କନକ ବ୍ୟୁରୋ : ଭାରତୀୟ ନ୍ୟାୟପାଳିକାର ଅଧିକାରକୁ ନେଇ କିଛିଦିନ ହେବ ଦେଶରେ ଚର୍ଚ୍ଚା ଜୋର ଧରିଛି । ବିଜେପି ସାଂସଦ ନିଶିକାନ୍ତ ଦୁବେ ସୁପ୍ରିମକୋର୍ଟକୁ ନେଇ ଦେଇଥିବା ବୟାନ କାରଣରୁ ବିବାଦ ଘେରରେ ଛନ୍ଦି ହୋଇଯାଇଛନ୍ତି । ବିରୋଧୀ ଦଳ ନିଶିକାନ୍ତ ନ୍ୟାୟପାଳିକା ଉପରେ ଚାପ ପକାଉଥିବା ଅଭିଯୋଗ କରିଛନ୍ତି । ସେପଟେ ବିଜେପି କହିଛି କି, ତାହା ନିଶିକାନ୍ତଙ୍କ ବ୍ୟକ୍ତିଗତ ବୟାନ । ତଥାପି ନିଶିକାନ୍ତ ଦୁବେ ନିଜ ବୟାନରୁ ଓହରି ନାହାଁନ୍ତି । ଏବେ ସେ ନ୍ୟାୟପାଳିକାର ଏପରି ଏକ ଫର୍ଦ୍ଦ ଖୋଲିଛନ୍ତି, ଯାହା ଜାଣିଲେ ଆପଣ ବି ଚକିତ ହୋଇଯିବେ । 

Advertisment

ଝାଡଖଣ୍ଡ ଗୋଣ୍ଡା ସଂସଦୀୟ କ୍ଷେତ୍ରରୁ ସାଂସଦ ଥିବା ନିଶିକାନ୍ତ ଦୁବେ ସୋମବାର ରାତିରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି କି, "କ'ଣ ଆପଣଙ୍କୁ ଜଣା ଅଛି କି, ୧୯୬୭-୬୮ ମସିହାରେ ଭାରତୀୟ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଥିବା କୈଳାଶନାଥ ବାଞ୍ଚୁ କୌଣସି ଓକିଲାତି ପଢିନଥିଲେ' ।

ଭାରତୀୟ ନ୍ୟାୟପାଳିକା ଇତିହାସରେ ବିଚାରପତି କୈଳାଶନାଥ ବାଞ୍ଚୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ ବି ସେ କୌଣସି ଆଇନ ଡିଗ୍ରୀ ହାସଲ କରିନଥିଲେ । ହେଲେ ପୁଣି ବି ସେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦ ପର୍ଯ୍ୟନ୍ତ ପହଞ୍ଚିପାରିଥିଲେ । ଏବେ ଆସନ୍ତୁ ଜାଣିବା କିଭଳି ଓକିଲାତି ଡିଗ୍ରୀ ହାସଲ ନ କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦ ପର୍ଯ୍ୟନ୍ତ ପହଂଚିପାରିଥିଲେ । 

ଜଷ୍ଟିସ କୈଳାଶନାଥ ବାଞ୍ଚୁ ୧୯୦୩ ମସିହା ଫେବୃଆରୀ ୨୫ ତାରିଖରେ ଆହ୍ଲାବାଦର ଏକ କାଶ୍ମୀର ପଣ୍ଡିତ ପରିବାରରେ ଜନ୍ମ ହୋଇଥିଲେ । ତାଙ୍କ ପରିବାର ମୂଳତଃ କାଶ୍ମୀରର ବାସିନ୍ଦା ଥିଲେ । କୌଣସି କାରଣରୁ ସେମାନେ ଆହ୍ଲାବାଦ ଚାଲିଆସିଥିଲେ । ତାଙ୍କର ପ୍ରାଥମିକ ଶିକ୍ଷା ମଧ୍ୟପ୍ରଦେଶର ନୌଗାଁରେ ହୋଇଥିଲା । ମାଧ୍ୟମିକ ଶିକ୍ଷା କାନପୁର ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସିଏ ବିଏ ଡିଗ୍ରୀ ହାସଲ କରିଥିଲେ । ସେ ପାଠପଢାରେ ମେଧାବୀ ଥିଲେ । ୧୯୨୪ ମସିହାରେ ସେ ଆଇସିଏସ୍ ପରୀକ୍ଷା ପାସ୍ କରି ପ୍ରଶିକ୍ଷଣ ପାଇଁ ଲଣ୍ଡନ ଚାଲିଯାଇଥିଲେ । 

