କନକ ବ୍ୟୁରୋ : କିଏ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ? କାହା ନାଁରେ ମୋହର ମାରିବେ ଶୀର୍ଷ ନେତୃତ୍ବ? ଫଳାଫଳ ଘୋଷଣାକୁ ଏଭିତରେ ଗୋଟିଏ ସପ୍ତାହ ବିତି ସାରିଥିଲେ ମଧ୍ୟ ସସପେନ୍ସ ଜାରି ରହିଛି । ଏହାରି ଭିତରେ ଆଜି ବସିବାକୁ ଥିବା ବିଜେପି ବିଧାୟକ ଦଳର ବୈଠକକୁ ସ୍ଥଗିତ ରଖାଯାଇଛି । ଆସନ୍ତା ୧୯ ତାରିଖ ନହେଲେ ୨୦ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେଇପାରନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ତେବେ ୪୮ ବିଧାୟକଙ୍କ ମଧ୍ୟରୁ ୯ଜଣଙ୍କ ନାଁ ସଟ୍ଲିଷ୍ଟ ହୋଇଥିବା ସୂଚନା ମିଳିଛି ।
ଏହି ୯ଜଣଙ୍କ ମଧ୍ୟରୁ ହିଁ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ନାଁ ଘୋଷଣା କରାଯିବ । ମୁଖ୍ୟମନ୍ତ୍ରୀ ରେସରେ ଆଗରେ ରହିଛନ୍ତି ରେଖା ଗୁପ୍ତା, ପ୍ରବେଶ ବର୍ମା, ମୋହନ ସିଂହ ବିଷ୍ଟ, ବିଜେନ୍ଦ୍ର ଗୁପ୍ତା, ସତିଶ ଉପାଧ୍ୟାୟ । ତେବେ ମୁଖ୍ୟମନ୍ତ୍ରୀ ଜଣେ ବିଧାୟକ ହେବେ ବୋଲି ନିଷ୍ପତ୍ତି ହେବା ପରେ ଅନେକ ହେଭିୱେଟ ଏହି ଦୌଡରୁ ବାଦ ପଡିଛନ୍ତି । ପୂର୍ବ କେନ୍ଦ୍ରମନ୍ତ୍ରୀ ସ୍ମୁତି ଇରାନି, ସାଂସଦ ବାଂଶୁରୀ ସ୍ବରାଜ, ସାଂସଦ ମନୋଜ ତିୱାରି ରେସରୁ ଓହରିଯାଇଥିବା ଚର୍ଚ୍ଚା ହେଉଛି । ଯଦି କୌଣସି ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉଛି ତେବେ ବିଜେପିକୁ ଦୁଇଟି ଉପନିର୍ବାଚନର ସାମ୍ନା କରିବାକୁ ପଡିପାରେ। ଯେହେତୁ ସଂସଦରେ ବିଜେପି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିନାହିଁ ତେଣୁ ଅକାରଣରେ ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁନାହିଁ। ଓଡ଼ିଶା ଓ ଅନ୍ୟ ରାଜ୍ୟ ଭଳି ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରିପାରେ ବିଜେପି ।ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଓଡ଼ିଶାରେ ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରି ଏହି ନୂଆ ଟ୍ରେଣ୍ଡ ଆରମ୍ଭ କରିଛି ବିଜେପି ।