କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ଏବେ ସବୁଠୁ ଦାମିକିଆ ପ୍ରଶ୍ନ ହେଉଛି, କିଏ ହେବ ରାଜ୍ୟ ବିଜେପିର ନୂଆ ସଭାପତି? ପୁରୁଣା ସଭାପତି ମନମୋହନ ସାମଲ ମୁଖିଆ ଭାବେ ରିପିଟ୍ ହେବେ, ନା ଆଉ କେଉଁ ନେତା ନୂଆ ଚେହେରା ଭାବେ ସାମ୍ନାକୁ ଆସିବେ? ତାହା ହିଁ ହେଉଛି ବର୍ତ୍ତମାନର ସ୍ଥିତିରେ ସବୁଠୁ ବଡ଼ ପ୍ରଶ୍ନ । ଏହାସହ ଏହାଠୁ ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜ୍ୟ ବିଜେପିର ଏହି ନବକଳେବରରେ ଫୋକସରେ ରହିପାରେ ପଶ୍ଚିମ ଓଡ଼ିଶା । ଅନ୍ୟପଟେ ଉପକୂଳ ଓଡ଼ିଶାକୁ ବି ଗୁରୁତ୍ୱ ମିଳିପାରେ ବୋଲି ଗୋଟିଏ ପକ୍ଷ ଦାବି କରୁଛି । ତେଣୁ କଥା ଉଠୁଛି, ଓଡ଼ିଶା କେଉଁ ଭାଗରୁ ମୁଖିଆ ବାଛିବ ରାଜ୍ୟ ବିଜେପି?

Advertisment

ମନମୋହନ ସାମଲ ରିପିଟ୍ ହେବେ କି? 

ରାଜ୍ୟ ବିଜେପି ସଭାପତି ନିର୍ବାଚନରେ ପୁରୁଣା ସଭାପତି ମନମୋହନ ସାମଲ ରିପିଟ୍ ହେବେ ନା ଦଳ ନୂଆ ସଭାପତି ଦେଖିବ ତାହା ଏବେ ସବୁଠୁ ଆଲୋଚନାର ବିଷୟ । ଚର୍ଚ୍ଚା ହେଉଛି, ମନମୋହନ ସାମଲଙ୍କୁ ପୁଣିଥରେ ରିପିଟ୍ କରିପାରେ ଦଳ । ନଚେତ୍ କୌଣସି ଯୁବ ଚେହେରାକୁ ସାମ୍ନାକୁ ଆଣିପାରେ । ମନମୋହନ ସାମଲଙ୍କ ସହିତ ପ୍ରଦୀପ ପୁରୋହିତ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିପାରନ୍ତି ବୋଲି କୁହାଯାଉଛି । କାହିଁକି ନା ସଭାପତି ନିର୍ବାଚନ ଖବର ଭିତରେ ବରଗଡ଼ର ସାଂସଦ ପ୍ରଦୀପ ପୁରୋହିତ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି । ତେଣୁ ଆଜି ଅପରାହ୍ନରେ ଯେତେବେଳେ ଫାଇନାଲ୍ ଲିଷ୍ଟ ଆସିବ, ସେତେବେଳେ ହିଁ କିଏ ସଭାପତି ରେସରେ ଅଛନ୍ତି ତାହା ପକ୍କା ହୋଇଯିବ ।

ପୂର୍ବ, ପଶ୍ଚିମ ନା ଉପକୂଳ, କେନ୍ଦ୍ର?

ତଥ୍ୟକୁ ଦେଖିଲେ ଜଣାପଡୁଛି ଯେ, ବର୍ତ୍ତମାନ ରାଜ୍ୟରେ ବିଜେପିର ମୋଟ ୭୮ ବିଧାୟକଙ୍କ ଭିତରୁ ପୂର୍ବ ଓଡ଼ିଶାରୁ ଆସୁଛନ୍ତି କେବଳ ୧୭ ଜଣ ବିଧାୟକ । ସେହିପରି ପଶ୍ଚିମ ଓଡ଼ିଶାରୁ ୧୮ ଜଣ ବିଧାୟକ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରୁ ମଧ୍ୟ ଆସୁଛନ୍ତି ୧୮ ଜଣ ଲେଖାଏଁ ବିଧାୟକ । ଏହାସହ ଓଡ଼ିଶାର କେନ୍ଦ୍ର ଭାଗରୁ କେବଳ ୭ ଜଣ ବିଜେପି ବିଧାୟକ ରହିଛନ୍ତି । ତେଣୁ ପଶ୍ଚିମ, ଉତ୍ତର, ଉପକୂଳ ଢାଞ୍ଚାରେ ଯଦି ସଭାପତି ନିର୍ବାଚନ ହୁଏ, ତେବେ ସମ୍ଭବତଃ ପଶ୍ଚିମ କିମ୍ବା ଉପକୂଳ ଓଡ଼ିଶାକୁ ଗୁରୁତ୍ୱ ଦିଆଯାଇପାରେ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି । ଏହାପୂର୍ବରୁ ସରକାର ଗଠନ ବେଳେ ଉପକୂଳ ଓଡ଼ିଶାରୁ ପ୍ରଭାତୀ ପରିଡ଼ାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଭାବେ ବାଛିଥିଲା ଦଳ । ସେହିପରି ପଶ୍ଚିମ ଓଡ଼ିଶାରୁ ମଧ୍ୟ କେଭି ସିଂହ ଦେଓଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଇଥିଲା । ତେଣୁ ସଭାପତି ନିର୍ବାଚନ ହେଲେ ଏହି ଦୁଇ ଅଞ୍ଚଳରୁ କୌଣସି ନେତାଙ୍କୁ ଦାୟିତ୍ୱ ମିଳିପାରେ ।

