ରାଜ୍ୟ ସରକାର ବଦଳିବା ପରେ ବଦଳିବ ବିଶ୍ବବିଦ୍ୟାଳୟର ସ୍ବାୟତ୍ତତା । ବିଧାନସଭାରେ ଚଳିତ ବଜେଟ ଅଧିବେଶନରେ ଏ ନେଇ ବିଲ ଆଣିବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ଗତ ସରକାର ସମୟରେ ଏହି ଅଧିନିମୟକୁ ନେଇ ବିବାଦ ହୋଇଥିବାବେଳେ ମାମଲା  ସୁପ୍ରିମକୋର୍ଟ ଯାଏଁ ଯାଇଥିଲା । 

Advertisment

ବିଧାନସଭାରେ ଆସିବ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍!   
ରାଜ୍ୟର ଅନେକ ବିଶ୍ବବିଦ୍ୟାଳୟରେ ଏବେ କୁଳପତି ପଦ ଖାଲି । ବର୍ତ୍ତମାନ ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦କୁ ସଂଶୋଧନ କରିବା ପରେ ନୂଆ କୁଳପତି ନିଯୁକ୍ତି ନେଇ ବାଟ ଫିଟିବ । ଏଥିପାଇଁ ଚଳିତ ଅଧିବେଶନରେ ବିଲ ଆଣିବାକୁ ଚିନ୍ତା କରୁଛନ୍ତି ସରକାର । ଗତ ଅଧିବେଶନରେ ଏହି ବିଲ ଆଗତ ହୋଇଥିବା ସତ୍ତ୍ବେ ଆଲୋଚନା ହୋଇନଥିଲା । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ । ତେବେ ଚଳିତ ବିଧାନସଭାରେ ବିଲ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର । କିନ୍ତୁ ବିଲ କେବେ ପୁଣି ଆଗତ ହେବ ସେ ନେଇ ସ୍ପଷ୍ଟ ଚିତ୍ର ଆସିନାହିଁ । 

୧୯୮୯ ଓଡିଶା ବିଶ୍ବବିଦ୍ୟାଳୟ ଅଧିନିୟମକୁ ତତକାଳୀନ ବିଜେଡି ସରକାର ୨୦୨୦ରେ ସଂଶୋଧନ କରିଥିଲେ। ଏହାଦ୍ବାରା
- କୁଳପତିଙ୍କ କ୍ଷମତା ସଙ୍କୁଚିତ ହୋଇଥିଲା
- ପ୍ରଫେସର ଓ ଅଣଶିକ୍ଷକ ନିଯୁକ୍ତିରେ କଟକଣା ଲାଗିଥିଲା 
- ଓପିଏସସି ଦ୍ବାରା ଶିକ୍ଷକ ନିଯୁକ୍ତି ପାଇଁ ବ୍ୟବସ୍ଥା ହୋଇଥିଲା
- ସିଣ୍ଡିକେଟରେ ସରକାରୀ ଅଧିକାରୀ ସାମିଲ ହୋଇଥିଲେ
- କୁଳପତି ମନୋନୟନ କମିଟିରେ ସରକାରୀ ପ୍ରତିନିଧିଙ୍କୁ ରଖାଯାଇଥିଲା 
ଏବେ ବିଲ ଆସିବା ପରେ ନିୟମରେ କଣ ପରିବର୍ତ୍ତନ ହୋଇଛି ତାହା ଜଣାପଡିବ । ବର୍ତ୍ତମାନ ରାଜ୍ୟରେ ଅନେକ ବିଶ୍ବବିଦ୍ୟାଳୟରେ କୁଳପତି ଓ ପ୍ରଫେସର ପଦ ଖାଲିପଡିଛି । ନୂଆ ବିଲ ପାସ ହେଲା ପରେ ହିଁ ଏହି ନିଯୁକ୍ତି ପାଇଁ ବାଟ ଫିଟିବ ।