କନକ ବ୍ୟୁରୋ: କିଏ ହେବ ବିଜେପିର ପରବର୍ତ୍ତୀ ମୁଖିଆ? କାହାକୁ ମିଳିବ ସଭାପତି ପଦ? କାହାର ନେତୃତ୍ୱରେ ଆଗକୁ ବଢ଼ିବ ଭାରତୀୟ ଜନତା ପାର୍ଟି? ଲମ୍ବା ସମୟ ଧରି ଏଭଳି କିଛି ଚର୍ଚ୍ଚା ଦିଲ୍ଲୀରେ ରାଜନୀତିରେ ସରଗରମ କରିଛି । ଖାସ୍ କରି ବିଜେପି ଏବଂ ସଂଘ ଭିତରେ ସଭାପତି ପଦକୁ ନେଇ ଏବେ ବି ଅଙ୍କ ଅଛିଣ୍ଡା ରହିଛି । ଯେଉଁ କାରଣରୁ ଏବେ ପର୍ଯ୍ୟନ୍ତ ବିଜେପି ନିଜର ନୂଆ ମୁଖିଆ ବାଛିବାକୁ ସଫଳ ହେଇନଥିବାବେଳେ, ଆଗାମୀ ସଭାପତି କିଏ ହେବ? ଜେପି ନଡ୍ଡା ସଭାପତି ରହିବେ ନା ନୂଆ ମୁହଁ ସାମ୍ନାକୁ ଆସିବ ତାକୁ ନେଇ ଚର୍ଚ୍ଚା ବଢ଼ିଛି ।
ଦେଖିବାକୁ ଗଲେ ଗତ ୨୦୨୩ ମସିହା ଜାନୁଆରି ମାସରେ ହିଁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ସରିଯାଉଥିଲା । ହେଲେ ଆଗକୁ ଯେହେତୁ ଲୋକସଭା ନିର୍ବାଚନ ଥିଲା, ତେଣୁ ଏହାକୁ ଆଖି ଆଗରେ ରଖି ତାଙ୍କ କାର୍ଯ୍ୟକାଳକୁ ୨୦୨୪ ଜୁନ୍ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ହେଲେ ଏହାପରେ ବି କିନ୍ତୁ ବିଜେପି ନିଜର ନୂଆ ସଭାପତି ବାଛିବାକୁ ସମର୍ଥ ହେଲାନି, ଯେଉଁ କାରଣରୁ ଜେପି ନଡ୍ଡାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଥିଲା । ଏହା ଭିତରେ ଅନେକ ଦିନ ବିତିଯାଇଥିଲେ ବି ବିଜେପିର ନୂଆ ଅଧ୍ୟକ୍ଷ ସ୍ଥିର ହୋଇପାରିନି । ଯାହାକୁ ନେଇ ଏବେ ଚର୍ଚ୍ଚା ବଢ଼ିବା ସହିତ ବିଜେପିର କମାଣ କାହା ହାତରେ ରହିବ ତାକୁ ନେଇ ଆରମ୍ଭ ହୋଇଛି ଆଲୋଚନା ।
କିଛି ଲୋକଙ୍କ କହିବା କଥା, ଜେପି ନଡ୍ଡାଙ୍କୁ କାର୍ଯ୍ୟକାରୀ ସଭାପତି କରି ବଡ଼ ସଙ୍କେତ ଦେଇଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ । କୁହାଯାଉଛି ଜେପି ନଡ୍ଡା ସଭାପତି ଭାବେ ପୁଣିଥରେ ରିପିଟ୍ ହୋଇପାରନ୍ତି । କାହିଁକି ନା, ଗତ ୨୦୧୯ ଲୋକସଭା ନିର୍ବାଚନ ପରେ ଯେତେବେଳେ ଅମିତ ଶାହ ଅଧ୍ୟକ୍ଷ ଥିଲେ, ସେତେବେଳେ ଜେପି ନଡ୍ଡାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଥିଲା । ଆଉ ପରେ ପରେ ସେ ହିଁ ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ । ତେଣୁ ଏଥର ଯେହେତୁ ସଭାପତି ଥିଲେ ବି ତାଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ପୁଣିଥରେ ଦାୟିତ୍ୱ ଦିଆଯାଇଛି, ତେଣୁ ତାଙ୍କୁ ପୁଣିଥରେ ବିଜେପିର ମୁଖିଆ ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି ।
ସଙ୍ଗଠନରେ ହେବ ବଡ଼ ପରିବର୍ତ୍ତନ
ଚର୍ଚ୍ଚା ହେଉଛି ବିଜେପିର ନୂଆ ଅଧ୍ୟକ୍ଷ ନିର୍ବାଚନ ସହିତ ସରକାରରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇପାରେ । ଆସନ୍ତା ଜୁଲାଇ ୪ରୁ ୬ ଭିତରେ ସଂଘର ଅଖିଳ ଭାରତୀୟ ପ୍ରାନ୍ତ ପ୍ରଚାରକ ବୈଠକ ଦିଲ୍ଲୀରେ ବସିବାକୁ ଅଛି । ଆଉ ଏହି ବୈଠକରେ ସରସଂଘଚାଳକ ମୋହନ ଭାଗବତ ମଧ୍ୟ ଉପସ୍ଥିତ ରହିବେ । କୁହାଯାଉଛି ଏହି ବୈଠକରେ ବିଜେପିର ନୂଆ ଅଧ୍ୟକ୍ଷଙ୍କ ନାମ ଉପରେ ମୋହର ବାଜିପାରେ, ଆଉ ଦଳକୁ ନୂଆ ମୁଖିଆ ମିଳିପାରେ ।
ଏହାସହିତ ଆଉ ଗୋଟିଏ ଚର୍ଚ୍ଚା ମଧ୍ୟ ଜୋରସୋରରେ ଶୁଣିବାକୁ ମିଳୁଛି । ଚର୍ଚ୍ଚା ହେଉଛି ଯେ, ଏଥର ଅଧ୍ୟକ୍ଷ ନିର୍ବାଚନ ପରେ ବିଜେପିର ସଙ୍ଗଠନକୁ ଆହୁରି ଅଧିକ ମଜଭୁତ କରିବାକୁ ବଡ଼ ଅଦଳବଦଳ କରିପାରନ୍ତି ଶୀର୍ଷ ନେତୃତ୍ୱ । ଅଧ୍ୟକ୍ଷ ନିର୍ବାଚନ ପରେ ଅଧାରୁ ଅଧିକ ରାଷ୍ଟ୍ରୀୟ ମହାସଚିବଙ୍କ ବଦଳି ହୋଇପାରେ । ଖାସ୍ କରି ନୂଆ ମହାସଚିବଙ୍କ ପଦରେ ନୂଆ ମୁହଁକୁ ସୁଯୋଗ ମିଳିପାରେ ।
ଶୁକ୍ରବାର ବିଭିନ୍ନ ରାଜ୍ୟରେ ପ୍ରଦେଶ ଅଧ୍ୟକ୍ଷ ନିର୍ବାଚନ ନେଇ ବିଜେପି ନିଜର ନିର୍ବାଚନ ଅଧିକାରୀଙ୍କ ନାମ ଘୋଷଣା କରିଛି । ମହାରାଷ୍ଟ୍ରରେ କିରଣ ରିଜିଜୁ, ଉତ୍ତରାଖଣ୍ଡରେ ହର୍ଷ ମଲହୋତ୍ରା, ପଶ୍ଚିମବଙ୍ଗରେ ରବି ଶଙ୍କର ପ୍ରସାଦଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ପାର୍ଟିର ସମ୍ବିଧାନ ଅନୁସାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ୧୯ଟି ରାଜ୍ୟପରେ ନିର୍ବାଚନ ଜରୁରୀ ଅଟେ ।
ୟୁପି, କର୍ଣ୍ଣାଟକ, ମହାରାଷ୍ଟ୍ରରେ କିଏ?
