କନକ ବ୍ୟୁରୋ: ବିଜେଡିର ପରାଜୟ ପଛରେ ଥିଲା ଭୁଲ ନିଷ୍ପତ୍ତି । ବବିଙ୍କ ଉଦାହରଣ ରଖି ଦଳର ଷ୍ଟ୍ରାଟେଜି ଉପରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ମହେଶ ସାହୁ । ପରାଜୟର ପୋଷ୍ଟମର୍ଟମ ହେଉନଥିବାରୁ ପରୋକ୍ଷରେ ତୀର ମାରୁଛନ୍ତି ଦଳୀୟ ନେତା । ଯାହା ବିଜେଡିକୁ ଆହୁରି ବ୍ୟାକଫୁଟକୁ ଠେଲୁଛି । 

Advertisment

ବିଜେଡିରେ କିଏ ନେଉଥିଲା ଭୁଲ ନିଷ୍ପତ୍ତି?
ବବିଙ୍କ ଆଳରେ କାହାକୁ ତୀର ମାରିଲେ ମହେଶ?
ପରାଜୟର ଖୋଲିଲେ ପୋଲ୍

କ୍ଷମତାରୁ ଯିବାର ୮ ମାସ ପରେ ବଡ ବିସ୍ଫୋରଣ କରିଛନ୍ତି ବିଜେଡିର ବରିଷ୍ଠ ନେତା ମହେଶ ସାହୁ । ଦଳୀୟ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ସିଧାସଳଖ କହିଛନ୍ତି, ସମ୍ବଲପୁରରୁ ବବି ଦାସ ଲଢ଼ିବା ଭୁଲ ନିଷ୍ପତ୍ତି ଥିଲା । ବବି ଯାଜପୁରରୁ ଲଢ଼ିଥିଲେ ଆଉ ୧୦ରୁ ୧୨ ଅଧିକ ବିଧାୟକ ଜିତିଥାନ୍ତେ ଏବଂ ଦଳ ସରକାର ଗଢ଼ିଥାନ୍ତା । ଏଭଳି କହି ଦଳର ପରାଜୟ ପଛରେ ଭୁଲ ଷ୍ଟ୍ରାଟେଜି ଥିଲା ବୋଲି ଇଙ୍ଗିତ କରିଛନ୍ତି ।  କିନ୍ତୁ ଏହି କଥା ଛଳରେ କାହାକୁ ନିଶାନା କରିଛନ୍ତି ମହେଶ ସାହୁ । ନିର୍ବାଚନରେ କିଏ କେଉଁଠୁ ଲଢ଼ିବ, ଏ ନିଷ୍ପତ୍ତି କିଏ ନେଉଥିଲେ ? ନବୀନ ନା ଆଉ କିଏ ? 
 
ଗୋଟିଏ ପଟେ ଦଳର ସାଙ୍ଗଠନିକ ନିର୍ବାଚନକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏପ୍ରିଲ ୧୪ ପୂର୍ବରୁ ସରିବ ସାଙ୍ଗଠନିକ ନିର୍ବାଚନ । ହେଲେ ୨୦୨୪ ନିର୍ବାଚନରେ ଦଳ କାହିଁକି ମାତ୍ ଖାଇଲା ସେ ସମ୍ପର୍କରେ ଥରୁଟିଏ ବି ସମୀକ୍ଷା କରିନାହାନ୍ତି ବିଜେଡି ସୁପ୍ରିମୋ । ଏପରିକି ଚର୍ଚ୍ଚା ହେଉଛି, କାର୍ପଟଦାର ଗୋଷ୍ଠୀକୁ ସୁରକ୍ଷା ଦେବାକୁ ପରାଜୟର ପୋଷ୍ଟମର୍ଟମ କଥାକୁ ଏଡ଼ାଇ ଯାଉଛନ୍ତି ଦଳପତି । ହେଲେ ଦଳର ହାର୍ଡକୋର ନେତା କିନ୍ତୁ ପରାଜୟକୁ ସହଜରେ ଭୁଲି ପାରୁନାହାନ୍ତି । ବୁଲେଇ ବଙ୍କେଇ ମଝିରେ ମଝିରେ ତୀର ମାରୁଛନ୍ତି । ଯାହା ବିଜେଡିରେ ସବୁକିଛି ଠିକ୍ ନାହିଁ ବୋଲି ସଙ୍କେତ ଦେଉଛି । ବିଜେଡିର ଅନେକ ନେତା ଦଳର ପରାଜୟ ନେଇ ନିଇତି ଭିନ୍ନ ଭିନ୍ନ କଥା କହୁଛନ୍ତି । ଦଳର ବରିଷ୍ଠ ନେତା ସିଧାସଳଖ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହେଉନଥିଲେ ମଧ୍ୟ ବିଭିନ୍ନ ପ୍ରଶ୍ନ ଆଳରେ ଦଳର ହଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନବାଚୀ ଛିଡା କରିଛନ୍ତି ।