳେ ଅନ୍ୟ ଦୁଇ ସହଯୋଗୀଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ସହ ଅଧା ବିଭାଗ ଦେବାକୁ ଚାହୁଁଥିବା ଜଣାପଡିଛି ।