ରାଜନୈତିକ ଦୃଷ୍ଟିକୋଣରୁ ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ବିଜେପିର ମୁଖିଆ କିଏ ହେବ, ତାହା ଏବେଯାଏ ସ୍ଥିର ହୋଇପାରିନି । କୁହାଯାଉଛି ପ୍ରଦେଶ ଅଧ୍ୟକ୍ଷ ନିର୍ବାଚନ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭିତରେ ମିଟିଂ ଶେଷ ହୋଇସାରିଛି । ଆଉ ସମ୍ଭାବିତ ଚେହେରାକୁ ନେଇ ମଧ୍ୟ ଚର୍ଚ୍ଚା ହୋଇସାରିଛି । ସେହିପରି କର୍ଣ୍ଣାଟକରେ ୟେଦିୟୁରପ୍ପା ନିଜ ପୁଅ ବିଜୟେନ୍ଦ୍ରଙ୍କୁ ପୁଣିଥରେ ପ୍ରଦେଶ ଅଧ୍ୟକ୍ଷ କରିବାକୁ ଅଙ୍କ କଷୁଛନ୍ତି । ହେଲେ ଦଳର କିଛି ନେତା କିନ୍ତୁ ଏହା ସପକ୍ଷରେ ନାହାନ୍ତି । ତେଣୁ କର୍ଣ୍ଣାଟକରେ ବିଜେପି ଆଗାମୀ ଦିନରେ କାହା ହାତରେ କମାଣ ଦେଉଛି ତାହା ନିଶ୍ଚୟ ରୋଚକ ହେବ ।
ଅନ୍ୟପଟେ ମହାରାଷ୍ଟ୍ରରେ ମଧ୍ୟ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଅଙ୍କ ଅଛିଣ୍ଡା ରହିଛି । ମହାରାଷ୍ଟ୍ରରେ ବିଜେପି ରବିନ୍ଦ୍ର ଚୌହ୍ୱାଣଙ୍କୁ କାର୍ଯ୍ୟକାରୀ ନିଯୁକ୍ତ କରିସାରିଛି । ଆଉ ଚର୍ଚ୍ଚା ହେଉଛି ଯେ, ତାଙ୍କୁ ଦଳ ଆଗାମୀ ସଭାପତି ପଦ ମଧ୍ୟ ଦେଇପାରେ । ଦେବେନ୍ଦ୍ର ଫଡନାବିସଙ୍କ ନିକଟତର ହୋଇଥିବା କାରଣରୁ ତାଙ୍କୁ ସଭାପତି ପଦ ମିଳିପାରେ ବୋଲି କୁହାଯାଉଛି । ଏହାସହିତ ପଶ୍ଚିମବଙ୍ଗ, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ମଧ୍ୟ ବିଜେପିର ସଭାପତି ପଦକୁ ନେଇ ଗୋଳମାଳିଆ ସ୍ଥିତି ରହିଛି । ତା ସହିତ ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ।
ଓଡ଼ିଶାରେ ନିର୍ବାଚନ ସ୍ଥଗିତ
ଓଡ଼ିଶାରେ ମଧ୍ୟ ସାଙ୍ଗଠନିକ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ନୋଟିସ୍ ଲାଗିଥିଲା । ଏହାସହିତ କେଉଁ ତାରିଖରେ କଣ ହେବ ସେନେଇ ସମୟ ମଧ୍ୟ ଧାର୍ଯ୍ୟ ହୋଇଥିଲା । ଆଉ କୁହାଯାଇଥିଲା ଜୁଲାଇ ପହିଲା ଦିନ ମତଦାନ ହେବା ସହିତ ନୂଆ ରାଜ୍ୟ ସଭାପତିଙ୍କ ନାମ ଘୋଷଣା ହେବ । ହେଲେ ରଥଯାତ୍ରାରେ ଅଘଟଣ ଘଟିବା ପରେ, ହଠାତ୍ ରାଜ୍ୟ ବିଜେପି ସଭାପତି ନିର୍ବାଚନକୁ ସ୍ଥଗିତ ରଖିଦିଆଯାଇଛି । ତେଣୁ ଆଗାମୀ ସମୟରେ କେବେ ଭୋଟିଂ ହେବ ଆଉ କେବେ ଓଡ଼ିଶା ରାଜ୍ୟ ବିଜେପିକୁ ନୂଆ ମୁଖିଆ ମିଳିବ ତାହା ଏବେ ବି କାହାକୁ ଜଣାନାହିଁ ।