କନକ ବ୍ୟୁରୋ : ଗୁଜରାଟ ଅହମ୍ମଦାବାଦରେ ବିମାନ କ୍ରାସରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମୃତ୍ୟୁ ଘଟିଛି । AI-171 ବିମାନ ବିଜୟ ରୂପାଣୀ ଯାତ୍ରା କରୁଥିଲେ । ସୂଚନା ଅନୁଯାୟୀ, ବିଜୟ ରୂପାଣୀଙ୍କ ଝିଅ ଗତ ଛଅ ମାସ ଧରି ଲଣ୍ଡନରେ ଅଛନ୍ତି ଏବଂ ରୂପାଣୀ ତାଙ୍କ ଝିଅଙ୍କୁ ଫେରାଇ ଆଣିବା ପାଇଁ ଲଣ୍ଡନ ଯାତ୍ରା କରୁଥିଲେ । କିନ୍ତୁ ଯାତ୍ରା ଅଧା ରହିଗଲା । ନା ଝିଅ ପାଖେ ପହଞ୍ଚିପାରିଲେ ନା ଝିଅକୁ ଭେଟିପାରିଲେ । ବିମାନଟି ଉଡ଼ାଣ ଭରିବାର ମାତ୍ର କିଛି ସମୟ ମଧ୍ୟରେ କ୍ରାସ ଘଟିଥିଲା ।  ଆଉ ଏଥିରେ ୧୧୦ ଯାତ୍ରୀଙ୍କ ଯାତ୍ରା ଶେଷ ଯାତ୍ରା  ପାଲଟିଛି । ମୃତକଙ୍କ ମଧ୍ୟରେ ସାମିଲ ଅଛନ୍ତି ବିଜୟ ରୂପାଣୀ ।   

Advertisment

ବିଜୟ ରୂପାଣୀଙ୍କ ରାଜନୈତକ ଯାତ୍ରା 

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଜଣେ ସଂଘ କାର୍ଯ୍ୟକର୍ତ୍ତାରୁ ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ଗୁରୁ ଦାୟିତ୍ବ  ତୁଲାଇଛନ୍ତି ।  ୨୦୧୬ ରୁ ୨୦୨୧ ପର୍ଯ୍ୟନ୍ତ ରାଜ୍ୟର ନେତୃତ୍ୱ ନେବା ସମୟରେ, ସେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି । ୧୯୭୧ ମସିହାରୁ ମାତ୍ର ୧୫ ବର୍ଷ ବୟସରେ ରୂପାଣୀ  RSS ଏବଂ ଜନସଂଘରେ ଯୋଗ ଦେଇଥିଲେ। କଲେଜରେ ମଧ୍ୟ  ବିଜୟ ରୂପାଣୀ ABVP ସହିତ ଛାତ୍ରମାନଙ୍କୁ ସଂଗଠିତ କରିଥିଲେ । ୧୯୭୫ର ଜରୁରୀକାଳୀନ ପରିସ୍ଥିତି ତାଙ୍କ ପାଇଁ ଏକ ବଡ଼ ପରୀକ୍ଷା ଥିଲା । ଇନ୍ଦିରା ଗାନ୍ଧୀଙ୍କ ବିରୁଦ୍ଧରେ ସ୍ୱର ଉଠାଇବା ପାଇଁ ତାଙ୍କୁ ଜେଲ ଯିବାକୁ ପଡିଥିଲା, କିନ୍ତୁ ସେ ସାହସ ହରାଇ ନଥିଲେ ।   

