କନକ ବ୍ୟୁରୋ: ଆଗକୁ ଛାତ୍ର ସଂସଦ ନିର୍ବାଚନ । ହେଲେ କଂଗ୍ରେସ ପାଖରେ ନାହିଁ ଛାତ୍ର ସଭାପତି?  ଗତ ଜୁଲାଇ ୨୧ ତାରିଖରୁ ଉଦିତ ପ୍ରଧାନ ଛାତ୍ର କଂଗ୍ରେସ ସଭାପତି ପଦରୁ ବିଦା ହେବା ପରେ ଏହି ପୋଷ୍ଟ ଏବେ ଫାଙ୍କା ପଡ଼ିଛି । ଆଉ ସେବେଠୁ ବିନା ମୁଖିଆରେ ଚାଲିଛି ଛାତ୍ର କଂଗ୍ରେସ । ତେଣୁ ଚର୍ଚ୍ଚା ହେଉଛି ଆଗକୁ କିଏ ହେବ ରାଜ୍ୟ କଂଗ୍ରେସର ଛାତ୍ର ମୁଖିଆ ?

Advertisment

ଛାତ୍ର କଂଗ୍ରେସ ସଭାପତି ହେବା ପାଇଁ ରେସରେ ଏକାଧିକ ଚେହେରା ଅଛନ୍ତି । ୫ରୁ ଅଧିକ ଛାତ୍ର ନେତା ଛାତ୍ର କଂଗ୍ରେସ ସଭାପତି ହେବାକୁ ଲବି ଆରମ୍ଭ କରିଦେଇଥିବାବେଳେ, କିଏ ଆଗାମୀ ଛାତ୍ର କଂଗ୍ରେସ ସଭାପତି ହେବ, ତାହା ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ।

ଛାତ୍ର କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ସମ୍ପାଦକ ମନଷା ତ୍ରିପାଠୀ ଛାତ୍ର କଂଗ୍ରେସ ସଭାପତି ରେସରେ ଆଗରେ ଅଛନ୍ତି । କୁହାଯାଇଛି କୁଆଡେ ଭକ୍ତଙ୍କ ସହ ତାଙ୍କର ବୁଝାମଣା ଭଲ ଥିବା ହେତୁ, ତାଙ୍କୁ ଛାତ୍ର ସଭାପତି କରି ବଡ଼ ଗେମ୍ ଖେଳିପାରେ କଂଗ୍ରେସ । ଅନ୍ୟପଟେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର କଂଗ୍ରେସ ନେତା ଅଖିଳେଶ ଯାଦବ ମଧ୍ୟ ଛାତ୍ର କଂଗ୍ରେସ ସଭାପତି ରେସରେ ଆଗରେ ଅଛନ୍ତି।

ଖାଲି ଏହି ଦୁଇ ଛାତ୍ର ନେତା ନୁହଁନ୍ତି, ଏମାନଙ୍କ ସହ ଛାତ୍ର କଂଗ୍ରେସର ଲଢ଼ୁଆ ନେତା ବିଭୂତି ଭୂଷଣ ମହାପାତ୍ର ମଧ୍ୟ ଛାତ୍ର ସଭାପତି ଲବିରେ ଅଛନ୍ତି । ଯେହେତୁ  ପୂର୍ବଥର ସଭାପତି ଦୌଡ଼ରେ ଆଗରେ ଥାଇ ସେ ଶେଷ ମୁହୂର୍ତ୍ତରେ କଟି  ଯାଇଥିଲେ, ତେଣୁ ଏଥର ସେ ଛାତ୍ର ସଭାପତି ହେବାର ଆଶା ଅନେକ । ଏପରିକି ଅନେକ ସମୟରେ ତାଙ୍କୁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଉଥିବାର ଦେଖିବାକୁ ମିଳିଥାଏ । ତେଣୁ ତାଙ୍କୁ ଛାତ୍ର ସଭାପତି କରି ଦଳ ଜଣେ ଭଲ ବକ୍ତାଙ୍କୁ ସାମ୍ନାକୁ ଆଣିପାରେ ।

ଏହି ୩ ଛାତ୍ର ନେତାଙ୍କ ସହ  ଛାତ୍ର କଂଗ୍ରେସର ପୂର୍ବତନ ରାଜ୍ୟ ଉପ ସଭାପତି  ଆଦିତ୍ୟ ପ୍ରୀତମ୍‌ ମଧ୍ୟ ଏହି ଦୌଡ଼ରେ ଅଛନ୍ତି । ଯେହେତୁ ଆଦିତ୍ୟ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଂଯୋଜକ ରାଜୀବ  ପଟ୍ଟନାୟକଙ୍କର ଏକାନ୍ତ ଅନୁଗତ ବୋଲି ଜଣାଯାଏ । ତେଣୁ ଦିଲ୍ଲୀ  ଲବି ତାଙ୍କର ଭଲ ଥିବା କଂଗ୍ରେସ ମହଲରେ ଚର୍ଚ୍ଚା  ହେଉଛି । ତେଣୁ ଦେଖିବାକୁ ବାକି ରହିଲା, ଏହି ଛାତ୍ର ନେତାମାନଙ୍କ ଭିତରୁ ନା ଆଉ କେଉଁ ଛାତ୍ର ନେତାଙ୍କୁ ନେତୃତ୍ୱ ଦେଉଛି କଂଗ୍ରେସ ?