କନକ ବ୍ୟୁରୋ: ଦିଲ୍ଲୀରେ ବିଜେପିର ୨୭ ବର୍ଷର ବନବାସ ଶେଷ ହୋଇଛି । ୪୮ଟି ସିଟରେ ବମ୍ପର ବିଜୟ ସହ ଦିଲ୍ଲୀ ଅକ୍ତିଆର କରିଛି ଭାରତୀୟ ଜନତା ପାର୍ଟି । ଏଥିସହ ୧୧ ବର୍ଷ ଧରି ଦିଲ୍ଲୀ ସତ୍ତାରେ ରହିଥିବା ଆମ୍ ଆଦମୀ ପାର୍ଟି ସତ୍ତାରୁ ବେଦଖଲ ହୋଇଛି । ଏଥର ମାତ୍ର ୨୨ ସିଟରେ ଆଣ୍ଠେଇ ପଡିଛି କେଜ୍ରିଓ୍ୱାଲଙ୍କ ଦଳ । ତେବେ ଦିଲ୍ଲୀରେ ବିଜେପିର ବଡ଼ ବିଜୟ ପରେ ଏବେ ସିଏମ୍ କିଏ ହେବ, ତାକୁ ନେଇ ଆରମ୍ଭ ହୋଇଯାଇଛି ମାନସମନ୍ଥନ । ଗୋଟିଏ ପଟେ ବିଜେପି ଅଧ୍ୟକ୍ଷ ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲାବେଳେ, ଅନ୍ୟପଟେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ରବିବାର ପାର୍ଟିର ବୈଠକ ଡାକିଛନ୍ତି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଆଲୋଚନା ହୋଇପାରେ ବୋଲି ଜଣାପଡିଛି ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ଆଜି ସନ୍ଧ୍ୟାରେ ସମସ୍ତ ବିଜୟୀ ବିଜେପି ପ୍ରାର୍ଥୀଙ୍କୁ ଭେଟି ତାଙ୍କୁ ଧନ୍ୟବାଦ ଦେବା ସହ ବୈଠକ କରିବେ । ଯେଉଁଥିରେ କି, ବିଧାୟକ ଦଳ ନେତା ଚୟନ ନେଇ ରଣନୀତି ପ୍ରସ୍ତୁତ ହେବ । ତେବେ ଏହା ପୂର୍ବରୁ ବୀରେନ୍ଦ୍ର ସଚଦେବା କହିସାରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଚୟନ କରିବାର ଅଧିକାର କେନ୍ଦ୍ରୀୟ ନେତୃତ୍ୱଙ୍କ ପାଖରେ ରହିଛି । ଏହାସହ ନବ ନିର୍ବାଚିତ ବିଧାୟକମାନେ ସେମାନଙ୍କର ନେତା ବାଛିବେ ବୋଲି ସେ କହିସାରିଛନ୍ତି ।
୧୦ ଦିନ ଭିତରେ ଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀ!
ଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀ କେବେ ଶପଥ ଗ୍ରହଣ କରିବେ, ସେନେଇ ତାରିଖ ଧାର୍ୟ୍ୟ ତ ହେଇନି । ହେଲେ ଶନିବାର ବଡ଼ ବିଜୟ ପରେ ଦିଲ୍ଲୀ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ କହିବା ମୁତାବକ, ଆସନ୍ତା ୧୦ରୁ ୧୫ ଦିନ ଭିତରେ ଦିଲ୍ଲୀକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିବ । ପାର୍ଟି ମୁଖ୍ୟମନ୍ତ୍ରୀ ଚୟନ ନେଇ ପୂରା ପ୍ରକ୍ରିୟା ପାଳନ କରିବ ବୋଲି ସେ କହିଛନ୍ତି । ଏହାସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଏନଡିଏର ନେତାମାନେ ସାମିଲ ହେବେ । ବିଜେପି ଶାସିତ ମୁଖ୍ୟମନ୍ତ୍ରୀଙ୍କ ସହିତ ଏନଡିଏର ନେତାମାନେ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ବୋଲି ଜଣାପଡିଛି ।
ମୁଖ୍ୟମନ୍ତ୍ରୀ ରେସରେ କିଏ କିଏ?