୧୯୮୭ ମସିହାରେ ବିଜୟ ରାଜକୋଟ ନଗର ନିଗମରେ କର୍ପୋରେଟର ଭାବରେ ରାଜନୀତିରେ ପାଦ  ଦେଇଥିଲେ । ତାଙ୍କର କଠିନ ପରିଶ୍ରମ ଫଳପ୍ରଦ ହୋଇଥିଲା ଏବଂ ସେ ୧୯୯୬ ମସିହାରେ ରାଜକୋଟର ମେୟର ହୋଇଥିଲେ । ଲୋକମାନେ ତାଙ୍କର ସରଳତା ଏବଂ କାମ ପ୍ରତି ଆଗ୍ରହକୁ ପ୍ରଶଂସା କରିବା ଆରମ୍ଭ କରିଥିଲେ ।  ୨୦୦୬ ମସିହାରେ, ସେ ଗୁଜରାଟ ପର୍ଯ୍ୟଟନର ଅଧ୍ୟକ୍ଷ ହୋଇଥିଲେ ଏବଂ ସେହି ବର୍ଷ ରାଜ୍ୟସଭା ସାଂସଦ ନିର୍ବାଚିତ ହୋଇଥିଲେ । ୨୦୧୪ ମସିହାରେ ରାଜକୋଟରୁ ବିଧାୟକ ହେବା ପରେ, ସେ ଆନନ୍ଦୀବେନ ପଟେଲଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ । ତାଙ୍କର କଠିନ ପରିଶ୍ରମ ଏବଂ ବିଜେପି ସଂଗଠନ ପ୍ରତି ବିଶ୍ୱସ୍ତତା ତାଙ୍କୁ ଆଗକୁ ନେଇଥିଲା । ୨୦୧୬ ମସିହାରେ, ଯେତେବେଳେ ଆନନ୍ଦୀବେନ ଇସ୍ତଫା ଦେଇଥିଲେ, ବିଜେପି ବିଜୟଙ୍କୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ବାଛିଥିଲା । ଏହା ତାଙ୍କ ପାଇଁ ଏକ ସ୍ୱପ୍ନର ମୁହୂର୍ତ୍ତ ଥିଲା । 
ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ପ୍ରକୃତ ପରୀକ୍ଷା ଆରମ୍ଭ ହୋଇଥିଲା  ।

ସେତେବେଳେ  ୨୦୧୬ରେ ଗୁଜରାଟରେ ପଟେଲ ଆନ୍ଦୋଳନ ଶୀର୍ଷରେ ଥିଲା  । ବିଜୟ ଧର୍ଯ୍ୟର ସହିତ ଏହାକୁ ମୁକାବିଲା କରିଥିଲେ, କିନ୍ତୁ ସାମ୍ନା କରିବା ପାଇଁ ଚ୍ୟାଲେଞ୍ଜଗୁଡ଼ିକ କମ୍ ନଥିଲା । ୨୦୧୭ ବିଧାନସଭା ନିର୍ବାଚନରେ ସେ ବିଜେପିକୁ ବିଜୟୀ କରାଇଥିଲେ, କିନ୍ତୁ ଆସନ ସଂଖ୍ୟା ୯୯କୁ ହ୍ରାସ ପାଇଥିଲା । ତଥାପି, ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କ ସରକାର ୨ ଲକ୍ଷ ଚାକିରି ଦେଇଥିଲେ, ଗୁଜୁରାଟକୁ FDIରେ ଶୀର୍ଷରେ ରଖିଥିଲେ ଏବଂ ଶ୍ରମିକ ଅନ୍ନପୂର୍ଣ୍ଣା ଭଳି ଯୋଜନା ଆରମ୍ଭ କରିଥିଲେ । ୨୦୧୭ ବନ୍ୟାରେ ତାଙ୍କ ରେସ୍କ୍ୟୁ ମିଶନ ଲୋକଙ୍କ ହୃଦୟରେ ସ୍ଥାନ ପାଇଥିଲା । କିନ୍ତୁ କୋଭିଡ୍ -୧୯ର ଦ୍ୱିତୀୟ ଲହରୀ ବିଜୟଙ୍କ ପାଇଁ ସମସ୍ୟାକୁ ଡାକି ଆଣିଥିଲା । କୋଭିଡ୍ ପରିଚାଳନାର ସମାଲୋଚନା ମଧ୍ୟରେ, ସେ ୧୧ ସେପ୍ଟେମ୍ବର ୨୦୨୧ରେ ହଠାତ୍ ଇସ୍ତଫା ଦେଇଥିଲେ । ଇସ୍ତଫା ପରେ, ବିଜୟ ପଞ୍ଜାବରେ ବିଜେପି ପ୍ରଭାରୀର ଦାୟିତ୍ୱ ଗ୍ରହଣ କଲେ । 2022 ମସିହାରେ, ସେ ରାଜକୋଟ ପଶ୍ଚିମରୁ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ବିଜେପିର ନୂତନ ରଣନୀତି ସହିତ ଜଡିତ ଥିଲା । ତାଙ୍କର ସରଳତା ଏବଂ ସାଂଗଠନିକ ଦକ୍ଷତା ତାଙ୍କୁ ଅମିତ ଶାହଙ୍କ ବିଶ୍ୱସ୍ତ କରିଥିଲା, କିନ୍ତୁ ମୁଖ୍ୟମନ୍ତ୍ରୀ ପରେ, ତାଙ୍କର ଭୂମିକା ସୀମିତ  ହୋଇଯାଇ ଥିଲା ।