କନକ ବ୍ୟୁରୋ : ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇର ତନାଘନାକୁ ନେଇ ପ୍ରଥମଥର ପାଇଁ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସିବିଆଇ ତଦନ୍ତର ଦ୍ବାହି ଦେଇ ମନ୍ତ୍ରୀ ଏ ଘଟଣାରୁ ନିଜକୁ ଦୂରେଇ ରଖିବାକୁ ଚାହିଁଛନ୍ତି । କିନ୍ତୁ ବିଷ୍ଣୁଙ୍କ ଉପରେ ସିବିଆଇର ସନ୍ଦେହ ଏସସି ଓ ଏସଟି ବିଭାଗ ମୁଣ୍ଡରେ କଳାଦାଗ ବୋଳିଛି । ଏଭଳି ସ୍ଥିତିରେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଅପେକ୍ଷାରେ ଓଡ଼ିଶାବାସୀ ଥିବା ବେଳେ ନିତ୍ୟାନନ୍ଦଙ୍କ ୨ ଧାଡିଆ ଉତ୍ତର ଅନେକ ପ୍ରଶ୍ନକୁ ଜନ୍ମ ଦେଇଛି । ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀକୁ କିଏ ଦେଖାଉଥିଲା ଅନୁକମ୍ପା ? କେବଳ ବିଷ୍ଣୁ ନା ପ୍ରଚ୍ଛଦପଟରେ ଆଉ କିଏ ? ମନ୍ତ୍ରୀଙ୍କ ଜାଣତରେ ନା ଅଜାଣତରେ କୋଟି କୋଟି ଟଙ୍କାର କାମରେ ବାଜୁଥିଲା ମୋହର ?
କୋଟି କୋଟିର ଡିଲ୍ ପଛରେ ଆଉ କିଏ କାର୍ପଟଦାର ଅଛନ୍ତି ତାହାର ଖୋଳତାଡ କରୁଛି ସିବିଆଇ । ବିଷ୍ଣୁଙ୍କ ମୁହଁରୁ ଏକଥା ବାହାର କରିବାକୁ ଝାଳବୁହା ଜେରା ମଧ୍ୟ କରିଛି ସିବିଆଇ । ବିଷ୍ଣୁଙ୍କ ଉପରେ ସିବିଆଇ ସନ୍ଦେହ କରୁଥିବା ବେଳେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧି । ତାରା କହିଛନ୍ତି, ବିନା ମନ୍ତ୍ରୀଙ୍କ ଅଗୋଚରରେ କିଭଳି ହେଉଥିଲା କୋଟି କୋଟିର ଡିଲ । ଏହାର ତଦନ୍ତ ହେବା ଦରକାର। ଅନ୍ୟପଟେ ବିଜେଡି କହିଛି, ତଦନ୍ତ ହେଉ। ଦୋଷୀଙ୍କୁ ଖୋଜି ବାହାର କରାଯାଉ । ବିଷ୍ଣୁଙ୍କ ଉପରେ ସିବିଆଇର ସନ୍ଦେହ ଓ ରାଜନୀତିର ଗନ୍ଧ ଭିତରେ ଏବେ ପାୱାର କରିଡରରେ ଛନକା ପଶିଛି। ବିଷ୍ଣୁଙ୍କ ପରେ କାହା ପାଳି ପଡିବ ତାହା ଉପରେ ନଜର ରହିଛି।