ପ୍ରବେଶ ବର୍ମା
- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସ୍ରେ ଆଗରେ ପ୍ରବେଶ ବର୍ମା
- ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇ ନୂଆଦିଲ୍ଲୀ ଆସନରୁ ବିଜୟୀ
- ଦିଲ୍ଲୀରେ ଆପ୍କୁ ହରାଇବାରେ ତୁଲାଇଛନ୍ତି ପ୍ରମୁଖ ଭୂମିକା
ବାଂଶୁରୀ ସ୍ୱରାଜ
- ମୁଖ୍ୟମନ୍ତ୍ରୀ ଦୌଡ଼ରେ ପ୍ରମୁଖ ଦାବିଦାର ବାଂଶୁରୀ ସ୍ୱରାଜ
- ପ୍ରଥମ ନିର୍ବାଚନରେ ବିଜୟୀ ହୋଇ ନୂଆଦିଲ୍ଲୀରୁ ହୋଇଛନ୍ତି ସାଂସଦ
- ମା ସୁଷମା ସ୍ବରାଜଙ୍କ ଭଳି ନିର୍ଭୀକ ଓ ସ୍ପଷ୍ଟବାଦୀ ନେତ୍ରୀ
ସ୍ମୃତି ଇରାନୀ
- ବିଜେପିର ପରିଚିତ ମହିଳା ଚେହେରା
- ସଂସଦରେ ସ୍ମୃତିଙ୍କ ଭାଷଣ ବେଶ ପ୍ରଭାବଶାଳୀ
- ନିର୍ବାଚନ ପ୍ରଚାରରେ ତୁଲାଇଛନ୍ତି ସକ୍ରିୟ ଭୂମିକା
ମୋହନ ବିଷ୍ଟ
- ଦଳର ଅନ୍ୟତମ ଟାଣୁଆ ନେତା
- ମୁସ୍ତାଫାବାଦ ଆସନରୁ ବିପୁଳ ଭୋଟରେ ବିଜୟୀ
- ମୁସଲମାନ ବହୁଳ ଆସନରେ ଦଳ ପାଇଁ ସାଜିଲେ ଟ୍ରମ୍ପକାର୍ଡ
ମନୋଜ ତିୱାରୀ
- ଦିଲ୍ଲୀ ପ୍ରଦେଶ ବିଜେପିର ସକ୍ରିୟ ନେତା
- ଉତ୍ତରପୂର୍ବ ଦିଲ୍ଲୀ ଆସନରୁ ତିନି ତିନି ଥରର ସାଂସଦ
- ଦିଲ୍ଲୀ ବିଜେପିର ସଭାପତି ଭାବେ ତୁଲାଇଥିଲେ ଦାୟିତ୍ବ
ବୀରେନ୍ଦ୍ର ସଚଦେବା
- ବର୍ତ୍ତମାନ ଦିଲ୍ଲୀ ବିଜେପିର ସଭାପତି
- ଶୀର୍ଷ ନେତୃତ୍ୱଙ୍କ ନିକଟତର
- ସାଂଗଠନିକ ଦକ୍ଷତା ଓ ଅଭିଜ୍ଞ ରାଜନେତା
ଜାଣିରଖିବା ଉଚିତ୍ ଯେ, ଦିଲ୍ଲୀ ବିଧାନସଭାର ମୋଟ ୭୦ ଆସନ ମଧ୍ୟରୁ ଏଥର ବିଜେପି ୪୮ ଆସନରେ ବାଜିମାତ୍ କରିଛି । ସେହିପରି ଆପ୍ ୨୨ଟି ଆସନରେ ବାଜିମାତ୍ କରିଛି । ତେବେ ଏହା ପୂର୍ବରୁ ୧୯୯୩ ମସିହାରେ ଦିଲ୍ଲୀରେ ବିଜେପି ପ୍ରଥମ କରି ସରକାର ଗଢିଥିଲା । ଏହାପରେ ୧୯୯୮ ମସିହା ଦିଲ୍ଲୀ ନିର୍ବାଚନରେ ବିଜେପିର ପରାଜୟ ସହ, କଂଗ୍ରେସ ସରକାରକୁ ଫେରିଥିଲା । ଏହାପରେ ଲଗାତାର ୧୯୯୮ ମସିହାରୁ ଦିଲ୍ଲୀରେ ରାଜ୍ କରିଥିଲା କଂଗ୍ରେସ । ହେଲେ ଏହାପରେ ଆପ୍ ଦଖଲକୁ ଆସିଥିଲା ଦିଲ୍ଲୀ । ଏହାପରଠୁ ଲଗାତାର ଆପ୍ ଦିଲ୍ଲୀ ଅକ୍ତିଆର କରିବାରେ ସମର୍ଥ ହେଇଥିଲା । ଆଉ ୨୦୨୫ରେ ଦୀର୍ଘ ବର୍ଷର ବନବାସ ଶେଷ କରି ସତ୍ତା ଦଖଲ କରିଛି ଭାରତୀୟ ଜନତା ପାର୍ଟି ।