ବିଜେପି ମୁଖିଆ; କିଏ କେବେ?

ଇତିହାସକୁ ଦେଖିଲେ ଓଡ଼ିଶା ବିଜେପିର ସଭାପତି ପଦ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପାଖରୁ ଆରମ୍ଭ ହୋଇ ବର୍ତ୍ତମାନ ମନମୋହନ ସାମଲଙ୍କ ପର୍ଯ୍ୟନ୍ତ ଆସିଛି । ୧୯୮୦ ମସିହାରେ ଓଡ଼ିଶା ବିଜେପିର ପ୍ରଥମ ସଭାପତି ରହିଥିଲେ ବିଶ୍ୱଭୂଷଣ ହରିଚନ୍ଦନ । ଏହାପରେ ପରେ ଦେବେନ୍ଦ୍ର ପ୍ରଧାନ, ବିମ୍ବାଧର କୁଅଁର, ଜୁଏଲ୍ ଓରାମ, ମନମୋହନ ସାମଲ, ସୁରେଶ ପୂଜାରୀ, କେଭି ସିଂ ଦେଓ, ବସନ୍ତ ପଣ୍ଡା ଆଉ ସମୀର ମହାନ୍ତିଙ୍କ ଭଳି ନେତା ଦଳର ମଙ୍ଗ ଧରିଛନ୍ତି । ଆଉ ୨୦୨୩ରୁ ଆଜି ପର୍ଯ୍ୟନ୍ତ ମନମୋହନ ସାମଲ ଏହି ପଦରେ ରହିଆସିଛନ୍ତି । 

  • ବିଶ୍ବଭୂଷଣ ହରିଚନ୍ଦନ: ୧୯୮୦-୧୯୮୮
  • ଦେବେନ୍ଦ୍ର ପ୍ରଧାନ: ୧୯୮୮-୧୯୯୩
  • ବିମ୍ବାଧର କୁଅଁର: ୧୯୯୩-୧୯୯୬
  • ଦେବେନ୍ଦ୍ର ପ୍ରଧାନ: ୧୯୯୬-୧୯୯୭
  • ଜୁଏଲ ଓରାମ: ୧୯୯୭-୧୯୯୯
  • ମନମୋହନ ସାମଲ: ୧୯୯୯-୨୦୦୪
  • ଜୁଏଲ ଓରାମ: ୨୦୦୪-୨୦୦୬
  • ସୁରେଶ ପୂଜାରୀ: ୨୦୦୬-୨୦୦୯
  • ଜୁଏଲ ଓରାମ: ୨୦୦୯-୨୦୧୩
  • କେଭି ସିଂଦେଓ: ୨୦୧୩-୨୦୧୬
  • ବସନ୍ତ ପଣ୍ଡା: ୨୦୧୬-୨୦୨୦
  • ସମୀର ମହାନ୍ତି: ୨୦୨୦-୨୦୨୩
  • ମନମୋହନ ସାମଲ: ୨୦୨୩ରୁ ବର୍ତ୍ତମାନ ଯାଏଁ

 ବିଜେପିର ନୂଆ ସଭାପତି ରେସରେ ଏବେ ଏକାଧିକ ନେତା ରହିଛନ୍ତି । ଗୋଟିଏ ପଟେ ମନମୋହନ ସାମଲଙ୍କୁ ପୁଣିଥରେ ସଭାପତି କରିବାକୁ ଗୋଟିଏ ଗୋଷ୍ଠୀ ଦାବି କରୁଥିବାବେଳେ,  ଅନ୍ୟ ଗୋଟିଏ ଗୋଷ୍ଠୀ ପ୍ରଦୀପ ପୁରୋହିତଙ୍କୁ ସଭାପତି କରିବାକୁ ଲାଗି ପଡ଼ିଛନ୍ତି । ସେପଟେ କିଛି ସଙ୍ଗଠନର କିଛି ବଡ଼ ନେତା ଏବଂ ସାଂସଦ ମଧ୍ୟ ସଭାପତି ପଦ ପାଇଁ ମନ ବଳାଇଥିବା ଚର୍ଚ୍ଚା ହେଉଛି । ତେଣୁ ଏପରି ପରିସ୍ଥିତିରେ କିଏ ଓଡ଼ିଶା ବିଜେପିର ନୂଆ ସଭାପତି ହେବ, ତାହା ଦେଖିବାକୁ ବାକି ରହିଲା?