ଭାରତୀୟ ସମ୍ବିଧାନ ମୁତାବକ କୌଣସି ବ୍ୟକ୍ତିଙ୍କୁ ବିଚାରପତି କିମ୍ବା ମୁଖ୍ୟ ବିଚାରପତି ହେବାକୁ ହେଲେ ଓକିଲାତିରେ ଡିଗ୍ରୀ ହାସଲ କରିଥିବା ଜରୁରୀ । ହେଲେ ବାଞ୍ଚୁଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ ଥିଲା । ସେ ସିଧାସଳଖ ଏଲଏଲବି ଡିଗ୍ରୀ ହାସଲ କରି ନଥିଲେ । ହେଲେ ୧୯୨୪ ରେ ସେ ଆଇସିଏସ ବା ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ସେ ଲଣ୍ଡନରେ ଥିବା ବେଳେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଆପରାଧିକ ଆଇନର ଗଭୀର ଅଧ୍ୟୟନ କରିଥିଲେ । ଏଥିରୁ ସେ ଆଇନ ବାବଦରେ ଅନେକ କିଛି ଶିଖିଥିଲେ । ସେ ଅକ୍ସଫୋର୍ଡରୁ ଟ୍ରେନିଂ ପୂରା କରିବା ପରେ ସଂଯୁକ୍ତ ପ୍ରାନ୍ତ (ବର୍ତ୍ତମାନର ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ) ରେ ଅତିରିକ୍ତ ମାଜିଷ୍ଟ୍ରେଟ୍ ଓ କଲେକ୍ଟର ଭାବେ ନିଯୁକ୍ତ ହୋଇଥିଲେ । 

କିଛି ବର୍ଷ ଧରି ସେ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବା ପରେ ୧୯୩୭ ମସିହାରେ ତାଙ୍କୁ ଜିଲ୍ଲା ଜଜ୍ ଭାବେ ନିଯୁକ୍ତି ମିଳିଥିଲା । ସ୍ୱାଧୀନତା ପରେ ୧୯୪୭ ମସିହାରେ ତାଙ୍କୁ ଆହ୍ଲାବାଦ ହାଇକୋର୍ଟର କାମଚଳା ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା । ୧୦ ମାସ ପରେ ତାଙ୍କ ଯୋଗ୍ୟତା ଆଧାରରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା । 

ଏହାପରେ ତାଙ୍କର ବଦଳି ରାଜସ୍ଥାନ ହାଇକୋର୍ଟକୁ କରାଯାଇଥିଲା । ସେଠାରେ ସେ ୧୯୫୧ ରୁ ୧୯୫୮ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ । ଏହି ସମୟରେ ତାଙ୍କର ପରିଚୟ ଜଣେ ନିରପେକ୍ଷ ବିଚାରମନ୍ତ ବିଚାରପତି ଭାବେ ହୋଇଥିଲା । ଏହି ପରିଚୟ ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ପଦ ପର୍ଯ୍ୟନ୍ତ ପହଂଚାଇପାରିଥିଲା । 

ସେପଟେ ବିଚାରପତି କୈଳାଶ ବାଞ୍ଚୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେବା ଏକ ଅପ୍ରତ୍ୟାଶିତ ଘଟଣା ଥିଲା । ୧୯୬୭ ରେ ତତ୍କାଳୀନ ମୁଖ୍ୟ ବିଚାରପତି ସୁବ୍ୱାରାଓ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଅଚାନକ ଇସ୍ତଫା ଦେଇଥିଲେ । ଏହି ସମୟରେ ବିଚାରପତି ବାଞ୍ଚୁ ଯେ କି, ଅନୁଭବରେ ବରିଷ୍ଠ ଥିଲେ ତାଙ୍କୁ ୧୯୬୭ ଏପ୍ରିଲ ୨୪ ତାରିଖରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ପାଖାପାଖି ୧୧ ମାସ ସେ ଏହି ପଦରେ ରହିଥିଲେ । ଏହି ସମୟରେ ସେ ଅନେକଗୁଡିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । 

ସେପଟେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଏଭଳି ପୋଷ୍ଟ ମୁଖ୍ୟ ବିଚାରପତିଙ୍କ ଉପରେ ଏବେ ଏବେ ଦେଇଥିବା ବୟାନ ସହ ଯୋଡା ଯାଉଛି । ସେ ୱାକଫ୍ ବୋର୍ଡ ଆଇନ ଉପରେ ଚାଲିଥିବା ଶୁଣାଣିକୁ ନେଇ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ଉପରେ ଧାର୍ମିକ ଯୁଦ୍ଧକୁ ଉସକାଉଥିବାର ଅଭିଯୋଗ ଆଣିଥିଲେ ।